୩ ବର୍ଷ ଲଢିବା ପରେ ଆଖି ବୁଜିଲେ ଗଙ୍ଗା

Get real time updates directly on you device, subscribe now.

କାଲିମେଳା,(ବି.ବି.ନ୍ୟୁଜ୍): ଦୀର୍ଘ ୩ ବର୍ଷ ଧରି କୀଡ୍ନିଜନିତ ରୋଗରେ ଆକ୍ରାନ୍ତ ହୋଇ ଶେଷରେ ଆଖି ବୁଜିଦେଲେ ତେଲରାଇ ପଞ୍ଚାୟତ ଯବାନପଲ୍ଲୀ ଗାଁର ଗଙ୍ଗା କବାସୀ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗଙ୍ଗାଙ୍କ ମୃତ୍ୟୁ ପାଇଁ ଲୋକେ ପ୍ରଶାସନର ଅବହେଳା ଏବଂ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ସିଧାସଳଖ ଦାୟୀ କରିଛନ୍ତି । କାରଣ ଗଙ୍ଗାଙ୍କ ପାଖରେ ଥିଲା ବିଜୁ କୃଷକ କଲ୍ୟାଣ ଯୋଜନା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଡ । କିନ୍ତୁ କୌଣସି ଡାକ୍ତରଖାନାରେ ଏହା କାମରେ ଆସିନଥିଲା । ଗରିବ ଆଦିବାସୀ ପରିବାରର ଗଙ୍ଗା ଅର୍ଥାଭାବରୁ ପାଇପାରିନଥିଲେ ଅତ୍ୟାଧୁନିକ ଚିକିତ୍ସା ସୁବିଧା । ଜୀବନ ସହ ୩ ବର୍ଷ ଧରି ଲଢି ଲଢି ଶେଷରେ ହାରି ଯାଇଛନ୍ତି । ୧୦ ବର୍ଷ ତଳେ ତାଙ୍କ ସ୍ତ୍ରୀ ଏବଂ ୨ ବର୍ଷ ତଳେ ଅଜଣା ରୋଗରେ ପଡ଼ି ଗୋଟିଏ ପୁଅର ମୃତ୍ୟୁ ହୋଇଥିଲା । ଆଉ ସେବେଠାରୁ ଅଧିକ ଭାଙ୍ଗି ପଡ଼ିଥିଲେ ଗଙ୍ଗା । ସରକାରୀ ଆର୍ଥିକ ସହାୟତା କିମ୍ବା ମାଗଣାରେ ଚିକିତ୍ସା ସୁବିଧା ନମିଳିବାରୁ କିଡ୍ନୀଜନିତ ରୋଗ ତାଙ୍କ ଜୀବନ ନେଇଗଲା ବୋଲି ପୁଅ ଦାମା କବାସୀ କହିଛନ୍ତି । ପରିତାପର ବିଷୟ, ଗଙ୍ଗାଙ୍କ ମୃତ୍ୟୁ ପରେ ବି ହରିଶ୍ଚନ୍ଦ୍ର ଯୋଜନାରେ କୌଣସି ସହାୟତା ପ୍ରଦାନ କରାଗଲାନି କି କୌଣସି ସରକାରୀ ଅଧିକାରୀ ପହଞ୍ଚିଲେ ନାହିଁ । ଅନ୍ୟ ଉପାୟ ନପାଇ ଗାଁ ପେଦାଙ୍କ ନେତୃତ୍ୱରେ ଗ୍ରାମ ପାଣ୍ଠିରୁ ୪ ହଜାର ଟଙ୍କା ଉଠାଇ ଅପରାହ୍ନ ପ୍ରାୟ ୫ଟା ବେଳେ ଗଙ୍ଗାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି ।
ଗଙ୍ଗା ଆଉ ମାତ୍ର କେଇଦିନର ଅତିଥି ବୋଲି ଆଜି ପ୍ରମେୟରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଖବର ପ୍ରକାଶ ପାଇବା ଆଗରୁ ଆରପାରିକୁ ଚାଲିଯାଇଥିଲେ ସେ । ଏହି ଖବର ଜଣାପଡ଼ିବା ପରେ ଆଜି ପୁଣିଥରେ ଆମେ ପହଞ୍ଚିଥିଲୁ ଯବାନପଲ୍ଲୀ ଗାଁରେ । ମୃତଦେହ ଚାରିପଟେ ଘେରି ରହିଥିଲେ ଶୋକାକୁଳ ଗ୍ରାମବାସୀ ଓ ସଂପର୍କୀୟ । ସମସ୍ତଙ୍କ ମୁହଁରେ ଥିଲା ସେହି ଗୋଟିଏ କଥା, ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁ ଗାଁରେ ଜଣକ ପରେ ଜଣଙ୍କ ଜୀବନ ଦୀପ ଲିଭିଯାଉଛି । ଚିକିତ୍ସା ସୁବିଧା ନପାଇ ଲୋକେ କିଡ୍ନୀ ଓ କ୍ୟାନ୍ସରରେ ପ୍ରାଣ ହରାଉଛନ୍ତି । ତଥାପି ପ୍ରଶାସନର ଆଖି ନଖୋଲିବା ବିଡମ୍ବନାର ବିଷୟ । ବିପିଏଲ୍ ଶ୍ରେଣୀର ହୋଇଥିବାରୁ ଗଙ୍ଗାଙ୍କୁ ମିଳିଥିଲା ଆବାସ ଯୋଜନାରେ ଘର ଖଣ୍ଡିଏ । ମାସକୁ କେଇକେଜି ଚାଉଳ ମିଳୁଥିଲା । ସେଥିରେ ପରିବାର ଚଳିବା କଷ୍ଟକର ଥିଲା । କିଡ୍ନୀଜନିତ ରୋଗରେ ଆକ୍ରାନ୍ତ ହେବା ପରେ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇପଡ଼ିଥିଲେ ଗଙ୍ଗା । ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଧାଇଁଥିଲେ । କିନ୍ତୁ ସରକାରୀ ଯୋଜନାରେ ମିଳିଥିବା ଦୁଇ ଦୁଇଟି ସ୍ୱାସ୍ଥ୍ୟବୀମା କାର୍ଡ କୌଣସି କାମରେଆସିନଥିଲା । ତେଣୁ ଘରକୁ ଫେରିଆସିଥିଲେ ଗଙ୍ଗା । ଏକ ଖଟିଆରେ ପଡ଼ିରହି ମୃତ୍ୟୁ ସହ ସଂଘର୍ଷ କରି ଚାଲିଥିଲେ । ତଥାପି ଦିନଟିଏ ହେଲେ ଏଏନ୍ଏମ୍ ଦିନି କିମ୍ବା ଏନ୍ଆର୍ଏଚ୍ଏମ୍ କର୍ମଚାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ କି ସରକାରଙ୍କୁ କୌଣସି ସୂଚନା ପ୍ରଦାନ କରିନଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କ ଏଭଳି ଅବହେଳା ଯୋଗୁ ଗତ ୫ ବର୍ଷ ଭିତରେ କ୍ୟାନସରରେ ପଡ଼ି ଚିକିତ୍ସା ଅଭାବରୁ
ଦୁଲା କବାସୀ, ରାମା କବାସୀ ଓ ଗାଙ୍ଗୀ ମାଡ଼କାମୀଙ୍କ ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏବେ ଗଙ୍ଗାଙ୍କ ଅକାଳ ବିୟୋଗ ପରେ ସେମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନାଥାଉକି, ଗଙ୍ଗା ଅର୍ଥାଭାବ ସତ୍ତେ୍ୱ ସରକାରୀ ସ୍ୱାସ୍ଥ୍ୟବୀମା କାର୍ଡ ଧରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ନବରଙ୍ଗପୁର ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ପର୍ଯ୍ୟନ୍ତ ଯାଇଥିଲେ । ସବୁଠି ଦିଆଯାଇଥିଲା ଗୋଟିଏ ପରାମର୍ଶ-କୌଣସି ବଡ଼ ମେଡିକାଲ୍ ଯାଆନ୍ତୁ । କିନ୍ତୁ ଗଙ୍ଗାଙ୍କ ପାଖରେ ବଡ଼ ମେଡିକାଲ୍ ଯିବା ଅସମ୍ଭବ ଥିଲା । ୩ ବର୍ଷ ଭିତରେ ଯଦି କୌଣସି ସରକାରୀ ଅଧିକାରୀ ଟିକିଏ ଧ୍ୟାନ ଦେଇଥାନ୍ତେ, ତାହେଲେ ହୁଏତ ଗଙ୍ଗା ଆଜି ମରିନଥାନ୍ତେ ବୋଲି କ୍ଷୋଭର ସହ କହିଛନ୍ତି ପଡୋଶୀମାନେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons