୩ ମହିଳାଙ୍କ ସମେତ ୬ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ପୁଲିସ ଯେଉଁ ସ୍ୱପ୍ନ ଦେଖିଥିଲା, ତାହା କ୍ରମଶଃ ଫସର ଫାଟିବାରେ ଲାଗିଛିି । ଶନିବାର ବାଲେଶ୍ୱର ସହର ସମେତ ସିମୁଳିଆ ଥାନା ଅଞ୍ଚଳରୁ ବ୍ରାଉନସୁଗର ଜବତ ହୋଇଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ପୁଲିସ ମଧ୍ୟ ୧କେଜି ୯୦ଗ୍ରାମର ବ୍ରାଉନସୁଗର ଜବତ କରିଛି । ଉଭୟ ଜିଲ୍ଲା ଧଳାଜହରମୁକ୍ତ ହେବା ପରିବର୍ତ୍ତେ ଏଠାରେ ଅଧିକ ମାତ୍ରାରେ ବେପାର ବଢ଼ିଲା ପରି ଲାଗୁଛି । ସିମୁଳିଆ ଥାନା ଅଞ୍ଚଳରୁ ପ୍ରଥମ ଥର ଆଜି ବ୍ରାଉନସୁଗର ମିଳିବା ପରେ ଏମିତି ଚର୍ଚ୍ଚା ଜୋର୍ ଧରିଛି । ସେହିପରି ସିମୁଳିଆ ନିକଟବର୍ତ୍ତୀ ଭଦ୍ରକ ସହରରୁ ଆଜି ବିପୁଳ ପରିମାଣରେ ବ୍ରାଉନସୁଗର ଜବତ ହୋଇଛି । ଫଳରେ ଏହି ଧଳାଜହର କବଳରେ ଉତ୍ତର ଓଡ଼ିଶା ପୂରା କବଳିତ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି ।
ସୂଚନା ଅନୁସାରେ, ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୁଲିସ୍ ଆଜି ୧୨ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ । ଏଥିରେ ଲିପ୍ତ ଥିବା ଅଭିଯୋଗରେ ଅରଡ଼ବଜାର ଅଞ୍ଚଳର ସୁଶାନ୍ତ ସେଠୀଙ୍କ ସ୍ତ୍ରୀ ମାମା ଓରଫ ମଞ୍ଜୁ ଦାସ(୩୫)ଙ୍କୁ ପୁଲିସ ଗିରଫ କରିଛି । ତା’ଠାରୁ ନଗଦ ୧,୭୧୦ ଟଙ୍କା ଜବତ ହୋଇଛି । ମଞ୍ଜୁ ବ୍ର୍ରାଉନସୁଗର ବ୍ୟବସାୟ କରୁିବା ଅଭିଯୋଗ ଆସିବା ପରେ ସହଦେବଖୁଣ୍ଟା ଥାନା ପୁଲିସ୍ ପକ୍ଷରୁ ତା’ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା । ତେବେ ଅରଡ଼ ବଜାର ନିକଟସ୍ଥ ରେଲ ଟ୍ରାକ୍ ନିକଟରେ ସେ ବ୍ରାଉନସୁଗର ବିକୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଏସ୍ଆଇ ଏସ୍. ମହାଳିକଙ୍କ ନେତୃତ୍ୱରେ ପୁଲିସ୍ର ଏକ ଟିମ୍ ଚଢ଼ଉ କରି ବ୍ରାଉନସୁଗର ଜବତ କରିଥିଲା । ଏନେଇ ଥାନାରେ କେସ ନଂ. ୧୯୭/୨୧ରେ ମାମଲା ରୁଜୁ ହୋଇଛି । ଏଥିସହିତ ମଞ୍ଜୁକୁ କୋର୍ଟ ଚାଲାଣ କରାଯାଇଛି ।
ସେହିପରି ବାଲେଶ୍ୱର ସ୍ପେଶାଲ ସ୍କ୍ୱାଡ୍ ଓ ସିମୁଳିଆ ଥାନା ପୁଲିସ ଅଚାନକ ସ୍ଥାନୀୟ ବାଙ୍ଗରଖଡିଗଡ଼ିଆ ପଞ୍ଚାୟତ ଛଚିନ୍ଦା ଗ୍ରାମର ତପନ କୁମାର ବେହେରାଙ୍କ ଘର ଉପରେ ଚଢ଼ଉ କରିଥିଲେ । ତାଠାରୁ ୨୯୦ ମିଲିଗ୍ରାମ ଓଜନର ବ୍ରାଉନସୁଗର ମିଳିଥିଲା । ଏହାର ମୂଲ୍ୟ ପ୍ରାୟ ୩ ହଜାର ଟଙ୍କା ହେବ । ତେବେ ତପନକୁ ପୁଲିସ ଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଏନେଇ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଏନେଇ ସିମୁଳିଆ ଥାନାରେ କେସ ନଂ. ୧୬୧/୨୧ରେ ମାମଲା ରୁଜୁ ହୋଇଛି । ସିମୁଳିଆ ଥାନା ଆଇଆଇସି ଜୟନ୍ତ କୁମାର ବେହେରାଙ୍କ ନିଦେ୍ର୍ଧଶରେ ଏସ୍ଆଇ ଲିଲି ନାୟକ ମାମଲାର ତଦନ୍ତ କରୁଛନ୍ତି ।
ଅନୁରୂପ ଭାବେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ପୁଲିସ ଗତକାଲି ଗତକାଲି ଯାନବାହନ ଯାଞ୍ଚ କରୁଥିବା ବେଳେ ବଡ଼ଧରଣର ନିଶା କାରବାରର ପର୍ଦ୍ଧାଫାଶ କରିଛି । ଅଟୋରେ ଯାଉଥିବା ପ୍ରାୟ ୧ କିଗ୍ରା ୯୦ ଗ୍ରାମ ଓଜନର ବ୍ରାଉନସୁଗର ପୁଲିସ ଜବତ କରିଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଥିରେ ଲିପ୍ତ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଖଣ୍ଡରିଆ ଅଞ୍ଚଳର ଏସ୍କେ ସେଖୱାତ୍ଙ୍କ ପୁଅ ଏସ୍କେ ଅବଦୁଲ୍ ହମିଦ୍(୪୬), ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଉଦୟପୁର ଅଞ୍ଚଳର ଜଗବନ୍ଧୁ ଦାସଙ୍କ ପୁଅ ମନୋଜ କୁମାର ଦାସ(୨୩), ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ବରାଳପୋଖରୀ ଅଞ୍ଚଳର ରାଜେନ୍ଦ୍ର ଷଡ଼ଙ୍ଗୀଙ୍କ ପତ୍ନୀ କୁନିଲତା ଷଡ଼ଙ୍ଗୀ(୩୦) ଓ ନାରାୟଣ ଷଡ଼ଙ୍ଗୀଙ୍କ ପୁଅ ଅଜୟ କୁମାର ଷଡ଼ଙ୍ଗୀ(୩୨) । ଏମାନଙ୍କ ନାଁରେ ଗ୍ରାମାଞ୍ଚଳ ଥାନା କେସ ନଂ. ୨୯୯/୨୧ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସ୍ପି ଚରଣ ସିଂ ମୀନାଙ୍କ ସୂଚନା ଅନୁସାରେ, ଗତକାଲି ସକାଳ ୯ଟା ବେଳେ ଏକ ଅଟୋରେ ୧କିଗ୍ରା ୯୦ ଗ୍ରାମର ବ୍ରାଉନ୍ସୁଗର ସହ ୧ ଲକ୍ଷ ଟଙ୍କା ନେଇ ଯାଉଥିଲା । ଏତିକିବେଳେ ୧୬ନଂ. ଜାତୀୟ ରାଜପଥର ଧାମରା ଓଭର ବ୍ରିଜ ନିକଟରେ ପୁଲିସ ଯାନବାହନ ଯାଞ୍ଚ୍ କରୁଥିଲା । ଏହି ଅଟୋକୁ ଦେଖି ଥାନାଧିକାରୀ ଆଲୋକ ଜେନା ଅଟକାଇଥିଲେ । ଯାଞ୍ଚ୍ କରିବାରୁ ସଂପୃକ୍ତ ଅଟୋରୁ ବ୍ରାଉନ୍ସୁଗର ଓ ୧ ଲକ୍ଷ ଟଙ୍କା ମିଳିଥିଲା । ଏଥିରେ ସମସ୍ତ ୪ ଜଣଙ୍କୁ ଶ୍ରୀ ଜେନା ପୁଲିସ କାବୁ କରିବାରେ ସଫଳ ହୋଇଥିଲେ । ବ୍ରାଉନସୁଗର, ଟଙ୍କା ବ୍ୟତୀତ ଏମାନଙ୍କଠାରୁ ଏକ ଅଟୋରିrା, ୩ଟି ମୋବାଇଲ ଫୋନ୍, ପାନ୍କାର୍ଡ, ଆଧାରକାଡର଼୍କୁ ପୁଲିସ ଜବତ କରିଥିଲା । ଏମାନେ ଦୀର୍ଘ ଦିନ ହେଲା ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍ସୁଗର ଆଣି ଭଦ୍ରକ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ । ତେବେ ଭଦ୍ରକ ଜିଲ୍ଲା ପୁଲିସ ୬ ମାସ ମଧ୍ୟରେ ୩ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ନିଶା ବେପାରୀ ଗିରଫ ହୋଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons