
ମାଲକାନଗିରି,(ବି.ବି.ନୁ୍ୟଜ): ଏସ୍ପି ରିଶିକେଶ ଡି ଖିଲାରୀ ଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ୩ ଜଣ ମାଓବାଦୀ । ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲ୍ଲା ବାଶାଗୁଡା ଥାନା ଚିନ୍ତେରାମ ଗାଁର ଶମ୍ଭୁ ଦୋଡି ଓରଫ ମାଇନୁ(୨୫), ଗାଙ୍ଗଲୁର ଥାନା କରନାଲ ଗ୍ରାମର ରାମା ଅପକା(୨୫) ଏବଂ ମାଲକାନଗିରି ଜିଲ୍ଲା ଜୋଡାମ୍ବ ଥାନା ବେଜିଂ ଗାଁର ରଘୁ ଖରା(୨୧) । ଶମ୍ଭୁ ଓ ରାମାଙ୍କ ମୁଣ୍ଡରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଏବଂ ରଘୁଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । କ୍ୟାଡର୍ ମାଓବାଦୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେମାସେ ସଂଗଠନ ଛାଡ଼ିଥିବା ପୁଲିସ୍ ଆଗରେ କହିଛନ୍ତି ।
ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପ୍ରଦର୍ଶିତ କରି ସେମାନଙ୍କ ହିଂସାକାଣ୍ଡ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ପ୍ୟାକେଜ୍ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏସ୍ପି କହିଥିଲେ ଯେ, ଉଭୟ ଶମ୍ଭୁ ଓ ରାମା ୨୦୦୯-୧୦ ମସିହାରେ ଜାଗୁରକୋଣ୍ଡା ମାଓସଂଗଠନରେ ଯୋଗଦେଇଥିଲେ । ୨୦୧୦ରେ ନାରାୟଣପାଟଣା ଏବଂ ଆନ୍ଧ୍ର-ଓଡିଶା ବୋର୍ଡର ଜୋନାଲ୍ କମଟି ସଦସ୍ୟ ଭାବେ କାମ କରିବା ଆରମ୍ଭ କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ଅନେକ ମାଓ ହିଂସାରେ ସାମିଲ ଥିଲେ । ସେହିପରି ରଘୁ ୨୦୧୭ରେ ଆନ୍ଧ୍ର-ଓଡିଣା ବୋର୍ଡର ଜୋନାଲ କମିଟିର ଗୁମ୍ମା ସଂଗଠନରେ ଏସିଏମ ଭାବେ ଯୋଗଦେଇଥିଲେ । ବହୁ ହିଂସାରେ ଜଡିତ ଥିଲେ । ଏହି ୩ ମାଓବାଦୀ ଆନ୍ଧ୍ର କ୍ୟାଡର୍ ମାଓବାଦୀଙ୍କ ଅତ୍ୟାଚାର ସହିନପାରି ସଂଗଠନ ଛାଡିଛନ୍ତି । ସେମାନଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମାଓବାଦୀଙ୍କ ପ୍ରଲୋଭନରେ ପଡି ସଙ୍ଗଠନରେ ସାମିଲ ହୋଇଗଲେ । ବନ୍ଧୁକ ଚାଳନା, ଲ୍ୟାଣ୍ଡମାଇନ ଲଗାଇବା ଏବଂ ଅନ୍ୟାନ୍ୟ ରଣକୌଶଳ ଉପରେ ତାଲିମ ନେଇଥିଲେ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ହେବା ପରେ ୪ଟି ବିଏସଏଫ କ୍ୟାମ୍ପ ଏବଂ ଥାନା ହୋଇଛି । ପୁଲିସ୍ ଛାଉଣୀରେ ବିକାଶର ବାଟ ଫିଟାଯାଇ ଅପହଞ୍ଚ ଇଲାକାରେ ଉନ୍ନୟନମୂଳକ କାମକୁ ତ୍ୱରାନ୍ୱିତ କରାଯାଇଛି । ତେଣୁ ମାଓବାଦୀମାନେ ପୁଲିସର ଆତ୍ମସମର୍ପଣ ନୀତିରେ ସାମିଲ ହୋଇ ସଂଗଠନ ଛାଡୁଥିବା ଏସ୍ପି କହିଛନ୍ତି । ଆତ୍ମସମର୍ପଣ ସମୟରେ ବିଏସଏଫ ଡିଆଇଜି, କମାଣ୍ଡାଣ୍ଟଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.