୩ ଲୁଟେରାଙ୍କୁ ଧରିଲା ସ୍ପେଶାଲ ସ୍କ୍ୱାଡ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚୋରି ଓ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାଡ୍ । ୩ ଲୁଟେରାଙ୍କୁ ସ୍ପେଶାଲ୍ ସ୍କ୍ୱାଡ୍ ଧରି ଚନ୍ଦ୍ରଶେଖରପୁର ଥାନା ପୁଲିସ ଜିମା ଦେଇଛି । ସେମାନେ ହେଲେ ସହିଦନଗର ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ପାରାଦୀପର ଇଟିଲି ଓରଫ କାହ୍ନା ଦାସ(୨୫), ସେହି ବସ୍ତିରେ ରହୁଥିବା ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡ଼ିର ଶଙ୍କର ଦାସ(୨୪) ଓ ୟୁନିଟ୍-୩ ଶାନ୍ତିନଗର ବସ୍ତିର ଅର୍ଜୁନ ରାଓ(୨୫) । ଏମାନେ ସ୍ପେଶାଲ ସ୍କ୍ୱାଡ୍ ଓ ଖଣ୍ଡଗିରି ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ବାଲେଶ୍ୱର ସଦର ଥାନା ସହଜପୁରର ଦୁର୍ଦ୍ଦାନ୍ତ ଲୁଟେରା ଗଣେଶ ପୂର୍ତ୍ତି ଓରଫ ସତ୍ୟ ସିଂହର ସହଯୋଗୀ । ସେମାନଙ୍କ ଠାରୁ ସୁନା-ରୁପା ଅଳଙ୍କାର, ୪ଟି ଏଲ୍ସିଡି ଟିଭି, ୨ଟି ଦାମୀ ମୋବାଇଲ ଫୋନ୍, ଏକ ଦାମୀ ଭିଡିଓ କ୍ୟାମେରା ଓ ଏକ ବାଇକ୍ ଜବତ ହୋଇଛି । ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଇଟିଲି, ଶଙ୍କର ଓ ଅର୍ଜୁନଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ନୀଳାଦ୍ରି ବିହାର ସେକ୍ଟର-୨ ପ୍ଲଟ୍ ନଂ-୬୩୧ରେ ରହୁଥିବା ସମୀର କୁମାର ରାୟ ଗତ ଡିସେମ୍ବର ୮ ତାରିଖରେ ପତ୍ନୀଙ୍କୁ ନେଇ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ୯ ତାରିଖ ସକାଳେ ସେମାନେ ଫେରିବା ବେଳକୁ ତାଙ୍କ ଘରର ଗ୍ରୀଲ ଓ କବାଟ ତଡ଼ା ଯାଇ ଚୋରି ଯାଇଥିବା ଜଣା ପଡ଼ିଥିଲା । ଦୁର୍ବୃତ୍ତମାନେ ଘର ଭିତରେ ଆଲମିରା ତାଡ଼ି ସେଥିରେ ଥିବା ସୁନା-ରୁପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ । ତେଣୁ ସେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ସ୍ପେଶାଲ ସ୍କ୍ୱାଡ ଓ ଖଣ୍ଡଗିରି ଥାନା ପୁଲିସ ହାତରେ ୪ ଦୁର୍ଦ୍ଦାନ୍ତ ଲୁଟେରା ଧରା ପଡ଼ିଥିଲେ । ଗଣେଶ ପୂର୍ତ୍ତି ଓ ତା’ ଗ୍ୟାଙ୍ଗ୍ର ଅନ୍ୟ ୩ ସହଯୋଗୀ ଗିରଫ ହୋଇଥିଲେ । ଗଣେଶକୁ ଜେରା ବେଳେ ସେ ସ୍ପେଶାଲ ସ୍କ୍ୱାଡ୍କୁ ତା’ ସହଯୋଗୀ ଇଟିଲି, ଶଙ୍କର ଓ ଅର୍ଜୁନଙ୍କ ବିଷୟରେ ସୂଚନା ଦେଇଥିଲା । ତେଣୁ ସ୍ପେଶାଲ୍ ସ୍କ୍ୱାଡ୍ ଟାର୍ଗେଟରେ ଥିଲେ ଉପରୋକ୍ତ ୩ ଲୁଟେରା । ଗତକାଲି ସ୍ପେଶାଲ୍ ସ୍କ୍ୱାଡ୍ ପୁଲିସ ଆଖଣ୍ଡଳମଣୀ ବସ୍ତିରେ ଚଢ଼ଉ କରି ଏହି ୩ ଜଣଙ୍କୁ ଉଠାଇ ନେଇଥିଲା । ଜେରାବେଳେ ସେମାନେ ସମୀର ରାୟଙ୍କ ଘରୁ ଚୋରି କରିଥିବା ମାନିଥିଲେ । ପୁଲିସ ସେମାନଙ୍କଠାରୁ ପ୍ରାୟ ୬ ଭରି ଓଜନର ସୁନା ଅଳଙ୍କାର, କିଛି ରୂପା ଅଳଙ୍କାର, ୪ଟି ଲାପ୍ଟପ, ଦାମୀ ଭିଡିଓ କ୍ୟାମେରା, ୨ଟି ଦାମୀ ମୋବାଇଲ୍ ଫୋନ୍ ଓ ଏକ ଚୋରା ବାଇକ୍ ଜବତ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons