
ଅନୁଗୋଳ: ଖାଦ୍ୟ ଅନ୍ଵେଷଣରେ ଆସି ହାତୀ କୂଅରେ ଖସି ପଡିଥିଲା। ଗଜରାଜଙ୍କୁ ଉଦ୍ଧାର ପାଇଁ ଜେସିବି ଜରିଆରେ ବନ ବିଭାଗ ଅଭିଯାନ ଚଳାଇଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ହାତୀଟିକୁ ଉଦ୍ଧାର କରାଯାଇଛି । ଏହି ଘଟଣା ଅନୁଗୁଳ ବାଲିଜେରେଙ୍ଗ ଗାଁର। ଅନୁଗୁଳର ବାଲିଜେରେଙ୍ଗ ଗାଁରେ ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ଵେଷଣରେ ଆସିଥିବା ଗୋଟିଏ ହାତୀ କୂଅରେ ପଡ଼ିଯାଇଥିଲା । ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ବାହାରିବା ଏକ ପ୍ରକାର ମୁସ୍କିଲ୍ ହୋଇ ଯାଇଥିଲା। ସକାଳେ ହାତୀ ଗର୍ଜନ ଶୁଣି ଗାଁ ଲୋକେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ ପାରିନଥିଲେ । ଏହା ପରେ ଗାଁ ଲୋକେ ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଜେସିବି ଆଣି କୁଅ ମୁହଁକୁ ଅଳ୍ପମାତ୍ରାରେ ଖୋଳି ରାସ୍ତା ନିର୍ମାଣ କରିଥିଲେ। ଏଥିସହ କୂଅରେ ଦମକଳ ବାହିନୀ ପାଣି ଭର୍ତ୍ତି କରିଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ହାତୀଟି ଉଦ୍ଧାର ହୋଇଥିଲା। ଅନୁଗୁଳ ପୁରୁଣାଗଡ଼ ସେକ୍ସନର ବାଲିଜେରେଙ୍ଗ ଅଞ୍ଚଳରେ ବେଶ କିଛି ଦିନ ହେଲା ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ଆଉ ଏଭଳି ଭାବେ ବିଭିନ୍ନ ଖାଲ କିମ୍ବା କୂଅରେ ପଡିଯାଉଛନ୍ତି । କେବଳ ଜଙ୍ଗଲୀ ହାତୀ ନୁହନ୍ତି ବାରାହ, ଭାଲୁ ଭଳି ଜଙ୍ଗଲୀ ଜନ୍ତୁ ବି ଖାଦ୍ୟ ଅନ୍ବେଷଣରେ ଆସି ଏମିତି ହଲ୍ଲାପଟା ହେଉଛନ୍ତି । ଜଙ୍ଗଲୀ ଜନ୍ତୁ ଜନବସତି ଆଡକୁ ମାଡି ଆସୁଥିବାରୁ ଲୋକଙ୍କୁ ବନ ବିଭାଗ ସଚେତନ କରାଉଛି।


Comments are closed, but trackbacks and pingbacks are open.