ରାୟଗଡ଼ା,(ବି.ବି.ନୁ୍ୟଜ୍): ବିପଦ ମୁହଁରେ ବାଉଁଶ ଜଙ୍ଗଲ । ୪ ବର୍ଷ ତଳେ ଗ୍ରିଗାରିଅସ ଫ୍ଲାୱାରିଂ ରୋଗ ଆସିବା ପରେ ଏହି ଜଙ୍ଗଲ ପ୍ରଭାବିତ ହୋଇଛି । ୨୦୧୫ ମସିହାରେ ସମଗ୍ର ଜିଲ୍ଲାରେ ୭୫୪୪.୬୧ ହେକ୍ଟର ଜମିରେ ବାଉଁଶ ଜଙ୍ଗଲ ରହିଥିଲା । ୪ ବର୍ଷ ମଧ୍ୟରେ ଏହା ୨୫ରୁ ୩୦ ପ୍ରତିଶତ ଲୋପ ପାଇ ପହଞ୍ଚିଛି ୫୭୩୧.୨୨ ହେକ୍ଟରରେ ।
ଏଠାକାର ବାଉଁଶ ଶାଳିଆ କିସମର । ଯାହାକି ଦେଶର ଉତ୍ତର-ପୂର୍ବ ରାଜ୍ୟ ପରେ ରାୟଗଡା ଓ ଗଞ୍ଜାମ ଜିଲ୍ଲାର ଘୁମସର ବନଖଣ୍ଡରେ ମିଳିଥାଏ । ଜିଲ୍ଲାର ରାୟଗଡା, ମୁନିଗୁଡା, ଟିକିରି, ଗୁଡାରୀ ଓ କଲ୍ୟାଣସିଂହପୁର ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ପ୍ରଚୁର ବାଉଁଶ ଗଛ ରହିଥିଲା । ହେଲେ ଗଛରେ ଫୁଲ ଧରିବା ପରଠୁ ଏହାର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗଛଗୁଡ଼ିକ ମଧ୍ୟ ଆଉ ବଢିପାରୁନି । ଫଳରେ ଏହା ଧ୍ୱଂସ ମୁଖକୁ ଚାଲିଯାଇଛି । ଗୋଟିଏ ପଟେ ନୂଆ ଜଙ୍ଗଲ ସୃଷ୍ଟି କରାଯାଉନି, ଅନ୍ୟପଟେ ପୁରୁଣା ଜଙ୍ଗଲର ସୁରକ୍ଷା କରାଯାଉନି । ଆଧୁନିକ ଉପାୟରେ ଏହାକୁ ସୁରକ୍ଷିତ ରଖିବା ଲାଗି କୌଣସି ଦୀର୍ଘମିଆଦି ଯୋଜନା ମଧ୍ୟ କରାଯାଉନି । ଫୁଲ ଧରି ଝଡିଯିବା ପରେ ବାଉଁଶ ବୁଦାଗୁଡ଼ିକୁ ଖୋସାଯାଇ ପାଣି ଓ ସାର ସମେତ କୀଟନାଶକ ପ୍ରୟୋଗ କରାଯାଇଥିଲେ ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଟାଇ ପାରିଥାନ୍ତା ବୋଲି ପରିବେଶବିତମାନେ କହିଛନ୍ତି । ବିଡମ୍ବନାର ବିଷୟ, ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲାନି ।
ବାଉଁଶ ଜଙ୍ଗଲ ଲୋପ ପାଉଥିବାରୁ ଅନ୍ୟ ବୃକ୍ଷଲତା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ବାଉଁଶ ଜଙ୍ଗଲ ସର୍ବଦା ଅନ୍ୟ ବୃକ୍ଷକୁ ସୁରକ୍ଷା ପ୍ରଦାନ କରିବା ସହ ଜଳ ସଂରକ୍ଷଣ କରିଥାଏ । ଏବେ ବାଉଁଶ ଜଙ୍ଗଲ ଉଜୁଡି ଯାଉଥିବାରୁ ମାଟିର ଜଳଧାରଣ କ୍ଷମତା କମିବାରେ ଲାଗିଛି । ଫୁଲ ଦ୍ୱାରା ପ୍ରଭାବିତ ହୋଇନଥିବା ବାଉଁଶ ବୁଦାରୁ ଚାରା ସଂଗ୍ରହ କରାଯାଇ ପୁନର୍ବାର ରୋପଣ କରାଯାଇଥିଲେ ଜଙ୍ଗଲ ନଷ୍ଟକୁ ରୋକାଯାଇ ପାରିଥାନ୍ତା । ବନ ବିଭାଗ ତାହା ବି କଲାନି । କେବଳ ବନ ସଂରକ୍ଷଣ ସମିତି ଗଠନ କରି ବିଭାଗ ନିଜ ଦାୟିତ୍ୱ ସାରି ଦେଇଛି । ବନ ସଂରକ୍ଷଣ ସମିତି ଇଚ୍ଛା ପ୍ରକଟ କଲେ ମଧ୍ୟ ବନ ବିଭାଗ ପ୍ରୋତ୍ସାହନ ଯୋଗାଉନି । ବିଭାଗ ରାସ୍ତା କଡରେ ପିସ୍ତା ବାଦାମ ଗଛ ଲଗାଇବା ପାଇଁ ଯେତିକି ସମୟ ଓ ଅର୍ଥ ବ୍ୟୟ କରୁଛି, ତାହା ବାଉଁଶ ସଂରକ୍ଷଣ ପାଇଁ କରାଯାଇଥିଲେ ଅନେକ ନୂତନ ଜଙ୍ଗଲ ସୃଷ୍ଟି ହୋଇପାରିଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.