ବରୀ,(ବି.ବି.ନ୍ୟୁଜ୍): ସ୍ୱାଧୀନତା ଦିବସ ଅବସରରେ ସାରା ଦେଶ ଉତ୍ସବ ମନାଉଥିଲା । ଗୋଟିଏ ପଟେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଅନ୍ୟପକ୍ଷରେ ବରୀରେ ଘଟିଛି ଏକ ଅମାନବୀୟ ଘଟଣା । ଜନୈକା ଚତୁର୍ଥ ଶ୍ରେଣୀ ଛାତ୍ରୀ ବଳାକ୍ରାରର ଶିକାର ହୋଇ ଏବେ ଡାକ୍ତରଖାନା ବେଡ୍ରେ ମରଣ ସହ ସଂଗ୍ରାମ କରୁଛି । କୁନ୍ଦୁଲି ନିଆଁ ରାଜ୍ୟରୁ ଲିଭିନଥିବା ବେଳେ ଏବେ ବରୀ ଅଂଚଳର ଏହି ଘଟଣା ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏପରି ଅମାନୁଷିକ କାଣ୍ଡ ଭିଆଇଛି ୪୮ବର୍ଷର ଜଣେ ଏଲ୍ଆଇସି ଏଜେଣ୍ଟ । ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ବରୀ ରାମଚନ୍ଦ୍ରପୁର ଥାନା ରତ୍ନଗିରି ପଞ୍ଚାୟତ ଅଲିଆବାଦ ଗ୍ରାମର ଆଦିକନ୍ଦ ଦାସଙ୍କ ପୁଅ ଦାମୋଦର ବୋଲି ଜଣାପଡ଼ିଛି ।
ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଲିଆବାଦ ଅଞ୍ଚଳର ଏହି ଛାତ୍ରୀଙ୍କ ଘର ନିକଟରେ ରହୁଥିଲା ଦାମୋଦର । ଗୁରୁବାର ଅପରାହ୍ଣ ପ୍ରାୟ ୫ଟାରେ ଛାତ୍ରୀଜଣକ ତାଙ୍କ ଘର ନିକଟରେ ବୁଲୁଥିଲା । ଏହି ସମୟରେ ଦାମୋଦର ତାକୁ ଚକୋଲେଟ୍ ଦେବାକୁ କହି ଘରକୁ ଡାକିଥିଲା । ନିରୀହ ନାବାଳିକାଜଣକ ଦାମୋଦରର ଚକ୍ରାନ୍ତ ବୁଝିନପାରି ଚକଲେଟ୍ ଖାଇବାକୁ ତା’ ଘରକୁ ଯାଇଥିଲା । ପରେ ଦାମୋଦର ଛାତ୍ରୀକୁ ବଳାକ୍ରାର କରିଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ଛାତ୍ରୀଜଣକ ତା’ କବଳରୁ ମୁକୁଳି ପାରିନଥିଲା । ଅନ୍ୟପଟେ ରାତି ହୋଇଯିବାରୁ ନାବାଳିକାର ମାଆ ପାଠ ପଢ଼ିବା ପାଇଁ ତାକୁ ଖୋଜି ଖୋଜି ଦାମୋଦର ଘରେ ପହଞ୍ଚିଥିଲେ । ସେଠାରେ ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେନି । ଅଚେତ୍ ଅବସ୍ଥାରେ ଝିଅ ଖଟ ଉପରେ ପଡ଼ିଥିଲା । ଦେହରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ସଙ୍ଗେ ସଙ୍ଗେ ତାକୁ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ବିଧାୟିକା ସୁନନ୍ଦା ଦାସ ମେଡିକାଲରେ ପହଞ୍ଚି ଛାତ୍ରୀକୁ ଭେଟିଥିଲେ । ଛାତ୍ରୀର ଚିକିତ୍ସା ନିମନ୍ତେ ବିଧାୟିକା କଟକ ଶିଶୁଭବନରେ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟାରେ ଛାତ୍ରୀକୁ କଟକ ସ୍ଥାନାନ୍ତର କରାଯାଇଛି ।
ପୀଡ଼ିତାର ମାଆ ଗତକାଲି ରାତିରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନଂ ୧୯୪/୧୯ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(କ, ଖ) ନାବାଳିକା ନିର୍ଯାତନା ନିରୋଧ ଆଇନ୍ ୬ବଳରେ ମାମଲା ରୁଜୁ କରି ଅଭିଯୁକ୍ତ ଦାମୋଦରକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଜାମିନ୍ ନାମଞ୍ଜର ହେବାରୁ ତାକୁ ଯାଜପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ଅଭିଯୁକ୍ତକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.