
ବାରିପଦା, (ବି.ବି.ନୁ୍ୟଜ): ବ୍ରାଉନ ସୁଗର କାରବାରର ପେଣ୍ଠସ୍ଥଳୀ ଭାବେ ବାରିପଦାର ଶୂନଗଡିଆ ଅଞ୍ଚଳ ରାଜ୍ୟରେ କୁଖ୍ୟାତି ଅର୍ଜନ କରିଥିବା ବେଳେ ଏଜୁକେଶନ ହବ କୁହାଯାଉଥିବା ତଖତପୁର ଅଞ୍ଚଳ ଏବେ ନିଶାକାରବାର ନୂଆ ଠିକଣା ପାଲଟିଛି । ପୂର୍ବରୁ ଅଳ୍ପ ଅଳ୍ପ ମାତ୍ରାରେ ବ୍ରାଉନ୍ ସୁଗର ଜବତ କରି ପୁଲିସ ଛୋଟମୋଟ କେଶ ରୁଜୁ କରୁଥିବା ବେଳେ ମଙ୍ଗଳବାର ୪୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ପରିମାଣର ବ୍ରାଉନ ସୁଗର ଜବତ କରି ଏକ ବଡ ସଫଳତା ହାସଲ କରିଛି । ପୁଲିସ ଏହି ମାମଲାରେ ରବରଗଳି ଭାବେ ପରିଚିତ ତଖତପୁରର କାଳୀମନ୍ଦିର ଗଳିରୁ ସ୍ୱର୍ଗତଃ ବିଦ୍ୟାଧର ପାଲଙ୍କ ପୁଅ ତଥା ବ୍ରାଉନ ସୁଗର କାରବାରର ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ପାଲ(୩୩)ଓରଫ ବଣିକୁ ଗିରଫ କରି ତା’ ବିରୋଧରେ ଟାଉନ ଥାନାରେ ୩୬୭ନଂ କେଶ ରୁଜୁ କରିବା ସହ ୨୧(ସି) ଅଫ ଏନଡିପିଏସ ଆକ୍ଟ ଲଗାଇଛି ।
ଜିଲ୍ଲାରୁ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଏସ୍ପି ପିସ୍ମିଥ ପରମାରଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନକୁ ମଙ୍ଗଳବାର ସଫଳ ରୂପ ଦେବାରେ ଚେଷ୍ଟା କରିଛନ୍ତି ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତି । ଦୀର୍ଘ ଦିନରୁ ଟାଉନଥାନା ଅଧିକାରୀ ଏହି ବ୍ରାଉନସୁଗର କାରବାରର ଚେର ଉପାଡିବାକୁ ଚେଷ୍ଟା ଜାରି ରଖି ଜାଲ ବିଛାଇଥିଲେ । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ମଙ୍ଗଳବାର ଦିନ ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଏକ ୧୦ଜଣିଆ ଟିମ୍ ଦେଢଟାରୁ ୨ଟା ମଧ୍ୟରେ ଗୋବିନ୍ଦଙ୍କ ଘରେ ଅତର୍କିତ ଭାବେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଅଭିଯୁକ୍ତ ଗୋବିନ୍ଦ ପାଲଙ୍କ ନିକଟରୁ ପୁଲିସ ୪୨୦ଗ୍ରାମ (ଜରିପ୍ୟାକେଟ ସହ) ଜରିପ୍ୟାକେଟ ବାଦ ୪୧୩ଗ୍ରାମ ବ୍ରାଉନ ସୁଗର ଧଳାଜହର ଜବତ କରିଥିଲା । ଏଥି ସହିତ ତା ନିକଟରୁ ନଗଦ ୩୪ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ପୁଲିସ ଜବତ କରିଛି । ଏହି ଚଢ଼ଉରେ ଏସଆଇ ମାନିନୀ ପ୍ରଧାନ ଓ ଏସଆଇ ରଞ୍ଜନ କୁମାର ବେହେରା ଉପସ୍ଥିତ ଥିବା ବେଳେ ଏହାର ତଦନ୍ତ ଭାର ରଞ୍ଜନ କୁମାର ବେହେରାଙ୍କ ଉପରେ ଥିବା ଜଣା ପଡିଛି । ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ ବୁଧବାର କୋର୍ଟ ଚାଲାଣ କରିବ ବୋଲି କହିଛି । ସଂଧ୍ୟାରେ ଜିଲ୍ଲାପୁଲିସ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଏସ ପିି ସ୍ମିଥ ପରମାର ସୂଚନା ଦେଇ କହିଛନ୍ତି ଯେ, ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଆନ୍ତଃରାଜ୍ୟ ନିଶା କାରବାରରେ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିବା ବେଳେ ଏହି ବ୍ରାଉନ ସୁଗର ଖଡଗପୁରରୁ ଆସିଥିବା ନେଇ ସୂଚନା ପାଇଛି । ତେବେ ଏହି ନିଶାକାରବାରର ଚେର କେଉଁଆଡେ ଯାଇଛି ସେ ନେଇ ପୁଲିସ ଅଧିକ ଖୋଳତାଡ କରୁଥିବା ବେଳେ ଜବତ ହୋଇଥିବା ଦୁଇଟି ମୋବାଇଲରୁ କାହା କାହା ପାଖକୁ ଫୋନ ଯାଇଛି ପୁଲିସ ତା ଉପରେ ଅଧିକ ନଜର ଦେଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଗିରଫ ଅଭିଯୁକ୍ତ ଗୋବିନ୍ଦ ଓରଫ ବଣି ବ୍ରାଉନ ସୁଗର କାରବାରରେ ଲିପ୍ତ ରହି ଧରାପଡି ଜେଲ ଯାଇ ଫେରିଛି । ତେବେ ଏତେ ପରିମାଣର ବ୍ରାଉନ ସୁଗର ଜବତ ଘଟଣା ଜିଲ୍ଲା ତଥା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହା କେବଳ ପଶ୍ଚିମବଙ୍ଗ ଲିଙ୍କ୍ ନା ବଙ୍ଗଳାଦେଶ ଲିଙ୍କ୍ ରହିଛି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ତେବେ ଜିଲ୍ଲାରେ ଅବକାରୀ ବିଭାଗ ରହିଥିବା ସତ୍ତେ୍ୱ ଅବାଧ ନିଶାକାରବାର ଉପରେ ରୋକ ଲଗାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଅବକାରୀ ବିଭାଗ ସଂପୂର୍ଣ୍ଣ ଶୋଇ ପଡିଥିବାରୁ ଏହି ବିଭାଗର କାର୍ଯ୍ୟଶୈଳୀ ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠୁଛି ।
Comments are closed, but trackbacks and pingbacks are open.