
କୋରାପୁଟ,(ସତ୍ୟ ନାରାୟଣଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ର ବାଙ୍ଗୁରପଡା ଗାଁରୁ ବାଲେଲ ଗାଁକୁ ଚାଲାଣ ବେଳେ ମାଛକୁଣ୍ଡ ପୁଲିସ୍ ହାତରେ ଧରାପଡିଛି ୪ କୁଇଣ୍ଟାଲ ଗଞ୍ଜେଇ । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଓ ମାଫିଆମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଚାଲାଣରେ ବ୍ୟବହୃତ ଏକ ନମ୍ବରବିହୀନ ଟ୍ରାକ୍ଟରକୁ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଲମତାପୁଟ ଓ ଜଲାପୁଟ ଫାଣ୍ଡି ପୁଲିସ୍ ବାଙ୍ଗୁରପଡା ନଦୀଘାଟ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବାଙ୍ଗୁରପଡା ପଟରୁ ଏକ ନମ୍ବରବିହୀନ ଟ୍ରାକ୍ଟର ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ସନେ୍ଦହରେ ଅଟକାଇବାକୁ ଉଦ୍ୟମ କରିଥିଲା । ପୁଲିସ୍କୁ ଦେଖି ଡ୍ରାଇଭର ଓ ମାଫିଆମାନେ ଗାଡ଼ି ବୁଲାଇ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଓ ଅନ୍ୟମାନେ ଗାଡି ଛାଡି ଫେରାର୍ ହୋଇଯାଇଥିଲେ । ଯାଞ୍ଚ ବେଳେ ଗାଡି ଡାଲାରେ ୧୪ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରି ପୁଲିସ୍ ଥାନାକୁ ଆଣିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜବତ ଗଞ୍ଜେଇ ବାଲେଲ୍ ଗାଁକୁ ନିଆଯାଇ ସେଠାରେ ସ୍ୱତନ୍ତ୍ର ପ୍ୟାକିଂ କରାଯାଇ ଚାଲାଣ ହୋଇଥାନ୍ତା ବୋଲି ପୁଲିସ କହିଛି ।


Comments are closed, but trackbacks and pingbacks are open.