୪ ବ୍ଲକରେ ୨୦ ପ୍ରତିଶତ ଗର୍ଭବତୀ ଆକ୍ରାନ୍ତ

Get real time updates directly on you device, subscribe now.

କୋରାପୁଟ: ଜିଲ୍ଲାରେ ସିକିଲସେଲ୍ ଓ ଥାଲାସିମିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବିଶେଷ କରି ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ଆଦି ୪ଟି ବ୍ଲକରେ ୨୦ ପ୍ରତିଶତ ଗର୍ଭବତୀ ସିକିଲସେଲ ଓ ଥାଲାସେମିଆରେ ଆକ୍ରାନ୍ତ ହୋଇଥିବା ବିଭାଗୀୟ ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି ।
କୋରାପୁଟ ଆର୍ସିଏଚ୍ ଡେପୁଟି ମ୍ୟାନେଜର କିଶୋର ଚନ୍ଦ୍ର ସାହୁ କହିଛନ୍ତି, ଜିଲ୍ଲାରେ ଏବେ ସିକିଲିସେଲ ଓ ଥାଲାସେମିଆ ପରୀକ୍ଷା କରାଯାଉଛି । ୧୪ଟି ବ୍ଲକ ପାଇଁ ୪ଟି ସ୍ଥାନରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ । ସେଥିମଧ୍ୟରୁ ଲକ୍ଷ୍ମୀପୁରରେ ଗତ ୫ମାସ ହେଲା ପରୀକ୍ଷା କେନ୍ଦ୍ର କରାଯାଇ ନମୁନା ପରୀକ୍ଷା କରାଯାଉଛି । କୁନ୍ଦୁଲି, ବୈପାରୀଗୁଡ଼ା ଓ ବୋରିଗୁମ୍ମାରେ ସିକିଲସେଲ ପରୀକ୍ଷା କେନ୍ଦ୍ର ଖୁବ୍ଶୀଘ୍ର କାର୍ଯ୍ୟକ୍ରମ ହେବ । ଆଜି କୋରାପୁଟ ଦକ୍ଷତାବୃଦ୍ଧି ତାଲିମ କେନ୍ଦ୍ରରେ ସିକିଲସେଲ୍ ରୋକିବା ପାଇଁ ଏକ ଦକ୍ଷତାବୃଦ୍ଧି ତାଲିମ ପ୍ରଦାନ କରଯାଇଛି । ଭୁବନେଶ୍ୱରରେ ତାଲିମ ଗ୍ରହଣ କରିଥିବା ମାଷ୍ଟର ଟ୍ରେନରଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି । ଯେଉଁମାନେ ଜିଲ୍ଲାରେ ନମୁନା ସଂଗ୍ରହରେ ସାମିଲ ହେବେ, ସେମାନଙ୍କୁ ଆଜି ତାଲିମ୍ ଦିଆଯାଇଛି । ବିଶେଷକରି ଜିଲ୍ଲାର ଗର୍ଭବତୀମାନଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । କେଉଁଭଳି ସାମ୍ପୁଲ ସଂଗ୍ରହ କରିବେ ଓ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବେ, ସେ ସଂପର୍କରେ ଟ୍ରେନିଂ ଦିଆଯାଇଛି ।
ଲକ୍ଷ୍ମୀପୁର ବ୍ଲକରେ ଗତ ୫ ମାସ ମଧ୍ୟରେ ୧୧୩୦ ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧୭ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି ନାରାୟଣପାଟଣ ବ୍ଲକରେ ୨୮୭ ଗର୍ଭବତୀଙ୍କ ନମୁନାରୁ ୩୧, ବନ୍ଧୁଗାଁ ବ୍ଲକରେ ୪୭୦ ଗର୍ଭବତୀଙ୍କ ନମୁନାରୁ ୫୫, ଦଶମନ୍ତପୁର ବ୍ଲକରେ ୧୦୮ ଗର୍ଭବତୀଙ୍କ ନମୁନାରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ରୋଗୀଙ୍କୁ କାଉନସେଲିଂ କରାଯାଇ ଔଷଧ ଦିଆଯାଉଛି । ଏହି ୪ଟି ବ୍ଲକରେ ୨୦ ପ୍ରତିଶତ ଗର୍ଭବତୀ ସିକିଲସେଲ ଓ ଥାଲାସେମିଆରେ ଆକ୍ରାନ୍ତ ହୋଇଥିବା ବିଭାଗୀୟ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।
ସୂଚନାଥାଉକି, ଜିଲ୍ଲାରେ ୨୦୧୫-୧୬ରେ ୪୮୫ ଜଣ ସିକିଲସେଲ ଓ ଥାଲାସେମିଆ ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୬-୧୭ରେ ଏହି ରୋଗୀସଂଖ୍ୟା ବଢ଼ି ୬୪୩ରେ ପହଞ୍ଚିଥିଲା । ଏହି ରୋଗୀଙ୍କ ଚିକିତ୍ସା ପାଇଁ ମାଗଣାରେ ରକ୍ତ ଓ ଚିକିତ୍ସା ସେବା କୋରାପୁଟରେ ପୂର୍ବରୁ ଯୋଗାଇ ଦିଆଯାଉଥିଲା । ଏବେ କୋଭିଡ଼ ପାଇଁ ରକ୍ତଦାନ ଶିବିର ସଂଖ୍ୟା କମିଛି । ଫଳରେ ସିକିଲସେଲ ରୋଗୀଙ୍କ ପାଇଁ ମାଗଣା ରକ୍ତର ଘୋର ଅଭାବ ଦେଖାଦେଇଛି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons