ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ୍ ୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଛି । ଏହି ଘଟଣାର ଜଡ଼ିତ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନେ ବ୍ୟବହାର କରୁଥିବା ହୁ୍ୟଣ୍ଡାଇ ଇଅନ୍ କାର୍ (ଓଡି-୦୫ଭି-୦୫୦୬)କୁ ଜବତ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଜୁଣେଇ ଗ୍ରାମର ଦିଲ୍ଲୀପ କାଣ୍ଡି(୩୨) ଓ କଟକର ବକ୍ସିବଜାର ଅନ୍ତର୍ଗତ ମକରବାଗ ଅଞ୍ଚଳର ସୁଜିତ୍ ମଶ୍ର୍ର(୪୩) । ସେମାନଙ୍କ ନିକଟରୁ ୪୦ ଗ୍ରାମ ଓଜନର ବ୍ରାଉନସୁଗର ସମେତ ୩ଟି ମୋବାଇଲ, ନଗଦ ୪ହଜାର ଟଙ୍କା ଜବତ ହୋଇଛି ।
ଶନିବାର ସନ୍ଧ୍ୟାରେ ସହଦେବଖୁଣ୍ଟା ପୁଲିସ୍ ଅରଡ଼ବଜାର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଅରଡ଼ବଜାରରୁ ୨ ଜଣ ଲୋକ କୋଣାର୍କକୁ ବ୍ରାଉନସୁଗର ନେଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ଆଇଆଇସି ପରେଶ ନାୟକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅରଡ଼ବଜାରରେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ପୁଲିସ୍କୁ ଦେଖିି ଦୁଇ ଅଭିଯୁକ୍ତ କାର୍ରେ ପଳାଇ ଯାଉଥିଲେ । ପୁଲିସ୍ ସେମାନଙ୍କୁ ପିଛା କରି ବାଲେଶ୍ୱର ସହର ଉପକଣ୍ଠ ଫୁଲାଡ଼ିର ହରିପୁର ଛକ ନିକଟରୁ ଧରିଥିଲା । ସହଦେବଖୁଣ୍ଟା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ତପନ କୁମାର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଘଟଣାରେ ଆଉ ଯେଉଁମାନେ ଜଡ଼ିତ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗରିଫ କରାଯିବ ବୋଲି ସେ କହିଛନ୍ତି ।
ଏନେଇ ୟୁ/ଏସ୍ ୨୧(ଖ) ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ ଥାନାରେ ନଂ ୨୬୦/୧୯ରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Comments are closed, but trackbacks and pingbacks are open.