୪-୨ ଗୋଲରେ ଆମେରିକାକୁ ହରାଇ ଜାପାନ ଜିତିଲା ବ୍ରୋଞ୍ଜ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଏଫ୍ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସର ବ୍ରୋଞ୍ଜ ପଦକ ମୁକାବିଲାରେ ଜାପାନ ବିଜୟୀ ହୋଇଛି । ଆଜି ଫାଇନାଲ୍ ପୂର୍ବରୁ ଖେଳାଯାଇଥିବା ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ମୁକାବିଲାରେ ଜାପାନ ୪-୨ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା ।
ସେମି ଫାଇନାଲ୍ ମୁକାବିଲାରେ ଗତକାଲି ଉଭୟ ଦଳ ପରାଜିତ ହୋଇଥିଲେ । ପ୍ରଥମ ସେମିରେ ଦକ୍ଷିଣ ଆଫ୍ରିକା ଠାରୁ ଆମେରିକା ଏବଂ ଦ୍ୱିତୀୟ ସେମିରେ ଭାରତ ଠାରୁ ଜାପାନ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରର ଆରମ୍ଭରୁ ହିଁ ଆମେରିକା ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ତେଣୁ ଦଳ ୧୦ମ ମିନିଟ୍ରେ ଗୋଲ ଖାତା ଖୋଲିଥିଲା । ଅକି କେପଲର ଏହି ଗୋଲଟି ସ୍କୋର କରିଥିଲେ ।
ଏହାର ଗୋଟିଏ ମିନିଟ୍ (୧୧ତମ ମିନିଟ୍, କାଜୁମା ମୁରାତା )ମଧ୍ୟରେ ଜାପାନ ଗୋଲ ପରିଶୋଧ କରି ସ୍ଥିତି ୧-୧ କରିଥିଲା । ପୁଣି ଜାପାନ ଦ୍ୱିତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ସ୍କୋର କରି ୨-୧ରେ ଅଗ୍ରଣୀ ହାସଲ କରିଥିଲା । ୟୋସିକି କିରିସିତା ୨୫ତମ ମିନିଟ୍ରେ ଏହି ଗୋଲ୍ଟି ସ୍କୋର କରିବାରେ ସଫଳ ହୋଇଥିଲେ ।
ଦ୍ୱିତୀୟାର୍ଦ୍ଧ ଖେଳ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆମେରିକା ଖେଳାଳି ଜୋରଦାର ପ୍ରୟାସ କରିଥିଲେ, ହେଲେ ସଫଳ ହୋଇ ପାରି ନଥିଲେ । ଜାପାନ ମଧ୍ୟ ପ୍ରତି ଆକ୍ରମଣ କରିଥିଲା । ତୃତୀୟ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ପୂର୍ବଭଳି ଜାପାନ ୨-୧ ଗୋଲରେ ଆଗୁଆ ରହିଥିଲା ।
ଚତୁର୍ଥ କ୍ୱାର୍ଟର ପ୍ରାରମ୍ଭରୁ ମଧ୍ୟ ଖେଳ ପୂର୍ବଭଳି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିଥିଲା । ମାତ୍ର ଶେଷ ୨ ମିନିଟ୍ରେ ଖେଳର ମୋଡ଼ ସଂପୂର୍ଣ୍ଣ ବଦଳି ଯାଇଥିଲା । ୫୯ତମ ମିନିଟ୍ରେ ଅକି ବ୍ୟକ୍ତିଗତ ଡବଲ୍ ଗୋଲ୍ ସ୍କୋର କରି ଜାପାନା ସହ ସ୍ଥିତି ୨-୨ କରିଥିଲେ । ହେଲେ ଅନ୍ତିମ ମିନିଟ୍ରେ ଜାପାନା ଡବଲ୍ ଗୋଲ ଦେଇ ମ୍ୟାଚ୍ ଜିତି ନେଇଥିଲା । କେଣ୍ଟା ତନାକା ମାତ୍ର ୬୦ ସେକେଣ୍ଡ ମଧ୍ୟରେ ୨ଟି ଗୋଲ ସ୍କୋର କରି ବିରଳ ରେକର୍ଡର ଅଧିକାରୀ ହୋଇଥିଲେ । ଶେଷରେ ୪-୨ ଗୋଲରେ ଜାପାନ ବିଜୟ ଲାଭ କରିଥିଲା । କିନ୍ତୁ ଆମେରିକାର ଖେଳ ଦର୍ଶକଙ୍କ ହୃଦୟ ଜିତିଥିଲା ।
ଫାଇନାଲରେ ପ୍ରବେଶ କରି ଦକ୍ଷିଣ ଆଫ୍ରିକା ଓ ଭାରତ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ଚାମ୍ପିଅନ ଓ ରନର୍ସଅପ୍ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟକୁ ଉନ୍ନୀତ ହେବେ । ତୃତୀୟ ସ୍ଥାନରେ ଥିବା ଦଳ ଯୋଗ୍ୟତା ହାସଲ କରିପାରିବ ନାହିଁ । ମାତ୍ର ପୂର୍ବରୁ ଜାପାନ ଗତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ସିଧାସଳଖ ଅଲିମ୍ପିକ୍ସ ଟିକେଟ୍ ହାସଲ କରି ସାରିଛି । ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଦଳ ପାଇଁ ସେତେଟା ଗୁରୁତ୍ୱ ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons