
ନୂଆଦିଲ୍ଲୀ: ଦେଶରେ ୫ଜି ନେଟ୍ୱର୍କ ସ୍ଥାପନ ପାଇଁ ସରକାର ଏବେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରୀକ୍ଷାମୂଳକ ଭାବେ ୫ଜି ସେବା କିଭଳି ଆରମ୍ଭ ହେବ, ସେଥିପାଇଁ ବିଭିନ୍ନ କମ୍ପାନି ସହ ଜୋରଦାର ଆଲୋଚନା ଚାଲିଛି । କୁହାଯାଉଛି ଯେ ୫ଜି ନେଟ୍ୱର୍କ ସ୍ଥାପନ ପାଇଁ ଚୀନ୍ର ହୁୱେଇ ଆଗୁଆ ରହିଛି ।
ହୁୱେଇ ଚୀନ୍ କମ୍ପାନି ହୋଇଥିବାରୁ ସରକାର ନିରାପତ୍ତା ପ୍ରସଙ୍ଗକୁ ନେଇ ଚିନ୍ତିତ ଅଛନ୍ତି । ଆମେରିକାର ଟ୍ରମ୍ପ୍ ପ୍ରଶାସନ ମଧ୍ୟ ହୁୱେଇ ଟେକ୍ନୋଲୋଜି ବ୍ୟବହାର ଉପରେ କଟକଣା ଲଗାଇଛି । ଏହାର ଟେକ୍ନୋଲୋଜିକୁ ଗ୍ରହଣ ନକରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସମେତ ବିଭିନ୍ନ ଦେଶକୁ ପରାମର୍ଶ ଦେଇଛନ୍ତି । ତେବେ ଭାରତରେ ୫ଜି ଟେକ୍ନୋଲୋଜି ଯୋଗାଣ ପାଇଁ ଯଦି ହୁୱେଇକୁ ବାରଣ କରାଯାଏ, ତା’ହେଲେ କିଏ ଏହି କାମ କରିବ, ତାହାକୁ ନେଇ ଟେଲିକମ୍ କମ୍ପାନିଗୁଡ଼ିକ ଚିନ୍ତାରେ ରହିଛନ୍ତି ।
ହୁୱେଇକୁ ସୁଯୋଗ ଦେବା ନେଇ ସରକାର ଦ୍ୱନ୍ଦ୍ୱରେ ଥିବା ବେଳେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି ନୋକିଆ ଓ ଏରିକ୍ସନ୍ । ସୂଚନା ମୁତାବକ ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍ ଭଳି ପ୍ରମୁଖ ସଂସ୍ଥାଗୁଡ଼ିକ ସହ ଏବେ ଏରିକ୍ସନ୍ ଏବଂ ନୋକିଆ କଥାବାର୍ତ୍ତା ଆରମ୍ଭ କରିଦେଇଛନ୍ତି । ସେମାନେ ଦ୍ରୁତ ୫ଜି ନେଟ୍ୱର୍କ ଯୋଗାଇବାରେ ସମର୍ଥ ଏବଂ ଉନ୍ନତ ଟେକ୍ନୋଲୋଜି ଯୋଗାଇ ପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ହୁୱେଇ ପାଇଁ ଯଦି ଦ୍ୱାର ବନ୍ଦ ହୋଇଯାଏ, ତେବେ ଉଭୟ ଏରିକ୍ସନ୍ ଏବଂ ନୋକିଆ ପାଇଁ ବିପୁଳ ରାଜସ୍ୱ ଆୟ ସୁଯୋଗ ସୃଷ୍ଟି ହେବ । ଅନ୍ୟପକ୍ଷରେ ଉଭୟ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଏ ବାବଦରେ ସାମ୍ସଙ୍ଗ ସହ ଆଲୋଚନା କରୁଥିବା ସୂଚନା ମିଳିଛି । ବର୍ତ୍ତମାନ ରିଲାଏନ୍ସ ଜିଓ ଇନ୍ଫୋକମ୍କୁ କେବଳ ସାମ୍ସଙ୍ଗ ଟେକ୍ନୋଲୋଜି ଯୋଗାଉଛି । କିନ୍ତୁ ଭାରତରେ ହୁୱେଇ, ଏରିକ୍ସନ ଓ ନୋକିଆ ହେଉଛି ୩ଟି ବୃହତ୍ ନେଟ୍ୱର୍କ ଭେଣ୍ଡର ।
Comments are closed, but trackbacks and pingbacks are open.