
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଏକ କୋଇଲା ବୋଝେଇ ଟ୍ରକ୍ରେ ଅଭିନବ ଢ଼ଙ୍ଗରେ ବିହାରକୁ ଚାଲାଣ ବେଳେ ପୁଲିସ ବିପୁଳ ଗଞ୍ଜେଇ ଜବତ କରିଛି । ଆନ୍ଧ୍ର ସୀମାନ୍ତ ମଚିମପୁଟରୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏହି କାରବାରରେ ସମ୍ପୃକ୍ତ ଜଣେ ଡାକ୍ତରୀ ଛାତ୍ରଙ୍କ ସହ ୪ଜଣଙ୍କୁ ସେମିଲିଗୁଡ଼ା ପୁଲିସ ଗିରଫ କରିଛି । ସେମାନଙ୍କ ପାଖରୁ ଏକ ସ୍କର୍ପିଓ ଗାଡି ଓ କୋଇଲା ବୋଝେଇ ଟ୍ରକ ସହ ୧୦ କୁ୍ୟଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗିରଫମାନେ ହେଲେ ବିହାରର ଅନିକେତ ସିଂ, ଶଶୀଶେଖର ସିଂ, ପ୍ରାଶାନ୍ତ ରାୟ ଓ ସୁନୀଲ ଯାଦାବ । ଅନିକେତ ଜଣେ ଡ଼ାକ୍ତରୀ ଛାତ୍ର ହୋଇଥିବା ବେଳେ ଗଞ୍ଜେଇ ଚାଲଣରେ ସେ ତାଙ୍କ ଟ୍ରକ୍ ଓ ସ୍କର୍ପିଓକୁ ବ୍ୟବହାର କରି ଆସୁଥିବା ପୁଲିସ କହିଛି ।
ଆଇଆଇସି କ୍ଷୀରେଶ୍ୱର ସାହୁ କହିଛନ୍ତି, ଆଜି ସକାଳେ ଲକଡ଼ାଉନ୍ ପାଇଁ ସେମିଲିଗୁଡ଼ା ଅଞ୍ଚଳରେ ତାଙ୍କ ତତ୍ତ୍ୱାବଧାନରେ ପୁଲିସ ଟିମ୍ ଯାନବାହାନ ଯାଞ୍ଚ ଜାରି ରଖିଥିଲା । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ କରାଯାଉଥିଲା । ବିଶେଷକରି ଅମାନିଆଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା । ଯାଞ୍ଚ ପ୍ରକ୍ରିୟାରେ ଫସିଯାଇଥିଲେ ଗଞ୍ଜେଇ ମାଫିଆ । ଏଏସଆଇ ଏସ.ଏଚ.ବିଶୋଇ, ହାବିଳଦାର ଏମ୍.କେ. ବାଘ, କନେଷ୍ଟବଳ ମଧୁସୂଦନ ମୁଦୁଲି ପ୍ରମୁଖ ଖାରାଗୁଡ଼ା ଛକ ନିକଟରେ ଉଭୟ ଟ୍ରକ୍ ଓ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ପରେ କୋଇଲା ଟ୍ରକରେ ବିପୁଳ ଗଞ୍ଜେଇ ଥିବା ଜଣାପଡ଼ିଥିଲା । କୋଇଲାଗୁଣ୍ଡ ଭିତରେ ପ୍ୟାକେଟ କରାଯାଇ ଗଞ୍ଜେଇ ରଖାଯାଇଥିଲା । ମାଜିଷ୍ଟେ୍ରଟ ତଥା ସେମିଳିଗୁଡ଼ା ଅତିରିକ୍ତ ତହସିଲଦାର ଦେବବ୍ରତ କରାଟିଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ମାଫିଆମାନେ ଏହି ଗଞ୍ଜେଇକୁ ବିହାରକୁ ନେଉଥିବା ଜେରାବେଳେ ସ୍ୱୀକାର କରିଥିବା ପୁଲିସ କହିଛି । ଏନେଇ ଥାନାରେ ୫୪/୨୧ରେ ଏକ ମାମଲା ରୁଜୁ କରାଯାଇ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି । କୋଭିଡ଼ ସମୟରେ ମାଲ ପରିବହନ ଉପରେ କଟକଣା ସାମାନ୍ୟ କୋହଳ ଥିବାରୁ ମାଫିଆମାନେ ଗଞ୍ଜେଇ ଚାଲଣ ପାଇଁ ସକ୍ରିୟ ହୋଇଛନ୍ତି । ସୂଚନା ଥାଉକି ଏହାପୂର୍ବରୁ ସେମିଲିିଗୁଡ଼ା ପୁଲିସ ମେ ୫ ତାରିଖରେ ଏକ କାର ସହ ୧୨୫ କେଜି ଗଞ୍ଜେଇ ଜବତ କରି ୨ଜଣଙ୍କୁ ଗିରଫ କରିଥିଲା ।


Comments are closed, but trackbacks and pingbacks are open.