ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଗଞ୍ଜାମ ଗଜପତି ସୀମାବର୍ତ୍ତୀ ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ଭୋର୍ ପ୍ରାୟ ୩ଟାରେ ଘାଟିରାସ୍ତାରୁ ୫୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ୍ (ଓଆର୍୦୫ଏବି-୩୫୩୦) ମାରୁତି ଶ୍ରୀସାଇ । ବସ୍ ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିଲା । ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ୮ ଜଣଙ୍କ ମୃତୁ୍ୟ ହୋଇଛି । ଆହୁରି ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ । ସମସ୍ତ ଆହତ ଯାତ୍ରୀ ଦିଗପହଣ୍ଡି ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଜଣେ ଭୁବନେଶ୍ୱର ଘରୋଇ ହସପିଟାଲ୍କୁ ସ୍ଥାନାନ୍ତର ହୋଇଛନ୍ତି । ମୃତକମାନେ ହେଲେ ରାୟଗଡ଼ା ଜେକେପୁରର ବିଦୁ୍ୟତ୍ ନାୟକ(୪୦), ଚମାଖଣ୍ଡି ଥାନା ଅନ୍ତର୍ଗତ ପୁଟବଗଡ଼ ଗ୍ରାମର ଝୁନୁ ବେହେରା (୪୨), କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆସରା ଗ୍ରାମର କରିସ୍ମା ନାୟକ(୨୫), ଦିଗପହଣ୍ଡି ଥାନା ଅନ୍ତର୍ଗତ କରପଡ଼ା ଗ୍ରାମର ସୁବାସିନୀ ମହାରଣା( ୫୦), ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କାଶଳାପଲ୍ଲୀ ଗ୍ରାମର ରମେଶ ବେହେରା(୪୨), ବ୍ରହ୍ମପୁର ପାଣ୍ଡବ ନଗରର ଦୁର୍ଘଟଣାଗ୍ରସ୍ତ ବସ୍ ଡ୍ରାଇଭର ସୁନିଲ ନାୟକ(୨୬), ରାୟଗଡ଼ାର ସଂଘମିତ୍ରା ମହାପାତ୍ର( ୫୦) ଓ ତାଙ୍କ ଝିଅ ଅନ୍ୱେଷା ମହାପାତ୍ର (୧୨) । ଘନ କୁହୁଡ଼ି ସହ ବ୍ରେକ୍ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ପ୍ରତ୍ୟେକ ମୃତକ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ପ୍ରକାଶ କରି ଘଟଣାର ତଦନ୍ତ ହେବ ବୋଲି କହ÷ିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ସେ ସମବେଦନା ଜଣାଇଛନ୍ତି । ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କୁ ଧୈର୍ଯ୍ୟ ଧରିବାକୁ ସାହସ ଦିଅନ୍ତୁ ବୋଲି ସେ କହିଛନ୍ତି ।
ରାତି ପ୍ରାୟ ୩ଟା । ସମସ୍ତ ବସ୍ ଯାତ୍ରୀ ଘୁମାଉ ଥିଲେ । ରାୟଗଡ଼ା ଟିକିରିରୁ ବ୍ରହ୍ମପୁର ଅଭିମୁଖେ ବାହରୁଥିଲା ଯାତ୍ରୀବାହୀ ବସ୍ (ଓଆର୍୦୫ଏବି-୩୫୩୦) ମାରୁତି ଶ୍ରୀସାଇ । ବସ୍ରେ ଥିଲେ ପ୍ରାୟ ୫୦ ଯାତ୍ରୀ । ଘାଟି ରାସ୍ତା ପୂର୍ବରୁ ଗଜପତି ଜିଲ୍ଲା ଲୁହାଗୁଡ଼ିରେ ଶେଷ ରହଣି । କେତେକ ବସ୍ ଯାତ୍ରୀ ଢାବାରେ ଚାହା ପିଇଥିଲେ । ବସ୍ ଡ୍ରାଇଭର୍ ଓ କଣ୍ଡକ୍ଟର ମଧ୍ୟ ଚାହା ପିଇଥିଲେ । ସେତେବେଳକୁ ବସ୍ରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଠଉରାଇଥିଲେ ଡ୍ରାଇଭର୍ ।

ବ୍ରେକ୍ ଠିକ୍ କାମ କରୁନଥିବା ଅନୁମାନ କରିଥିଲେ । କିନ୍ତୁ ଦିଗପହଣ୍ଡି ପହଞ୍ଚିବା ପରେ ମରାମତି କରିବେ ବୋଲି ଚିନ୍ତା କରି ଆଗକୁ ଯାତ୍ରା କରିଥିଲେ । ସେତେବେଳକୁ ଘାଟି ରାସ୍ତାରେ ଥିଲା ଘନ କୁହୁଡ଼ି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ହର୍ଣ୍ଣ ବଜାଇ ରାସ୍ତା ପାର ହେବାକୁ ଚେଷ୍ଟା କରିଥିଲେ ଡ୍ରାଇଭର୍ । କିନ୍ତୁ ନିୟତିର ନିଦେ୍ର୍ଧଶ ଅଲଗା । କେହି କିଛି ଭାବିବା ପୂର୍ବରୁ ତପ୍ତପାଣି ଘାଟି ପାଳୁଖଳା ନିକଟରେ ରାସ୍ତା କଡ଼ ଘାଟି ତଳକୁ ଓଲଟି ପଡ଼ିଥିଲା ବସ୍ । ଭୀଷଣ ଶଦ୍ଧ କରି ବସ୍ ଖସିବା ପରେ ଅନ୍ଧାର ଭିତରୁ ଶୁଭୁଥିଲା ଆର୍ତ୍ତ ଚିକ୍ରାର ।
ଏହାର କିଛି ସମୟ ପରେ ପଛରୁ ଆସୁଥିଲା ଏକ ସରକାରୀ ବସ୍ । ଡ୍ରାଇଭର୍ ବସ୍ ଅଟାକାଇ କେତେକ ଯାତ୍ରୀଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ୧୦ ଜଣ ଆହତଙ୍କୁ ନେଇ ସେ ଦିଗପହଣ୍ଡି ଡାକ୍ତରଖାନାରେ ପହଞ୍ଚିଥିଲେ । ଦୁଇ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକକ୍ତରଖାନା ନେଇଥିଲେ । ଘଟଣାସ୍ଥଳରେ ଦୃଶ୍ୟ ଥିଲା ହୃଦୟବିଦାରକ । ଅଗ୍ନିଶମ କର୍ମଚାରୀ ବସ୍ ଗ୍ରୀଲ୍ କଟର୍ ସାହାଯ୍ୟରେ କାଟି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଘଟଣାର କିଛି ସମୟ ପରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ମଧ୍ୟ ରାତ୍ରିର ଅନ୍ଧକାର ଯୋଗୁଁ ତୁରନ୍ତ ଅପରେସନ୍ ହୋଇ ପାରିନଥିଲା । ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଜଣେ ମହିଳା ଯାତ୍ରୀ ବସ୍ ଭିତରେ ଚାପି ହୋଇ ରହିଥିଲେ । ତାଙ୍କୁ ବଞ୍ଚାଇବାକୁ ହାତଠାରି ଚିକ୍ରାର କରୁଥିବା ଦେଖିବାକୁ ମିଳିଥିଲା । ସମସ୍ତ ମୃତାହତଙ୍କୁ ଉଦ୍ଧାର ପରେ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଉ ୪ ଜଣଙ୍କ ମୃତୁ୍ୟ ହୋଇଥିବା ଖବର ମିଳିଛି ।

ଦୁର୍ଘଟଣାଗ୍ରସ୍ତ ବସ୍ରେ ଯାତ୍ରା କରୁଥିବା ସମ୍ପର୍କୀୟ ଓ ପରିବାର ଲୋକ ଖବର ପାଇ ଘଟଣାସ୍ଥଳକୁ ଦୌଡ଼ିଥିଲେ । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା । ଚିକିତ୍ସା ନିମନ୍ତେ ତ୍ୱରିତ୍ ବେଗରେ ଡାକ୍ତରଖାନା ପଠାଇବା ବ୍ୟବସ୍ଥା ହେଉ ନଥିôବା ଅଭିଯୋଗ ହୋଇଥିଲା । କ୍ରେନ୍ ସାହାଯ୍ୟରେ ବସ୍କୁ ଉପରକୁ ଉଠାଯାଇଛି ।
ଦିଗପହଣ୍ଡି ଥାନା, ମୋହନା ଥାନା ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ୫ ଆମ୍ବୁୁଲାନ୍ସ ସମେତ ମୋହନା, ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ୩୫ରୁ ଉଦ୍ଧ୍ୱର୍ ଆହତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସାରେ ଅବହେଳା ଅଭିଯୋଗରେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସୁପ୍ରଭା ସାହୁଙ୍କୁ ଉତ୍ତ୍ୟକ୍ତ ଲୋକ ଘେରାଉ କରିଥିଲେ । ଏଭଳି ପରିସ୍ଥିତିରେ ଡାକ୍ତରଖାନାରେ ଡାକ୍ତର ରହୁନଥିବା ଯୋଗୁଁ ହୋହଲ୍ଲା କରିଥିଲେ । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ, ଏସ୍ପି ବ୍ରିଜେଶ କୁମାର ରାୟ, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଦିଗପହଣ୍ଡି ବିଡିଓ ହଳଧର ଶବର, ତହସିଲଦାର ଅଦୈତ କୁମାର ସ୍ୱାଇଁ, ଅତିରିକ୍ତ ତହସିଲଦାର ପ୍ରଭାତୀ ମହାରଣା, ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ, ପାଟପୁର ଆଇଆଇସି ଅଜୟ କୁମାର ବାରିକ, ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାଏକ ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ସ୍ୱାଭାବିକ କରିଥିଲେ । ବ୍ରହ୍ମପୁର ଗୌତମ ନଗରର ଅବନୀକାନ୍ତ ମିଶ୍ରଙ୍କ ଏତଲା ଆଧାରରେ ପାଟପୁର ଥାନା କେସ୍ ନଂ ୧୫/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ସୂଚନାଯୋଗ୍ୟ ଯେ ଗତମାସ ୨୩ ତାରିଖରେ ତପ୍ତପାଣି ଘାଟିରେ ପିକ୍ନିକ୍ ବସ୍ ଓଲଟି ୩୦ରୁ ଊଦ୍ଧ୍ୱର୍ କଲେଜ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମ୍ସିଏ ଛାତ୍ରଛାତ୍ରୀ ପିକ୍ନିକ୍ରେ ଗଜପତି ଆସି ଫେରୁଥିବାବେଳେ ଗଜପତି ସୀମା ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ସନ୍ଧ୍ୟା ପ୍ରାୟ ୮ଟାରେ ଦୁର୍ଘଟଣା ଘଟିଥିଲା । ଘାଟି ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।
Comments are closed, but trackbacks and pingbacks are open.