ଆସିକା, (ବି.ବି.ନ୍ୟୁଜ୍): ଦୀର୍ଘ ୫୦ ବର୍ଷ ପରେ ଭିଟାମାଟିକୁ ଫେରିଛନ୍ତି ଆସିକାର ବଙ୍ଗାଳି ନାଇକ । ସେ ରାଜସ୍ଥାନରେ ରହୁଥିଲେ । ତେବେ ସେ ସେଠାକୁ କେମିତି ଓ କାହିଁକି ଗଲେ ସେ ସମ୍ପର୍କରେ କିଛି କହି ପାରୁନାହାନ୍ତି । ଘର ବାହୁଡ଼ା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି । ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମ ହରିଜନ ସାହିର ବଙ୍ଗାଳି ନାଇକ ୫୦ ବର୍ଷ ହେଲା ନିଖୋଜ ଥିଲେ । ତାଙ୍କୁ ପରିବାର ଲୋକ ବେଶ୍ ଖୋଜାଖୋଜି କରିଥିଲେ ହେଁ କୌଣସି ଖୋଜଖବର ପାଇ ପାରି ନଥିଲେ । ତେବେ କୌଣସିମତେ ରାଜସ୍ଥାନର ବିକାନିର ଅଞ୍ଚଳରେ ପହଞ୍ଚିଥିଲେ ବଙ୍ଗାଳି । ସେଠାରେ ଏଯାବତ୍ ରହି ଆସିଥିôଲେ ଆସିକାର ଏହି ବୃଦ୍ଧଜଣକ । ତେବେ ବଙ୍ଗାଳିଙ୍କ ପତ୍ତା ମିଳିବା ପରେ ତଥା ତାଙ୍କ ପରିଚୟ ସ୍ପଷ୍ଟ ହେବା ପରେ ବିକାନିରର ଏକ ବୃଦ୍ଧାଶ୍ରମ ‘ଆପନା ଘର’ ମ୍ୟାନେଜର ଜ୍ଞାନ ସିଂ ପୁଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ଅଜିତ୍ କୁମାର ଚୌଧୁରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବଙ୍ଗାଳିଙ୍କୁ ତାଙ୍କ ଭାଇ ପଙ୍କଜଙ୍କ ଜିମା ଦିଆଯାଇ ଥିଲା । ପଙ୍କଜ ମଧ୍ୟ ବଡ଼ ଭାଇକୁ ପାଇ ଆନନ୍ଦିତ ହୋଇଥିଲେ । ବଙ୍ଗାଳି ଅବିବାହିତ, ତାଙ୍କୁ ବର୍ତ୍ତମାନ ୬୮ ବର୍ଷ । ତାଙ୍କୁ ରୋଗାଗ୍ରସ୍ତ ଓ ଚାଲି ପାରୁ ନଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ବୃଦ୍ଧାଶ୍ରମ ଲୋକ । ପ୍ରାୟ ୬ ବର୍ଷ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘର ଠିକଣା ଜଣାଇଥିଲେ ସେ । ଗତ ଅଗଷ୍ଟ ୬ରେ ବଙ୍ଗାଳି ନିଜ ପରିଚୟ ଜାଣିବା ପରେ ମ୍ୟାନେଜର ଜ୍ଞାନ ସିଂ ସ୍ଥାନୀୟ ପୁଲିସ ସହାୟତା ମାଗି ତାଙ୍କୁ ଏଠାରେ ପହଞ୍ଚାଇଛନ୍ତି ।
Comments are closed, but trackbacks and pingbacks are open.