୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଜଲାପୁଟରୁ ବିହାର ଚାଲାଣ ବେଳେ ଜବତ ହୋଇଛି ୯ କୁଇଣ୍ଟାଲ ୩୭ କେଜି ୨୦୦ ଗ୍ରାମ୍ ଗଞ୍ଜେଇ । ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଟ୍ରକ୍କୁ ପାସିଂ କରୁଥିବା ଅଭିଯୋଗରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଲମତାପୁଟ ବ୍ଲକ ଜଲାପୁଟର ସୁଦର୍ଶନ ପାଣିଗ୍ରାହୀ(୨୮), ସୁରୁମିର ରଞ୍ଜନ ଗଡଙ୍ଗା(୨୩), ଗୋପିନାଥ ନିରିକା(୨୩) ଏବଂ ସେମିଳିଗୁଡାର ଚନ୍ଦ୍ରଶେଖର ଖରା(୩୦) । ସେମାନଙ୍କ ପାଖରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା, ଗୋଟିଏ ଟ୍ରକ, ଗୋଟିଏ କାର୍ ଏବଂ ୭ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ଗିରଫ ଗୋପିନାଥ ଉମୁରୀ ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଜି. ବରୁଣ ।
ପୁଲିସ ସୂଚନା ଅନୁଯାୟୀ, ଗତ ୯ ତାରିଖ ପୂର୍ବାହ୍ନ ୧୧ଟାରେ ଏକ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଖବର ମିଳିଥିଲା । ଏହାପରେ ଏସ୍ଆଇ ନବୀନ କୁମାର ଟପୋ, ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ ଏବଂ ଅନ୍ୟ କର୍ମଚାରୀଙ୍କୁ ଧରି ଓଆଇସି ଶ୍ରୀ ମହାକୁଡ଼ ପାତ୍ରପୁଟ ବ୍ରିଜ୍ ନିକଟରେ ଲୁଚି ରହିଥିଲେ । ଟ୍ରକ୍ ନମ୍ବର(ଡବ୍ଲୁ୍ୟବି୦୨ ଜି-୬୭୩୨) ଏବଂ କାର୍(ଓଡି-୩୩ ଡବ୍ଲୁ୍ୟ-୩୬୯୦) ଲମତାପୁଟ ପଟୁ ଜୟପୁର ଅଭିମୁଖେ ଆସୁଥିଲା । ଉଭୟ ଗାଡିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା । ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । କାର୍ ଏବଂ ଟ୍ରକରେ ୪ଜଣ ଉପସ୍ଥିତ ଥିଲେ । ଯାଞ୍ଚ ବେଳେ ୧୮୧ ପ୍ୟାକେଟ୍ ଗଞ୍ଜେଇ ସହ କାର୍ରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ଧରାପଡିଥିଲା । କାର୍ଟି ଏସ୍କର୍ଟ ଭ୍ୟାନ୍ର କାମ କରୁଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ । ଜଲାପୁଟରୁ ଜୟପୁର ଥାନା ଅଞ୍ଚଳ ପାର୍ କରି ଗଞ୍ଜେଇ ଟ୍ରକକୁ ଡ୍ରାଇଭର ପାଖରେ ପହଞ୍ଚାଇବା ଲାଗି ୩ ଲକ୍ଷ ଟଙ୍କା ମିଳିଥିବା ଅଭିଯୁକ୍ତମାନେ କହିଥିଲେ । ସେଠାରୁ ଟ୍ରକ୍ ବିହାର ଯାଇଥାନ୍ତା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ଗିରଫ ସୁଦର୍ଶନର ବ୍ୟାଙ୍କ ଖାତାରେ ୧୮ ଲକ୍ଷ ଟଙ୍କା ଜମାଥିବା ଜଣାପଡିଛି । ସେ କହିଛି, ଖାତାରେ ଥିବା ଟଙ୍କା ଚାଷ କାମରୁ ମିିଳିଛି । ୟୁକାଲିପଟାସ ଏବଂ ଅଦା ବିକ୍ରି କରି ଏହି ଟଙ୍କା ସେ ପାଇଛି । ଏ ସମ୍ପର୍କରେ ଏସ୍ଡିପିଓ ଶ୍ରୀ ବରୁଣ କହିଛନ୍ତି, ଏହାର ତଦନ୍ତ ଜାରି ରହିଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛି କହିହେବ ନାହିଁ । ଏସ୍ଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବରୁଣଙ୍କ ସହ ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଗତ ୨୦ ଦିନ ଭିତରେ ସଦର ପୁଲିସ ୫ଟି ଗଞ୍ଜେଇ ମାମଲା ରୁଜୁ କରିଛି । ମୋଟ ୪ ହଜାର ୭୦୦ କେଜି ଗଞ୍ଜେଇ ଜବତ କରିଛି । କାରବାରରେ ଜଡିତ ୨୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୩ଟି ଟ୍ରକ, ଏକ କଣ୍ଟେନର, ଗୋଟିଏ ଭ୍ୟାନ୍, ୩ ଟି କାର, ୪ ବାଇକ ଏବଂ ୧୫ରୁ ଅଧିକ ମୋବାଇଲ ଜବତ କରାଯାଇଛି । ୨ଟି ମାମଲାର ମୁଖ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons