୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ଗଞ୍ଜେଇ ଧରପଗଡ଼ରେ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗକୁ ମିଳିଛି ସଫଳତା । ଭିନ୍ନ ଭିନ୍ନ ୩ଟି ଘଟଣାରେ ଜବତ ହୋଇଛି ୫୦୩ କେଜି । ଏହି କାରବାରରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ୨ଟି ବୋଲେରୋ ଜବତ କରାଯାଇଥିବା ବେଳେ ଗଞ୍ଜେଇ ଗୋଦାମ୍ ସିଲ୍ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୋରାପୁଟ ଅବକାରୀ ଇନ୍ସପେକ୍ଟର ତେଜରାଜ ଜାନୀ କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ନନ୍ଦପୁର ଜନତାପୁଟ ଗାଁର ଧନୁ କୁବା, ଡ୍ରାଇଭର ପଦୁ ପାତ୍ର ଓ ଅନ୍ୟ ଦୁଇଜଣ ହେଲେ ବିହାରର ଛୋଟୁ ରାମ ଓ ଦିଲ୍ଲୀର ରାଜୀବ ପାଶୱାନ । ତଦନ୍ତ ପରେ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ୨ଜଣଙ୍କୁ ଥାନାରେ ରଖାଯାଇ ପଚରାଉଚରା କରାଯାଉଥିବା ପୁଲିସ୍ କହିଛି ।
ପ୍ରଥମ ଘଟଣାରେ ନନ୍ଦପୁର ଥାନା ଜନତାପୁଟ ଗାଁର ଏକ ଘରେ ଗଞ୍ଜେଇ ମହଜୁଦ ଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଜିଲ୍ଲା ଅଧୀକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କ ନିଦେ୍ର୍ଧଶରେ ବିଭାଗୀୟ ଇନ୍ସପେକ୍ଟର ତେଜରାଜ ଜାନୀଙ୍କ ନେତୃତ୍ୱରେ ଜୟପୁର ଅବକାରୀ ନିରୀକ୍ଷକ ବିମ୍ବାଧର ପଣ୍ଡା, କୋରାପୁଟ ନିରୀକ୍ଷକ ବିବେକାନନ୍ଦ ତରାଇ, ଉପନିରୀକ୍ଷକ ଭବାନୀଶଙ୍କର ସେଠୀ ପ୍ରମୁଖ ଜନତାପୁଟରେ ଚଢ଼ଉ କରିଥିଲେ । ଗାଁର ଧନୁ କୁବାଙ୍କ ଘରୁ ୨୪୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ୧୨ଟି ବସ୍ତାରେ ଗଞ୍ଜେଇ ରଖାଯାଇଥିଲା । ଗାଁରେ ସରାକରୀ ଜମିରେ ଅମଳ କରିଥିବା ଗଞ୍ଜେଇକୁ ଶ୍ରୀ କୁବା ଘରେ ଗଚ୍ଛିତ ରଖିଥିଲେ । ଭଲ ଦାମରେ ବାହାର ଗଞ୍ଜେଇ ମାଫିଆଙ୍କୁ ବିକ୍ରି ପାଇଁ ଯୋଜନାରେ ଥିଲେ । ଶ୍ରୀ କୁବାଙ୍କ ଘରୁ ଗଞ୍ଜେଇ ଜବତ କରାଯିବା ସହିତ ତାକୁ ଗିରଫ କରାଯାଇ ଆଜି କୋର୍ଟ ଚାଲଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ଜାନୀ କହିଛନ୍ତି ।
ଦ୍ୱିତୀୟ ଘଟଣା ଘଟିଛି ସେମିଳିଗୁଡ଼ା ଥାନା ଅଞ୍ଚଳରେ । ଆଆଇସି ଧୀରେନ କୁମାର ବେହେରା କହିଛନ୍ତି, ବୁଧବାର ପଟ୍ଟାଙ୍ଗି ଥାନା ସମ୍ବାଇ ଅଞ୍ଚଳରୁ ଏକ ବୋଲେରୋରେ ଛତିଶଗଡ଼କୁ ଗଞ୍ଜେଇ ଚାଲଣ ନେଇ ପୁଲିସକୁ ସୂଚନା ମିଳିଥିଲା । ସୂଚନାକୁ ଆଧାରକରି ସେମିଳିଗୁଡ଼ା ମିଲ୍ ଛକ ନିକଟ ଜାତୀୟ ରାଜପଥରେ ପୁଲିସ ନାକାବନ୍ଦୀ କରିଥିଲା । ଗାଡ଼ି ଆସିବା ପରେ ତାକୁ ପିଛାକରି ସେମିଳିଗୁଡ଼ାର ଏକ ଢ଼ାବା ନିକଟରେ ଅଟକାଇ ଯାଞ୍ଚ କରିଥିଲା । ଗାଡି ଭିତରେ ଏକ ସ୍ୱତନ୍ତ୍ର ଚାମ୍ବର କରାଯାଇ ଅଭିନବ ଢ଼ଙ୍ଗରେ ୨୪୦ କେଜି ଗଞ୍ଜେଇ ବାହାରକୁ ଚାଲାଣ କରାଯାଉଥିଲା । ଏହି ଘଟଣାରେ ଡ୍ରାଇଭର ପଦୁକୁ ଗିରଫ କରାଯାଇଛି । ଜଣେ ସ୍ଥାନୀୟ ଦଲାଲଙ୍କ ସହିତ ୪ଜଣ ଫେରାର ହୋଇଯାଇଥିବା ପୁଲିସ କହିଛି । ଗଞ୍ଜେଇ ଚାଲାଣ ପାଇଁ ସେମାନେ ଯୋଜନାରେ ଥିଲେ ବୋଲି ପୁଲିସ କହିଛି । ସେମିଳିଗୁଡ଼ା ତହସିଲଦାର ଶରତ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇ ଗିରଫ ଡ୍ରାଇଭରକୁ କୋର୍ଟ ଚାଲଣ କରାଯାଇଥିବା ଆଇଆଇସି କହିଛନ୍ତି ।
ସେହିପରି ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋରେ ସ୍ୱତନ୍ତ୍ର ଚାମ୍ବର କରାଯାଇ ଉତ୍ତରପ୍ରଦେଶ ଚାଲଣ ବେଳେ ଉକ୍ତ ଗାଡ଼ିକୁ ମାଛକୁଣ୍ଡ ଥାନା ଓ ଲମତାପୁଟ ଫାଣ୍ଡି ପୁଲିସ ନାକାବନ୍ଦୀ କରି ଧରିବାରେ ସଫଳ ହୋଇଛି । ମାଛକୁଣ୍ଡ ଥାନା ଆଇଆଇସି ପ୍ରଫୁଲ୍ଲ ଲାକ୍ରା କହିଛନ୍ତି, ଗଞ୍ଜେଇ ଚାଲଣ ନେଇ ସୂଚନା ମିଳିବା ପରେ ଗାଡ଼ିକୁ ଧରିବାକୁ ଡି-ଡ୍ୟାମ ଓ କାନାଗାଁ ଛକରେ ନାକାବନ୍ଦୀ କରାଯାଇଥିଲା । ଡି-ଡ୍ୟାମ ନିକଟରେ ପୁଲିସ ଉକ୍ତ ଗାଡ଼ିକୁ ଅଟକାଇଥିଲା । ଗାଡ଼ିଟି ନ ଅଟକି ଦ୍ରୁତଗତିରେ ଖସିଯାଇଥିଲା । କାନାଗାଁ ଛକରେ ଜଗିଥିବା ଲମତାପୁଟ ପୁଲିସ ଗାଡ଼ିକୁ ଧରିବାରେ ସଫଳ ହୋଇଥିଲା । ଗାଡ଼ି ଯାଞ୍ଚ ପରେ ସେଥିରୁ ୧୩୪ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ପୁଲିସ କହିଛି । ଏହି ଘଟଣାରେ ପୁଲିସ ବିହାରର ଛୋଟୁ ରାମ ଓ ଦିଲ୍ଲୀର ରାଜୀବକୁ ଗିରଫ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons