କାଲିମେଳା,(ବି.ବି.ନୁ୍ୟଜ): ଛତିଶଗଡରୁ ମାଲକାନଗିରି ଚାଲାଣ ବେଳେ ପୋଟେରୁ ଫାଣ୍ଡି ପୁଲିସ୍ ହାତରେ ଧରାପଡିଛି ଏକ ମିନି ଭ୍ୟାନ୍ ସହ ୫୩ କେଜି ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୨ଜଣ ହେଲେ ଛତିଶଗଡ ରାୟପୁର ଅଞ୍ଚଳର ମୟୁର ଖଣ୍ଟେ, ମନୋଜ ଶର୍ମା । ଗିରଫ ପରେ ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁରଜ କୁମାର ଝାଙ୍କଡ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏକ ମିନି ଭ୍ୟାନ୍ରେ ଛତିଶଗଡରୁ କାଲିମେଳା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା । ଏମ୍ଭି-୬୩ ଗାଁ ଛକରେ ପୋଟେରୁ ଫାଣ୍ଡିର ଏକ ଟିମ୍ ପାଟ୍ରୋଲିଂ କରୁଥିଲା । ପାଟ୍ରୋଲିଂ ବେଳେ କର୍ମଚାରୀମାନେ ସନେ୍ଦହରେ ଗାଡିକୁ ଅଟକାଇଥିଲେ । କାଗଜପତ୍ର ଯାଞ୍ଚ କରିବା ବେଳେ ଗାଡି ଭିତରେ ୩ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୁଲିସ୍ ଗାଡିରେ ବସିଥିବା ମୟୁର ଓ ମନୋଜକୁ ଗିରଫ କରିବା ସହ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରି ଥାନାକୁ ଆଣିଥିଲା । ଆଜି ସକାଳେ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୫୩ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ବାହାର ରାଜ୍ୟରେ ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି । ଏହି ଚଢଉରେ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ତଥା ଏଏସ୍ଆଇ ମନୋହର ସାହୁ, କାଲିମେଳା ଥାନା ଏସ୍ଆଇ ଏଚ୍.ଏସ୍.ବେନିଆ, କନେଷ୍ଟବଳ ସମିର ବିଶ୍ୱାସ, ୩ ଗୃହରକ୍ଷୀ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ଆଇ ପଞ୍ଚାନନ ବେହେରା କହିଛନ୍ତି ।
Comments are closed, but trackbacks and pingbacks are open.