ପାରାଦୀପ,(ବି.ବି.ନୁ୍ୟଜ୍): ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ପ୍ରବଳ ଇଚ୍ଛା ଥିଲା । ହେଲେ ପରିସ୍ଥିତି ଅନୁମତି ଦେଲାନି । ପ୍ରଥମ ଶ୍ରେଣୀ ପରେ ପାଠରେ ଡୋରି ବନ୍ଧା ହୋଇଗଲା । ଅଳ୍ପ ବୟସରେ ବାହା ବି ହୋଇଗଲେ । ତେବେ ପାଠପଢ଼ା ପାଇଁ ଥିବା ଇଚ୍ଛାକୁ ସେ ମରିବାକୁ ଦେଲେନି । ବରଂ ପ୍ରୌଢ଼ଶିକ୍ଷା ମାଧ୍ୟମରେ ନିଜ ସାଇତା ସ୍ୱପ୍ନକୁ ସାକାର କଲେ । ଲେଖାପଢା ଶିଖିଲେ । ତାପରେ ଲେଖିଲେ ଶତାଧିକ କବିତା ।
ଏବେ ତାଙ୍କୁ ୫୬ ବର୍ଷ ବୟସ । ହେଲେ ଏ ବୟସରେ ବି ସେ ମାଟି୍ରକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଆଗକୁ ବଢ଼ିବାର ଇଚ୍ଛା କବି ତିଳୋତ୍ତମା ପାତ୍ରଙ୍କୁ ଏମିତିକା ଜଣେ ନିଆରା ବ୍ୟକ୍ତିତ୍ୱ ଭାବେ ଗଢ଼ିତୋଳିଛି ।
ତିଳୋତ୍ତମାଙ୍କ ବାପ ଘର ଆଠଗଡ଼ ଅଞ୍ଚଳର ଲିଙ୍ଗାପଦା ଗ୍ରାମରେ । ପିଲାଟି ବେଳୁ କବିତା ଲେଖିବାର ଇଚ୍ଛା ତାଙ୍କ ମନରେ ଥିଲା । ପରିବାରର ଆର୍ଥିକ ସ୍ଥିତି ସେଭଳି ସ୍ୱଚ୍ଛଳ ନ ଥିଲା । ତେଣୁ ମାତ୍ର ପ୍ରଥମ ଶ୍ରେଣୀରୁ ଛାଡ଼ିଦେଲେ ପାଠପଢା । ୨୦ ବର୍ଷ ବୟସରେ ତାଙ୍କର ବାହାଘର ହୁଏ ପାରାଦୀପ ନୂଆବଜାର ଅଞ୍ଚଳର ବୈଷ୍ଣବ ପାତ୍ରଙ୍କ ସହ । ବୈଷ୍ଣବ ପେସାରେ ଟ୍ରଲି ଚାଳକ । ବନ୍ଦର ଅଧୀନ ଜାଗାରେ ବସ୍ତି ଥିବାରୁ ୧୯୯୨ ମସିହାରେ ବନ୍ଦର ପ୍ରଶାସନ ବସ୍ତି ଭାଙ୍ଗିବାକୁ ଯୋଜନା କରିଥିଲା । ସେତେବେଳର ବନ୍ଦର ଅଧ୍ୟକ୍ଷଙ୍କ ପତ୍ନୀ କୁନ୍ତଳା ପଟ୍ଟନାୟକ ବସ୍ତି ଦେଖିବାକୁ ଆସି ବସ୍ତିର ମହିଳାମାନଙ୍କୁ ଭେଟିଲେ । ପାଠ ପଢିଛ କି ନାହିଁ ବୋଲି ପଚାରିଲେ । ତିଳୋତ୍ତମାଙ୍କ ସାଙ୍ଗରେ ଥିବା ବସ୍ତି ମହିଳା ପାଠ ପଢିନଥିବା ଜାଣିବା ପରେ ଶ୍ରୀମତୀ ପଟ୍ଟନାୟକ, ଯଦି ପାଠ ପଢିବ ତେବେ ବସ୍ତି ଭଙ୍ଗା ଯିବନି ବୋଲି କହିଥିଲେ । ଏଭଳି ପ୍ରସ୍ତାବକୁ ଅନେକ ଗ୍ରହଣ କରିପାରିନଥିବା ବେଳେ ତିଳୋତ୍ତମା କିନ୍ତୁ ହଁ ଭରିଥିଲେ । ତିଳୋତ୍ତମାଙ୍କ ଆଗ୍ରହ ଦେଖି ଅନ୍ୟ ମହିଳାମାନେ ମଧ୍ୟ ପଢିବାକୁ ଇଚ୍ଛା ପ୍ରକାଶ କଲେ । ଶ୍ରୀମତୀ ପଟ୍ଟନାୟକ ବାବା ଆଖଣ୍ଡଳମଣି ମହିଳା ସମିତି ଗଠନ କରାଇ ସବୁ ବୟସ୍କା ମହିଳାଙ୍କୁ ପଢାଇବାର ବନେ୍ଦାବସ୍ତ କଲେ ।
ଦୁଇ ପିଲାଙ୍କୁ ଘରେ ଛାଡ଼ି ତିଳୋତ୍ତମା ପ୍ରୌଢ ଶିକ୍ଷା ନେବାକୁ ଯିବା ସମୟରେ ବହୁ ଟାହିଟାପରା ତାଙ୍କୁ ସହିବାକୁ ପଡ଼ିଥିଲା । ତେବେ ୩ ବର୍ଷ ପଢିବା ପରେ ସେ ୫ମ ପର୍ଯ୍ୟନ୍ତ ପାଠ ଶେଷ କଲେ । ଆଉ ତା’ରି ଭିତରେ ଆରମ୍ଭ କରିଦେଇଥିଲେ କବିତା ଲେଖା । ଇତିମଧ୍ୟରେ ଆଶା କର୍ମୀ ଭାବେ ମଧ୍ୟ ତାଙ୍କୁ ଚାକିରି ମିଳିଗଲା । ଏଡ୍ସ୍, ପୋଲିଓ, କ୍ୟାନସର୍, ତମାଖୁ ସେବନ, କନ୍ୟାଭ୍ରୂଣ ହତ୍ୟା ଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ହେଲେ ତିଳୋତ୍ତମାଙ୍କୁ ଖୋଜାଯାଏ ତାଙ୍କ କବିତା ପାଇଁ । ତିଳୋତ୍ତମାଙ୍କ ପ୍ରଥମ କବିତା ଥିଲା ଜଗନ୍ନାଥଙ୍କୁ ଚିଠି । ବାଇ ଚଢେଇ, ଏଇ ଆମରି ଦେଶ, ଟିକି ଚଢେଇ, ବାଲିଯାତ୍ରା.. ଏମିତି କେତେ କବିତା ତାଙ୍କର ବିଭିନ୍ନ ବହିରେ ପୃÂା ମଣ୍ଡନ କରିଛି । ତାଙ୍କର ଗୋଟିଏ ସ୍ୱତନ୍ତ୍ର କବିତା ସଙ୍କଳନ ମଧ୍ୟ ବାହାରିଛି । ଚାକିରିକୁ ଯିବା ପରେ ପୁଅ ଲିଟୁନା କାନ୍ଦୁଥିବା ବେଳେ ତାକୁ ବୁଝାଇବାକୁ ଯାଇ କାନେ୍ଦନା ଲିଟୁନା ମୋର.. ଶୀର୍ଷକ ଏକ କବିତା ଲେଖିଥିଲେ ତିଳୋତ୍ତମା ଯାହାକି ଅଧିକ ଆଦୃତ ହୋଇଛି ।
୪ ପୁଅ, ଝିଅ ଓ ସ୍ୱାମୀଙ୍କୁ ନେଇ ତିଳୋତ୍ତମାଙ୍କ ପରିବାର । ଚଳିତ ବର୍ଷ ଏସ୍ଆଇଓଏସ୍ (ଷ୍ଟେଟ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଓପନ୍ ସ୍କୁଲିଂ) ଜରିଆରେ ସେ ଜୁନ୍ ମାସରେ ମାଟ୍ରିକ୍ ପରୀକ୍ଷା ଦେବାକୁ ସ୍ଥିର କରିଛନ୍ତି । ଆଇନା ସମ୍ମାନ-୨୦୦୬, ଜନ ସାହିତ୍ୟ ପୁରସ୍କାର, ଜନ ଶିକ୍ଷା ସଂସ୍ଥାନ, ପାରାଦୀପ ସାକ୍ଷରତା ସମିତି ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଆଗକୁ ଆହୁରି ପାଠ ପଢିବା ସହ କବିତା ଲେଖିବା ଜାରି ରଖିବେ ବୋଲି ତିଳୋତ୍ତମା କହନ୍ତି । ସମସ୍ୟାକୁ ସାମ୍ନା ନ କରିପାରି ହାରିଯାଉଥିବା ମହିଳାମାନଙ୍କ ଆଗରେ ତିଳୋତ୍ତମା ଯେ ଏକ ଅନନ୍ୟ ଉଦାହରଣ ଓ ପ୍ରେରଣାର ଉତ୍ସ, ଏଥିରେ କୌଣସି ସନେ୍ଦହ ନାହିଁ ।
Comments are closed, but trackbacks and pingbacks are open.