ର.ଉଦୟଗିରି,(ବି.ବି.ନ୍ୟୁଜ୍): ରା.ଉଦୟଗିରି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ରବିବାର ଚୋରାଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଭର୍ତ୍ତି ଏକ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି । ଏହି ଘଟଣାରେ ପୁଲିସ ୪ଜଣକୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି । ସେମାନେ ହେଲେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର ଗୋପାଳକୃଷ୍ଣ ସାହୁ, ଗଜପତି ଜିଲ୍ଲା ମୋହନା ଥାନା ଅଧୀନ କେଶରୀଗୁଡ଼ା ଗ୍ରାମର ପରମା ରାଇକା, ଲୁକା ଶବର ଏବଂ ଲହପଙ୍କା ଗ୍ରାମର ଶରତ ବଡ଼ରଇତ ବୋଲି ରା.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ରା.ଉଦୟଗିରି ଥାନାରେ ୮୨/୧୯ରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ, ରା.ଉଦୟଗିରି ପୁଲିସ ଶନିବାର ରାତିରେ ଛେଲାଗଡ଼ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏ ସମୟରେ ସେହି ରାସ୍ତାଦେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍(ଓଆର୍୦୭ଏଏ-୭୩୦୭)କୁ ଅଟକାଇ ଗାଡ଼ିକୁ ଯାଞ୍ଚ କରିଥିଲା । ପରେ ସେହି ଗାଡ଼ିରୁ ୫ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରାଯାଇଥିଲା । ପୁଲିସ ଗଞ୍ଜେଇ ଜବତ କରିବା ସହ ଚୋରାଚାଲାଣ ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିବା ରା.ଉଦୟଗିରି ଏସ୍ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଏତେ ପରିମାଣର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ନିଆଯାଉଥିବା ପୁଲିସ ସନ୍ଦେହ କରୁଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଥାନା ଅଧିକାରୀ କୁଳମଣି ସେଠୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.