କଟକ,(ବି.ବି.ବୁ୍ୟରୋ): ଦୀର୍ଘ ଦିନ ହେବ କଟକ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଚୋରି କରୁଥିବା ଏକ ଆନ୍ତଃଜିଲ୍ଲା ର୍ୟାକେଟ୍ର ପର୍ଦ୍ଧାଫାସ କରିଛି ବାଦାମବାଡ଼ି ଥାନା ପୁଲିସ । ଏହି ଗ୍ୟାଙ୍ଗ୍ର ଦୁଇ ମାଷ୍ଟର ମାଇଣ୍ଡ୍ ସମେତ ୫ ଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କଠାରୁ ୨୨ଟି ବାଇକ୍ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ପାଟକୁରାର ରିଙ୍କୁ ଓରଫ କୁଞ୍ଜବିହାରୀ ନାୟକ(୨୫), ଜଗତସିଂହପୁର ତିର୍ତ୍ତୋଲର ସିଲୁ ଓରଫ ସୌମେନ୍ଦ୍ର ଦାସ(୨୧), ଜଗତସିଂହପୁରର ଦୋଳିଆ ଓରଫ ସୂର୍ଯ୍ୟକାନ୍ତ ଖଟୁଆ (୧୯), ଖୋର୍ଦ୍ଧା ଜଟଣୀର ତାଜୁ ଖାନ୍(୪୫) ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର କାଳିଆ ଓରଫ ନିରଞ୍ଜନ ବେହେରା ।
ଜଗତପୁର ପୋଡ଼ାବରର ସରୋଜ କୁମାର ବେହେରା ଗତ ୧୫ ତାରିଖ ଦିନ ବାଦାମବାଡିÿ ଭରତିଆ ଟାୱାରକୁ ଆସିଥିଲେ । ସେ ତାଙ୍କ ହିରୋ ଗ୍ଲାମର ଗାଡ଼ି ଟାୱାର ସମ୍ମୁଖରେ ରଖିଦେଇ ଭିତରକୁ ଯାଇଥିଲେ । ଅଧଘଣ୍ଟା ପରେ ଫେରି ଦେଖିଲା ବେଳକୁ ସେଠାରେ ତାଙ୍କ ବାଇକ୍ ନାହିଁ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ବାଇକ୍ ଚୋରି ନେଇ ସେ ଥାନାରେ ଏତଲା ଦାୟର କଲେ । ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସିସିଟିଭି ଫୁଟେଜ୍ ଓ ସ୍ଥାନୀୟ ଖବରିଙ୍କଠାରୁ ସୂଚନା ପାଇ ଏହି ଚୋରିରେ କେନ୍ଦ୍ରାପଡ଼ାର ରିଙ୍କୁ ଓ ତିର୍ତ୍ତୋଲର ସିଲୁ ଥିବା ପୁଲିସ ପ୍ରାଥମିକ ଭାବେ ସ୍ପଷ୍ଟ ହେଲା । ଏହା ପରେ ଦୁଇ ଅଭିଯୁକ୍ତଙ୍କୁ ଧରାଯିବାରୁ ସେମାନଙ୍କଠାରୁ ଜଗତପୁର ସରୋଜଙ୍କ ବାଇକ୍ ଉଦ୍ଧାର ହେଲା । ତେବେ ଏହା ପଛରେ ଏକ ବଡ଼ ର୍ୟାକେଟ୍ କାମ କରୁଥିବା ସନେ୍ଦହ କରି ପୁଲିସ ଅଧିକ ଖୋଳତାଡ଼ କରିବାରୁ ଦୁଇ ଅଭିଯୁକ୍ତଙ୍କ ତୃତୀୟ ସହଯୋଗୀ ଭୁବନେଶ୍ୱରର କାଳିଆ ଗିରଫ ହେଲା । ଏହା ପରେ ଧୀରେଧୀରେ ଗୁମର ଫିଟିବାକୁ ଲାଗିଲା । ଅଭିଯୁକ୍ତମାନେ ଏକ ର୍ୟାକେଟ୍ କରି ବାଇକ୍ ଚୋରି କରୁଥିବା ଜଣାପଡ଼ିଲା । ଖାସ୍କରି କଟକ ସହର, ଜଗତସିଂହପୁର, ତିର୍ତ୍ତୋଲ, କେନ୍ଦ୍ରାପଡ଼ା ସଦର, ଭୁବନେଶ୍ୱର, ଜଟଣୀ ଓ ଖୋର୍ଦ୍ଧାରୁ ଅଭିଯୁକ୍ତମାନେ ବହୁ ବାଇକ୍ ଚୋରି କରିଥିବା ସ୍ୱୀକାର କରିଥିଲେ । ତେବେ ବାଇକ୍ ବିକ୍ରି କରିବାରେ ସେମାନଙ୍କୁ ଅନ୍ୟ ଦୁଇ ଯୁବକ ସହଯୋଗ କରୁଥିବା ଜଣାପଡ଼ିଲା । ଗ୍ୟାରେଜ୍ କରିଥିବା ତାଜୁ ଖାନ୍ ଓ ଦୋଳିଆ ଚୋରା ବାଇକ୍ ନେଇ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ଗାଡ଼ିର ନମ୍ବର ବଦଳାଇ ଭୁଲ୍ ନମ୍ବର ଲେଖି ଲୋକଙ୍କୁ ବିନା କାଗଜପତ୍ରରେ ଗାଡ଼ି ବିକୁିଥିଲେ । ପଛରେ ଗାଡ଼ିର କାଗଜପତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଗାଡ଼ି ଦିଆଯାଉଥିଲା । ମାତ୍ର କିଛି ଲୋକ ଦୀର୍ଘ ଦିନ ପରେ ଗାଡ଼ି କାଗଜପତ୍ର ନପାଇ ସେଗୁଡ଼ିକୁ ଫେରାଇ ମଧ୍ୟ ଦେଇଥିଲେ । ଅଭିଯୁକ୍ତ ତାଜୁ ତାର ଗ୍ୟାରେଜରେ ବହୁ ଚୋରା ଗାଡ଼ିର ଯନ୍ତ୍ରାଂଶ ଖୋଲି ଅନ୍ୟ ଗାଡ଼ିରେ ଲଗାଇ ବିକ୍ରି କରିଛି । ଧରାନ ପଡ଼ିବା ପାଇଁ ସେମାନେ କଟକ-ଭୁବନେଶ୍ୱର ଗାଡ଼ିକୁ ନେଇ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବିକୁଥିଲେ । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗାଡ଼ି କଟକରେ ବିକ୍ରି ହେଉଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ଅଭିଯୁକ୍ତମାନେ ଦୀର୍ଘ ଦିନ ହେବ ଏଭଳି ଗାଡ଼ି ଚୋରି କରି ବହୁବାର ପୁଲିସ ହାତରେ ଗିରଫ ହୋଇଥିଲେ ମଧ୍ୟ ଚୋରି ଛାଡି ନଥିଲେ । ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ୍ ରିଙ୍କୁ ନାମରେ ୧୦, ସିଲୁ ନାମରେ ୮, କାଳିଆ ନାମରେ ୨୦, ତାଜୁ ଖାନ୍ ନାମରେ ୨ ଓ ଦୋଳିଆ ନାମରେ ଗୋଟିଏ ମାମଲା ରହିଥିବା ଥାନା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.