୫ ଜଣଙ୍କୁ ‘ନାଲ୍କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଆସନ୍ତା ମାସ ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନବ୍ୟାପୀ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ‘ଓଏମ୍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯’ । ଆଜି ପୂର୍ବାହ୍ନରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଓ ଅନ୍ୟତମ ସଦସ୍ୟ ଦେବୀପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଦୀର୍ଘ ୨୪ବର୍ଷ ଧରି ଏ ଉତ୍ସବ ପାଳନ କରିଆସୁଥିବା ନୃତ୍ୟ ନୃତ୍ୟାନୁଷ୍ଠାନ ‘ସୃଜନ’ ଚଳିତ ବର୍ଷ ୨୫ବର୍ଷରେ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି । ତେଣୁ ପ୍ରତିବର୍ଷ ହେଉଥିବା ପାଞ୍ଚଦିନିଆ କାର୍ଯ୍ୟକ୍ରମକୁ ବୃଦ୍ଧି କରାଯାଇ ସାତଦିନ ରଖାଯାଇଛି । ଏଥର ମଧ୍ୟ ବିଶିଷ୍ଟ ୫ଜଣ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ ଲାଗି ଘୋଷଣା ହୋଇଛି । ସେମାନେ ହେଲେ ପ୍ରତିଷ୍ଠିତ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀର, ପରିଚିତ ନୃତ୍ୟକଳା ସମାଲୋଚକ ତଥା ସୁଲେଖକ ପଦ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ତଥା ଲେଖିକା ଲୀଲା ଭେଙ୍କଟରମଣ ଓ ସୁନାମଧନ୍ୟ ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚା । ସମସ୍ତଙ୍କୁ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି, ସ୍ମୃତିଫଳକ, ଉପେଢ଼øକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବ । ସେହିପରି ୫ ଜଣଙ୍କୁ ‘ନାଲ୍କୋ ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ଦିଆଯିବ । ସେମାନେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ୱପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟରେ ଅନ୍ୱେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତରେ ସତ୍ୟବ୍ରତ କାଠ । ଏଥିପାଇଁ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ସ୍ମୃତିଫଳକ, ଉପେଢ଼øକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବ । ରାଜ୍ୟପାଳ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅନ୍ତିମ ତଥା ୧୧ ତାରିଖ ସନ୍ଧ୍ୟାରେ ଏହି ପୁରସ୍କାର ପ୍ରଦାନ କରିବେ । ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ଗାୟକ ଅନୁପ ଜଲୋଟାଙ୍କ ସଙ୍ଗୀତ ଶୁଣିବାକୁ ମିଳିବ । ଏହାପରେ ମୀରା ଦାସଙ୍କ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ଓଡ଼ିଶୀ ପରିବେଷଣ କରିବେ । ଦ୍ୱିତୀୟ ସନ୍ଧ୍ୟାରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଫ୍ୟୁଜନ୍ ଦେଖିବାକୁ ମିଳିବ । ମୁମ୍ବାଇର ଦୀପକ ପଣ୍ଡିତ ବେହେଲା, ପରସ ନାଥ ବଂଶୀ ଏବଂ ବେଙ୍ଗାଲୁରର ୟୁ. ରାଜେଶ ମାଣ୍ଡୋଲିନ ବାଦନ କରିବେ । ପରେ ପିତାମ୍ବର ବିଶ୍ୱାଳଙ୍କ ‘ସୁରଭି’ ଏବଂ ଅରୁଣା ମହାନ୍ତିଙ୍କ ‘ଓଡ଼ିଶା ଡ୍ୟାନ୍ସ ଏକାଡେମୀ’ ତରଫରୁ ଦଳଗତ ନୃତ୍ୟ ପ୍ରଦର୍ଶିତ ହେବ । ତୃତୀୟ ସନ୍ଧ୍ୟାରେ ହିନ୍ଦୁସ୍ଥାନୀ ସଙ୍ଗୀତରେ ପ୍ରଥମ ଥର ଭୁବନେଶ୍ୱରରେ ଏକକ ସାରଙ୍ଗୀ ବାଦନ କରିବେ ମୁମ୍ବାଇର ଉସ୍ତାଦ ସବିର ଖାନ । ତବଲା ବାଦନ କରିବେ ମୁମ୍ବାଇର ଇଶାନ ଘୋଷ । ସେହିପରି ଆମେରିକାର ନିହାରିକା ମହାନ୍ତି ଏକକ ଓଡ଼ିଶୀ ନୃତ୍ୟ କରିବେ । ପରେ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ‘ରୁଦ୍ରାକ୍ଷ ଫାଉଣ୍ଡେସନ୍’ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହେବ । ଚତୁର୍ଥ ସନ୍ଧ୍ୟାରେ ହିନ୍ଦୁସ୍ଥାନୀ ସଙ୍ଗୀତ ଗାନ କରିବେ କୋଲାକାତାର ଇନ୍ଦ୍ରାଣୀ ମୁଖାର୍ଜୀ । ତବଲାରେ ଅପୂର୍ବ ମୁଖାର୍ଜୀ ଓ ହାରମୋନିୟମରେ ଗୌରବ ଚାଟାର୍ଜୀ ସହଯୋଗ କରିବେ । ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ‘ସୁର ମନ୍ଦିର’ ଓ ଗଜେନ୍ଦ୍ର ପଣ୍ଡାଙ୍କ ‘ତ୍ରିଧାରା’ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ପଞ୍ଚମ ସନ୍ଧ୍ୟାରେ କୋଲକାତାର ଦେବସ୍ମିତା ଭ;ାଚାର୍ଯ୍ୟ ସରୋଦ ବାଦନ କରିବେ । ଏହାପରେ ନିରଞ୍ଜନ ରାଉତଙ୍କ ‘ନୁପୁର’ ଏବଂ ଡ. ଇଲିଆନା ସିତାରିସ୍ତିଙ୍କ ‘ଆର୍ଟ ଭିଜନ’ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷିତ ହେବ । ଷଷ୍ଠ ସନ୍ଧ୍ୟାରେ ଡ. ବିଜୟ କୁମାର ଜେନା ଓଡ଼ିଶୀ ସଙ୍ଗୀତ ଓ ସଚ୍ଚିଦାନନ୍ଦ ସ୍ୱାଇଁ ମର୍ଦ୍ଦଳ ବାଦନ ଦେଖିବାକୁ ମିଳିବ । ପରେ ଅଶୋକ ଓ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଦ୍ୱୈତ ଓ ଦୁର୍ଗାଚରଣ ରଣବୀରଙ୍କ ‘ନୃତ୍ୟାୟନା’ ଅନୁଷ୍ଠାନ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହେବ । ଶେଷ ସନ୍ଧ୍ୟାରେ ପୁରସ୍କାର ଉତ୍ସବ ସାଙ୍ଗକୁ ‘ସୃଜନ’ ତରଫରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ନମାମି ଗଙ୍ଗେ’ ପରିବେଷିତ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons