୫ ଜିଲ୍ଲାକୁ ମହାନଦୀ ବିପଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାଡ଼ି ଆସୁଛି ମହାନଦୀ । ହୀରାକୁଦ ଜଳଭଣ୍ଡାର ୪୬ଟି ଗେଟ୍ ଖୋଲି ସାରିଲାଣି । ଆକଳନ କହୁଛି, ରବିବାର ସକାଳ ସୁଦ୍ଧା ମୁଣ୍ଡଳିରେ ସାଢେ଼ ୧୦ ଲକ୍ଷ ଘନ ଫୁଟ ପାଣି ପ୍ରବାହିତ ହେଉଥିବ । ୬ରୁ ୯ ଘଣ୍ଟା ମୁଣ୍ଡଳିରେ ଏଭଳି ପାଣି ଚାଲିବ । ମହାନଦୀର ଏହି ବନ୍ୟା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ତଳି ଅଞ୍ଚଳ ପାଇଁ ବିପଦ ଆଣିବ ।
ମହାନଦୀ ବିଶାଳ ରୂପ ନେଇଥିବାବେଳେ ଦୁଇଦିନ ଭିତରେ ଶାଖା ନଦୀଗୁଡ଼ିକ ଜଳସ୍ତର ବଢ଼ିବାରେ ଲାଗିଛି । କାଠଯୋଡ଼ି, ବିରୂପା, ଲୁଣା, ଚିତ୍ରୋପôଳା, ଦେବୀ, କୁଆଖାଇ, ଦୟା, କୁଶଭଦ୍ରା, ଭାର୍ଗବୀ ଜଳସ୍ତର ହୁ ହୁ ହୋଇ ବଢ଼ୁଛି । ମହାନଦୀ ତଳମୁଣ୍ଡ ତ୍ରିକୋଣଭୂମି ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଉପୁଜିଛି ।
ମହାନଦୀ ଫୁଲିବା ସହ ପ୍ରଥମେ ସମ୍ବଲପୁର ସହରର ତଳି ଅଞ୍ଚଳ ଜଳମଗ୍ନ କରିଛି । ସମ୍ବଲପୁର ସହରରେ ୩୫୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୋନପୁରରେ ବି ବ୍ୟାପକ ଅଞ୍ଚଳ ପାଣି ଘେରରେ ଅଛି । ନୟାଗଡ଼ ଗଣିଆ ବ୍ଲକର ୩ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ପାଣି ଘେରରେ । କଟକ ବାଙ୍କିର ଗୟଳବାଙ୍କରେ ପ୍ରାୟ ୧୫ ଫୁଟ୍ର ଘାଇ ହୋଇଛି । ଉତ୍ତର ବାଙ୍କିର ୬ଟି ପଞ୍ଚାୟତ ପାଣି ଘେରରେ ରହିଛି । କଇଁମୁଣ୍ଡି, ଶୁଖୁଆଖେଳା, ବିଲିପଡ଼ା ଏବଂ ଓସ୍ତିଆ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଙ୍କି-ଭୁବନେଶ୍ୱର ରାସ୍ତାରେ ପାଣି ଚାଲୁଛି ।
ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପ୍ରବାହିତ ଦୟା ଓ ଏହାର ଶାଖାନଦୀ ରାଜୁଆ, ମକରା, କାଣିଆ, ଲୁଣା ଉଛୁଳିଛି । ଦୟା ଓ ରାଜୁଆ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଦୋକନ୍ଦା, କଦଳିଦଣ୍ଡା, ବାଲିପାଟଣା, ତରପଡ଼ା, ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଗଡବଳଭଦ୍ରପୁରରେ ପାଣି ପଶିଛି । ଅନେକ ଘରେ ପାଣି ପଶିଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ବି ପଶିଗଲାଣି ବନ୍ୟା ଜଳ । ଖୋର୍ଦ୍ଧା ବ୍ଲକ୍ ଓରବରସିଂହ ପଞ୍ଚାୟତର ହିରିମୂଳ ଗାଁ ଦାଣ୍ଡରେ ୪ଫୁଟ ପାଣି ଚାଲୁଛି । ୫୦ ଜଣ ବିପନ୍ନଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଛି । ଡିହଖଲା, ଲଖନପୁର, ଓରବରସିଂହ, ରାୟପୁର, ମଶାଣିଆରେ ବି ପାଣି ପଶିଛି । ଜଟଣୀ ବ୍ଳକର ପ୍ରଧାନସାହି, ଜାମୁକୋଳି, ବଡ଼କୁଦା, କଣ୍ଟି ଓ ବେଣାପଞ୍ଜୁରୀର ଚାଷଜମି ଜଳମଗ୍ନ ହୋଇଛି । ପାଣ୍ଡିଆବିଲି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରର ନଦୀ ପାଖ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଶନିବାର ରାତି ୯ଟାବେଳେ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୭୬ ହଜାର ୭୪୩ ଘନଫୁଟ ପାଣି ପ୍ରବେଶ କରୁଥିଲା । ଜଳଭଣ୍ଡାର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ୍ ହୋଇଥିଲାବେଳେ ଜଳସ୍ତର ୬୨୭.୪୧ ଫୁଟ୍ ଛୁଇଁଥିଲା । କ୍ରମଶଃ ଜଳସ୍ତର ବଢ଼ୁଥିଲା । ହୀରାକୁଦ ଜଳଭଣ୍ଡାର ସ୍ଥିତି ନିୟନ୍ତ୍ରଣ ପାଇଁ ୪୬ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୭ ଲକ୍ଷ ୬୨ ହଜାର ୬୨୯ ଘନଫୁଟ ପାଣି ଛଡ଼ାଯାଉଛି ।
ରାତି ୯ଟାବେଳେ ଖଇରମାଳରେ ୧୦ ଲକ୍ଷ ୨ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା । ବରମୂଳରେ ୮ ଲକ୍ଷ ୯୭ ହଜାର ୭୫୦ ଘନଫୁଟ ପାଣି ଚାଲୁଥିଲା । ମୁଣ୍ଡଳିରେ ପ୍ରବାହିତ ହେଉଥିଲା ୯ ଲକ୍ଷ ୪୮ ହଜାର ୯୦୫ ଘନଫୁଟ ପାଣି । ନରାଜରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଏଠାରେ ବିପଦ ସଙ୍କେତ ସ୍ତର ୨୬.୪୧ ମିଟର । ରାତି ୯ଟାବେଳେ ଜଳସ୍ତର ୨୬.୭୬ ମିଟର ଛୁଇଁଥିଲା । କ୍ରମଶଃ ଏହା ବଢ଼ି ଚାଲିଛି । ଆଳିପିଙ୍ଗଳରେ ଦେବୀ ନଦୀ ବି ସତର୍କ ସଙ୍କେତ ଡେଇଁ ୧୦.୮୬ ମିଟରରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ସ୍ତର ୧୧.୭୬ ମିଟର । ଜଳସ୍ତର ବଢ଼ି ଚାଲିଛି । ନିମାପଡ଼ାରେ କୁଶଭଦ୍ରା ଉଛୁଳିଲାଣି । ବିପଦ ସଙ୍କେତ ସ୍ତର ୧୦.୭୬ ମିଟର ହୋଇଥିବାବେଳେ ରାତି ୯ଟାବେଳେ ଜଳସ୍ତର ୯.୪୩ ଥିଲା । ଉପରମୁହାଁ ହୋଇ ବଢ଼ୁଛି ନଦୀ ।
ସାମାନ୍ୟ ଆଶ୍ୱସ୍ତିର କଥା ହେଲା, ଛତିଶଗଡ଼ରେ ଏବେ ବିଶେଷ ବର୍ଷା ନାହିଁ । ଅପରାହ୍ନରୁ ଛତିଶଗଡ଼ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ବନ୍ୟା ଜଳ କମିଛି । ତେଣୁ ଉପରମୁଣ୍ଡ ଆସୁଥିବା ପାଣି ୯ ଲକ୍ଷ ଟପିବା ସମ୍ଭାବନା କମ୍ । ତେଲ ଓ ଅଙ୍ଗ ନଦୀ ଜଳସ୍ତର କମିଛି । ଫଳରେ ମହାନଦୀରେ ଆଉ ଅଧିକ ପାଣି ମିଶୁନାହିଁ ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନାଙ୍କ କହିବାନୁଯାୟୀ ମହାନଦୀ ଯୋଗୁ ୫ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନକୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ନଦୀ ବନ୍ଧ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି । ରବିବାର ସକାଳ ସୁଦ୍ଧା ମୁଣ୍ଡଳିରେ ୧୦ ଲକ୍ଷରୁ ସାଢେ଼ ୧୦ ଲକ୍ଷ ଘନ ଫୁଟ ପାଣି ପ୍ରବାହିତ ହେଉଥିବ । ୬ରୁ ୯ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳିରେ ଏହି ପରିମାଣରେ ପାଣି ଚାଲିଥିବ । ମହାନଦୀ ତଳମୁଣ୍ଡରେ ସ୍ଥିତି ସୁଧୁରିବାକୁ ପ୍ରାୟ ୨ରୁ ୩ ଦିନ ସମୟ ଲାଗିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons