୫-ଟି ଫୋକସରେ ଗଞ୍ଜାମ…..

Get real time updates directly on you device, subscribe now.

ପୁରୁଷୋତ୍ତମପୁରୁ, (ବି.ବି.ନୁ୍ୟଜ୍): ଶୁକ୍ରବାର ଭୋରୁ ଗଞ୍ଜାମ ଗସ୍ତ ଆରମ୍ଭ କରିଥିଲେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ । ଭୋର ୬ଟାରେ ପୁରୁଷୋତ୍ତମପୁର ବ୍ଲକ୍ର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରରେ ଦେବୀ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହା ପରେ ସେ ହିଞ୍ଜିଳିକାଟୁ ବ୍ଲକ୍ ଗସ୍ତ କରିଥିଲେ । ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ, କେତେକ ସ୍କୁଲ ଗସ୍ତ ସହ ଗ୍ରାମ୍ୟ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ୫-ଟି ସଚିବ ଆଲୋଚନା କରିବା ସାଙ୍ଗକୁ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

ଭୋର ୫ଟା ୩୦ରେ ୫-ଟି ସଚିବ ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ପହଞ୍ଚିଥିଲେ । ସେଠାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ନେଇ ୫-ଟି ସଚିବ ମା’ ତାରାତାରିଣୀ ମନ୍ଦିର ପରିଦର୍ଶନ କରିଥିଲେ । ଦେବୀଙ୍କ ଦର୍ଶନ ସାଙ୍ଗକୁ ୫-ଟି ସଚିବ ପ୍ରାୟ ୨୫ ମିନିଟ କାଳ ମନ୍ଦିର ପରିସରରେ ବିତାଇଥିଲେ । ସେ ପୂଜାର୍ଚ୍ଚନା କରିବା ପରେ ସେବାୟତ ମୁଖ୍ୟ ବାପୁଜୀ ରଣା ମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଅବଗତ କରାଇଥିଲେ ।

ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହିତ ଦେବୀଙ୍କ ପୂଜାବିଧି ଓ ବିଭିନ୍ନ ସମସ୍ୟା ନେଇ ସେବାୟତମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ମା’ ତାରାତାରିଣୀ ମନ୍ଦିରକୁ ଦେଶର ଅନ୍ୟତମ ପ୍ରସିଦ୍ଧ ଐତିହ୍ୟ ପର୍ଯ୍ୟଟନସ୍ଥଳ ରୂପେ ଗଢ଼ି ତୋଳିବାକୁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ଖୁବ ଶୀଘ୍ର ନୂତନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ପାଣ୍ଡିଆନ । ମନ୍ଦିର ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ଯୋଜନା ଉପରେ ମଧ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ପୀଠ ପରିଦର୍ଶନ ପୂର୍ବରୁ ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ୧୦ ମିନିଟ ରହଣୀ ସମୟରେ ସ୍ଥାନୀୟ ରାଜରାସ୍ତାର ଅବସ୍ଥା ଦେଖି ବିରକ୍ତ ହେବା ସହ ରାସ୍ତା କାର୍ଯ୍ୟ ତୁରନ୍ତ ସାରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ୫-ଟି ସଚିବ । ଶକ୍ତି ପୀଠ ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ପିଡବ୍ଲୁ୍ୟଡି ଏସ୍ଡିଓ ଟି.ଲୋକେଶ, ପୁରୁଷୋତ୍ତମପୁର ବିଡିଓ ସୀମାଞ୍ଚଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ, ମନ୍ଦିର ଉନ୍ନୟନ କମିଟି କର୍ମକର୍ତ୍ତା ପ୍ରମୋଦ କୁମାର ପଣ୍ଡା ଓ ଅନ୍ୟ ବିଭାଗୀୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ୫-ଟି ସଚିବ ହିଞ୍ଜିଳିକାଟୁ ବ୍ଲକ୍ ପରିଦର୍ଶନ ପାଇଁ ଯାଇଥିଲେ ।

ଏହାପରେ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ହିଞ୍ଜିଳିକାଟୁ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ନନ୍ଦିକ, ପୁଟିପଦର, ଧୋବାଡ଼ି, ଶାହାପୁର, ଭାବନ୍ଧ, ବେଲଗାଁ, ଗଣ୍ଡଳା, ଦୁର୍ବନ୍ଧ, ଦୟାପଲ୍ଲୀ, କଞ୍ଚୁଡ଼ୁ, ଦାରୁଭଦ୍ର, ଶାସନଆମ୍ୱଗାଁ, ଶାରୁ, ପୋଚିଲିମା, ମକରଝୋଳ, ବଡ଼ଖଣ୍ଡି, ବୁରୁପଡ଼ା, ଚାନ୍ଦୁଲି, ଶିକିରି, ରାଳବ, ଖରିଡ଼ା ସମେତ ହିଞ୍ଜିଳିକାଟୁ ପୌରପାଳିକା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକ ବୁଲି ଦେଖିଥିଲେ ୫-ଟି ସଚିବ । ସ୍କୁଲ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମ୍ୟ କମିଟି ଓ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ସହ ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ । ଅଞ୍ଚଳ ବାସିନ୍ଦାଙ୍କୁ ମଧ୍ୟ ସ୍କୁଲର ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରିବା ସହ ପିଲାମାନଙ୍କ ସାଙ୍ଗରେ ଗୋଟିଏ ବେଞ୍ଚ୍ରେ ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ ।

ଯେଉଁଠି ଯାହା ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି, ଯେଉଁଠି ଖେଳ ପଡ଼ିଆ ଆବଶ୍ୟକ ଅଛି ତାହା ତୁରନ୍ତ ପୂରଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ଜିଲ୍ଲାପାଳ । ନିଜ ଗସ୍ତ ସମୟରେ ସେ ପଞ୍ଚାୟତ ସମ୍ବନ୍ଧିତ ପ୍ରସଙ୍ଗ ସାଙ୍ଗକୁ ଉଚ୍ଚବିଦ୍ୟାଳୟ ଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟ, ବିଦୁ୍ୟତ୍ ଓ ଜଳସେଚନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଯେଉଁ ସ୍ଥାନକୁ ଯାଇଥିଲେ ଓ ନିଜ ଗସ୍ତ ସମୟରେ ଲୋକଙ୍କ ଠାରୁ ଯାହା ଅଭିଯୋଗ ଶୁଣିଥିଲେ ତୁରନ୍ତ ତାହାର ସମାଧାନ କରିବାକୁ ମଧ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons