ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଡକାୟତି ଯୋଜନା କରୁଥିବା ବେଳେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଚଢ଼ଉ କରି ୫ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ସାମନ୍ତରାପୁରର ଜଗା ଓରଫ ଜଗନ୍ନାଥ ପ୍ରଧାନ(୪୦), ଶ୍ରୀଲିଙ୍ଗରାଜ ହାଟ ନିକଟ କଞ୍ଚସାହିର କାଉ ଓରଫ ନରେଶ ବେହେରା(୨୭), କପିଳେଶ୍ୱରର ଅଖୁ ଓରଫ ଅଖିନ ମଲିଆ(୩୭), ବଶିଷ୍ଠନଗରର ବାପୁନି ଓରଫ ସରୋଜ ପାତ୍ର(୩୭) ଓ କପିଳେଶ୍ୱରର ପୁନିଆ ଓରଫ ପୂର୍ଣ୍ଣ ଭୋଇ(୩୮) । ସେମାନଙ୍କ ଠାରୁ ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡ ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବଶିଷ୍ଠନଗର କେନାଲ ବନ୍ଧ ଉପରେ ୫ ଜଣ ବସି ଡକାୟତି ଯୋଜନା କରୁଥିଲାବେଳେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍ ହାତରେ ଧରା ପଡ଼ିଥିଲେ । ସେମାନଙ୍କ ନିକଟରୁ ପୁଲିସ ଗୋଟିଏ କଟୁରି, ଗୋଟିଏ ଆନ୍ଧ୍ର କାତି, ୩ଟି ଲୁହାରଡ୍ ଓ ଲଙ୍କାଗୁଣ୍ଡ ପ୍ୟାକେଟ୍ ଜବତ କରିଥିଲା । ସେମାନେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସକୁ ସୂଚନା ଦେଇଥିଲେ । ୫ ଡକାୟତଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଧରା ପଡ଼ିଥିବା ଜଗା, କାଉ ଓ ଅଖି ନାମରେ ମାଳମାଳ ଅପରାଧ ମାମଲା ରହିଥିବା ପୁଲିସ କହିଛି । ଜଗା ନାମରେ ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନାରେ ଚୋରି ଡକାୟତି ଆଦି ୧୪ରୁ ଅଧିକ ମାମଲା ରହିଥିବା ବେଳେ କାଉ ନାମରେ ୩ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । କାଉ ଚୋରି ଡକାୟତି ଠାରୁ ଆରମ୍ଭ କରି ବ୍ରାଉନ୍ସୁଗର କାରବାର କରେ । ସେହିପରି ଅଖୁ ନାମରେ ଶ୍ରୀଲିଙ୍ଗରାଜ, କ୍ୟାପିଟାଲ ଓ ଧଉଳି ଥାନାରେ ୮ରୁ ଅଧିକ ଅପରାଧ ମାମଲା ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ।
Comments are closed, but trackbacks and pingbacks are open.