ମାଲକାନଗିରି,(ବି.ବି.ନୁ୍ୟଜ୍): ଜଣେ ଖଣି ବ୍ୟବସାୟୀଙ୍କୁ ଧମକ ଦେଇ ୫୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ମୋଟୁ ଥାନା ପୁଲିସ୍ ୫ ନକଲି ମାଓବାଦୀଙ୍କୁ ଗିରଫ କରିଛି । ଏ ସମ୍ପର୍କରେ ମାଲକାନଗିରି ଏସ୍ଡିପିଓ ପ୍ରହଲ୍ଲାଦ ମୀନା ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ମୋଟୁ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ଜଣ ପଡୋଶୀ ଆନ୍ଧ୍ରପ୍ରଦେଶର ବୋଲି ଶ୍ରୀ ମୀନା କହଛନ୍ତି । ତଦନ୍ତ ଚାଲୁ ରହିଥିବାରୁ ସେମାନଙ୍କ ନାଁ ପ୍ରକାଶ କରିବା ଲାଗି ପୁଲିସ୍ ମନା କରିଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛିି ।
ସୂଚନା ଥାଉକି, ମୋଟୁ ଥାନା ପେଟା ଗାଁରେ ଚାଲିଥିବା ଗ୍ରାନାଇଟ୍ ଖଣି ମାଲିକ ବେଣୁ ଗୋପାଳ ରାଓଙ୍କୁ କେତେକ ଅଜଣା ବ୍ୟକ୍ତି ମାଓବାଦୀଙ୍କ ପରିଚୟ ଦେଇ ଫୋନ୍ରେ ଧମକ ଦେବା ସହ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ନହେଲେ ଖଣି ଓ ସେଠାରେ ଥିବା କୋଠାକୁ ସେମାନେ ବମ୍ ଲଗାଇ ଉଡ଼ାଇ ଦେବେ ବୋଲି ଧମକ ଦେଇ ଆସୁଥିଲେ । ଏ ସମ୍ପର୍କରେ ଖଣି ମାଲିକ ଶ୍ରୀ ରାଓ ଗତ ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ନକଲି ମାଓବାଦୀଙ୍କ ଫୋନ୍ ଟ୍ରାକିଂ କରି ଗିରଫ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.