ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକକୁ ଅମାନୁଷିକ ଭାବେ ପିଟି ପିଟି ମାରି ଦିଆଯାଇଛି । ଏଭଳି ଘଟଣା ନୀଳଗିରି ଥାନା ଅଧୀନ ଜାମୁଡିହା ପଞ୍ଚାୟତ ଅଧୀନ ବାଘମରା ଅଞ୍ଚଳରେ ଘଟିଛି । ଘଟଣାକୁ ଚପାଇ ଦେବାକୁ ଅଭିଯୁକ୍ତ ଜଣକ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ତାହା ଲୁଚି ପାରିନଥିଲା । ପୁଲିସ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଗ୍ରାମର ବାବୁରାମ ସିଂଙ୍କ ସ୍ତ୍ରୀ ପୋଡ଼ି ହୋଇ ମରିବା ପରେ ଏହି ଅଭିଯୋଗରେ ତାଙ୍କ ମା’ ଜେଲରେ ଅଛନ୍ତି । ତାଙ୍କ ଜାମିନ୍ କରାଇବାକୁ କହି ସେହି ଗ୍ରାମର ଚୁନୁ ସିଂ ଓ ତା’ ବାପା ବୁଦୁ ସିଂ ୫ହଜାର ଟଙ୍କା ଆଣିଥିଲେ । ଏହି ଟଙ୍କାକୁ କେନ୍ଦ୍ର କରି ବାବୁରାମ ସହିତ ବଚସା ହୋଇଥିଲା । ଗତ ୫ ତାରିଖରେ ବାବୁରାମକୁ ଚୁନୁ ସିଂ ଅମାନୁଷିକ ମାରଧର କରିଥିଲେ । ଏପରିକି ତାଙ୍କର ମୁଣ୍ଡକୁ ଶିଳପୁଆରେ ଜୋରରେ ମାରିବା ପରେ ଗଭୀର ଆଘାତ ଲାଗିବା ଯୋଗୁଁ ବାବୁରାମ ଛଟପଟ ହୋଇ ପଡ଼ିଯାଇଥିଲେ । ଏହାପରେ ସେ ମରିଯାଇଥିବା ଭାବି ତାଙ୍କୁ ଏକ କମୁ୍ୟନିଟି ହଲରେ ଶୁଆଇ ଦେଇ ଆସିଥିଲେ । ପରଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଦେଖିବା ପରେ ବାବୁରାମର ଭାଇ ବିଦେଶୀ ସିଂ ଘଟଣା ବିଷୟରେ ପଚାରିବାରୁ ଚୁନୁର ପରିବାର ଚିକିତ୍ସା ଖର୍ଚ୍ଚ ବୁଝିବେ ବୋଲି କହିଥିଲେ । ତାଙ୍କୁ ନେଇ ୬ ତାରିଖ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଘଟଣା କାଳେ ପ୍ରଘଟ ହୋଇ ପୁଲିସ ପାଖରେ ପହଞ୍ଚିବ, ସେଥିପାଇଁ ଚୁନୁ ଏବଂ ତାଙ୍କର ବାପା ବୁଦୁ ସିଂ ତାଙ୍କୁ ଫେରାଇ ଆଣି ସେହି ଗାଁର ଚାଇନା ନାମକ ଯୁବକଙ୍କ ଘରେ ରଖିଥିଲେ । ଗତକାଲି ପୁଣି ବାବୁରାମଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ନୀଳଗିରି ଡାକ୍ତରଖାନାକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ବାଲେଶ୍ୱର ଡାକ୍ତରଖାନା ନନେଇ ନିଜ ଘରକୁ ନେଇ ଆସିଥିଲେ । ହେଲେ ରବିବାର ଅପରାହ୍ନରେ ତାଙ୍କର ମୃତୁ୍ୟ ହୋଇଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଖୋଳତାଡ଼ କରିଥିଲା । ମୃତକଙ୍କ ଭାଇ ବିଦେଶୀ ସିଂ ନୀଳଗିରି ଥାନାରେ ତାଙ୍କ ଭାଇଙ୍କୁ ପିଟିପିଟି ମାରିଦେଇଥିବାର ଲିଖିତ ଅଭିଯୋଗ କରିଛନ୍ତି । ନୀଳଗିରି ଏସଡିପିଓ ସୁଦାମ ଚରଣ ସାହୁ, ଆଇଆଇସି ଲଳିତା ମୋଦି ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଷ୍ଟିଚ୍ ପଡ଼ିଥିବା ବେଳେ ଦୁଇ ଆଖ, ଗୋଡ଼ରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ଚୁନୁ ସିଂକୁ ଗିରଫ କରାଯାଇଛି ।
Comments are closed, but trackbacks and pingbacks are open.