
ଖୋର୍ଦ୍ଧା, (ବି.ବି.ନୁ୍ୟଜ): ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ୍ ଗତ ରବିବାର ଅପରାହ୍ନରେ ୬୫୪ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣ ଡ୍ରଗ୍ ମାଫିଆଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଡ୍ରଗ୍ ମାଫିଆମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ଥାନା କେଶରପୁର ରେଳବାଇ କଲୋନୀର ସଂଗ୍ରାମ ପଣ୍ଡା(୨୪), ଉକ୍ତ ଜିଲ୍ଲାର ରମ୍ଭା ପାନ୍ଥ ନିବାସ ରୋଡ୍ର ଅମିତ୍ କୁମାର ସାହୁ(୨୭) ଏବଂ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଭାଲିଆବାଡ଼ି ଗ୍ରାମରେ ଡ୍ରାଇଭର ନଣ୍ଡୁ ଓରଫ ବିରେନ୍ଦ୍ର କୁମାର ସାହୁ(୨୫) ବୋଲି ସୋମବାର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଛନ୍ତି । ଏନେଇ ଆଦର୍ଶ ଥାନାରେ ୮୫/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏସ୍ପିଙ୍କ ସୂଚନା ଅନୁସାରେ ଅପରାହ୍ନରେ ଓଡ଼ି୦୨ଏକ୍ସ-୯୯୦୯ ନମ୍ବର ବିଶିଷ୍ଟ କାର୍ ୧୬ଂ ନଂ ଜାତୀୟ ରାଜପଥରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବାବେଳେ ଏଥିରେ ବ୍ରାଉନସୁଗର ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ସେମାନଙ୍କୁ ଧରିବାକୁ ଆଦର୍ଶ ଥାନା ପୁଲିସ ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଥିବା ଏକ ଘରୋଇ ପୋଟ୍ରୋଲ ପମ୍ପରେ ଉକ୍ତ କାରକୁ ଅଟକାଇଥିଲା । ଅଟକ ରଖି ପ୍ରଶ୍ନ କରିବାରେ କାର୍ରେ ବ୍ରାଉନସୁଗର ଚାଲାଣ କରୁଥିôବା ମାଫିଆମାନେ ସ୍ୱୀକାର କରିଥିଲେ । ଏହାସହ ସେମାନଙ୍କ ନିଟକରୁ ୬ ଦାମୀ ମୋବାଇଲ, ନଗଦ ୯୫ ହଜାର ଟଙ୍କା ଏବଂ କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି । ଉକ୍ତ ବ୍ରାଉନସୁଗର ବାଲେଶ୍ୱରରୁ ଆଣିଥିବାବେଳେ ଏହାକୁ ଗଞ୍ଜାମ ଏବଂ ଖୋର୍ଦ୍ଧା ଅଞ୍ଚଳରେ ବିକ୍ରୀ ନେଇ ଯୋଜନା ରଖିଥିବା ସେମାନେ ପୁଲିସକୁ କହିଥିଲେ ।
ଗତ ୬ ବର୍ଷ ହେବ ଖୋର୍ଦ୍ଧା ଅଞ୍ଚଳ ଡ୍ରଗ୍ ମାଫିଆଙ୍କ ସାମ୍ରାଜ୍ୟ ପାଲଟିଛି । ଆଦର୍ଶ ଥାନାରେ ଗତବର୍ଷ ୧୧ ଗୋଟି ଡ୍ରଗ୍ କାରବାର ସମ୍ପର୍କୀତ ମାମଲା ରୁଜୁ ହୋଇଥିବାବେଳେ ୧୮ ଡ୍ରଗ୍ ବେପାରୀ ଓ ମାଫିଆ ଗିରଫ ହୋଇଛନ୍ତି । ୪ କିଲୋ ୬୯୧ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୫ କୋଟି ହେବ ବୋଲି ଜଣାପଡ଼ିଛି । ସେହିପରି ଗତବର୍ଷ ଗିରଫ ମାଫିଆଙ୍କ ନିକଟରୁ ମୋଟ୍ ୧୧ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ବନ୍ଧୁକ, ୩ ବାଇକ୍ ଏବଂ ଗୋଟିଏ କାର ଜବତ ହୋଇଛି । ଡ୍ରଗ୍ ମାଫିଆମାନେ ପଶ୍ଚିମବଙ୍ଗ ଓ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗର ଆଣି ଖୋର୍ଦ୍ଧା ସମେତ ଏହା ଉପଖଣ୍ଡରେ ବିକ୍ରୀ କରୁଛନ୍ତି । ମୁଖ୍ୟତଃ ଆଦର୍ଶ ଥାନା ଅର୍ନ୍ତଗତ ଠେଙ୍ଗାହାଡ଼, ସାମନ୍ତରାପୁର, ଲୋକେଶ୍ୱରପୁର, ଗଡ଼ଖୋର୍ଦ୍ଧା ବିଡିଏ କଲୋନୀ ମାଫିଆଙ୍କ ସୁରକ୍ଷିତ ସ୍ଥାନ । ଏଠାରୁ ଜଟଣୀ, ଭୁବନେଶ୍ୱର, ବେଗୁନିଆ, ବୋଲଗଡ଼ ଭଳି ଅନେକ ସ୍ଥାନକୁ ଚାଲାଣ କରୁଥିବା କୁହାଯାଉଛି । ସୋମବାର ଗିରଫ ଅଭିଯୁକ୍ତ ଅମିତ ନାମରେ ଖଲ୍ଲିକୋଟ ଥାନାରେ ଏକ ଡକାୟତି ମାମଲା ଥିବା ଏସ୍ଡିପିଓ ସୁଶୀଲ ମିଶ୍ର କହିଥିବାବେଳେ ସଂଗ୍ରାମର ଡ୍ରଗ୍ କାରବାର ସମ୍ପର୍କରେ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ନଣ୍ଡୁ ଲେଡିଡନ୍ ରୂପାଙ୍କ ଗ୍ୟାଙ୍ଗରେ କାମ କରୁଥିଲା । ରୂପା ଗିରଫ ହେବା ପରେ ନଣ୍ଡୁ ଅନ୍ୟ ଡ୍ରଗ୍ ମାଫିଆଙ୍କ ଗ୍ୟାଙ୍ଗରେ ସାମିଲ ହୋଇଥିବା ଏସ୍ଡିପିଓ ଶ୍ରୀ ମିଶ୍ର ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି । ନଣ୍ଡୁ ବର୍ତ୍ତମାନ ଡ୍ରଗ୍ ମାଫିଆ ସଞ୍ଜୟ ପ୍ରଧାନ ଗ୍ୟାଙ୍ଗରେ କାମ କରୁଥିବା ଏସ୍ଡିପିଓ ମିଶ୍ର ସନେ୍ଦହ କରିଛନ୍ତି ।


Comments are closed, but trackbacks and pingbacks are open.