କୋକସରା,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ସୁନା ଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେବାର ଦିନକ ପରେ କଳାହାଣ୍ଡି ଜିଲ୍ଲା କୋକସରା ଥାନାଞ୍ଚଳରେ ଆଜି ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ଥାନା ମୋଟେର ଫାଣ୍ଡି ଚାରବାହଲ ଶାନ୍ତିନଗରପଡ଼ାର ଜି. ଶ୍ରୀନିବାସ ରାଓଙ୍କ ଘରେ ଡକାୟତି ହୋଇଛି । ଡକାୟତମାନେ ଘରେ ପଶି ୬ ଭରି ସୁନା ଗହଣା ଏବଂ ୧ ଲକ୍ଷ ୪ ହଜାର ଟଙ୍କା ଲୁଟିନେଇଥିବା ଶ୍ରୀ ରାଓ ମୋଟେର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨ଟା ପରେ ରାଓଙ୍କ ପରିବାର ଶୋଇବାକୁ ଯାଇଥିଲେ । ଏହାପରେ କିଛି ଦୁର୍ବୃତ୍ତ ତାଙ୍କ ଘର କବାଟ ତାଡ଼ି ଭିତରକୁ ପ୍ରବେଶ କରିଥିଲେ । ପରିବାରର ସଦସ୍ୟଙ୍କୁ ଶୟନ କକ୍ଷ ବାହାରପଟୁ କବାଟ ବନ୍ଦ କରି ପାଖ କୋଠରୀରେ ଥିବା ଆଲମିରାରୁ ନଗଦ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଥିଲେ । ତେବେ କେତେଜଣ ଦୁର୍ବୃତ୍ତ ଏହି ଡକାୟତିରେ ସାମିଲଥିଲେ ତାହା ଘର ମାଲିକ ସ୍ପଷ୍ଟ ଭାବେ କହି ପାରୁନାହାନ୍ତି । ଖବର ପାଇ କୋକସରା ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ର ଏଡି ନିକୁଞ୍ଜ କେଶରୀଙ୍କ ତତ୍ତ୍ୱାବଧାନରେ ଫିଙ୍ଗର ପ୍ରିଣ୍ଟ ଏସ୍ଆଇ ବିମଳ ନୟନ ବେହେରା, ଫଟୋଗ୍ରାଫର ବୀର କିଶୋର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । କୋକସରା ଥାନାଧିକାରୀ ବାସୁଦେବ ଛତ୍ରିଆ ତଦନ୍ତ ଆରମ୍ଭ କରିବା ସହ ପରିବାର ବର୍ଗଙ୍କ ବୟାନ ରେକର୍ଡ କରିଥିଲେ । ଏନେଇ କୋକସରା ଥାନାରେ ଏକ ଚୋରି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ସୂଚନା ଦେଇଛନ୍ତି । ତେବେ ଦୁଇରାତିରେ ଦୁଇ ପଡେ଼ାଶୀ ଜିଲ୍ଲାରୁ ଦୁର୍ବୃତ୍ତମାନେ ଘରକବାଟ ଭାଙ୍ଗି ବିପୁଳ ଟଙ୍କା ଓ ସୁନା ଲୁଟିନେବା ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.