କେନ୍ଦୁଝର: ମୃଗସାର ଶିକାର ଅଭିଯୋଗରେ କେନ୍ଦୁଝର ବନଖଣ୍ଡର ତେଲକୋଇ ବନ ବିଭାଗ ଆଜି ୬ଜଣ ଶିକାରିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦେଉଳଡିହା ପଞ୍ଚାୟତ ମଧ୍ୟପୁର ଗ୍ରାମର ଭୋଳେଶ୍ୱର ବେହେରା (୫୫), ବେଣୁଧର ବେହେରା(୩୮), ଅଶୋକ ବେହେରା(୪୫), ପଠାଣି ମନ୍ତ୍ରୀ(୫୦), ଇଶ୍ୱର ସେଠୀ(୫୦) ଓ ଗଣେଶ୍ୱର ଦେହୁରୀ(୪୫) । ସେମାନଙ୍କ ନିକଟରୁ ମୃତ ମୃଗସାରର କିଛି ଅଂଶ ଓ ବ୍ୟବହୃତ ଶିକାର ସରଞ୍ଜାମ ଜବତ ହୋଇଛି । ସମସ୍ତ ଶିକାରି ସ୍ଥାନୀୟ ଅଞ୍ଚଳର ବୋଲି ବନ ବିଭାଗ ସୂଚନା ଦେଇଛି । ଅଭିଯୁକ୍ତଙ୍କୁ ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କେସ୍ ନଂ ୪୪ଟି/୨୦୨୧-୨୦୨୨ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲଣ କରାଯାଇଛି ।
ଗତ ଶୁକ୍ରବାର ପୂର୍ବାହ୍ଣରେ ମଧ୍ୟପୁର ସ୍ଥିତ ସମାକୋଇ ସଂରକ୍ଷିତ ଜଙ୍ଗଲରେ ମଧ୍ୟପୁର ଗ୍ରାମର କିଛି ଶିକାରି ଫାସ( ଲୁହା ତାର,କଟୁରୀ,ଟାଙ୍ଗିଆ) ଦ୍ୱାରା ଏକ ମୃଗସାର ହରିଣକୁ ଶିକାର କରି ଭାଗ ବଣ୍ଟା କାରିବା ସହିତ ଲୋକଙ୍କୁ ମାଂସ ବିକ୍ରି କରିବାକୁ ଯୋଜନା କରୁଥିଲେ । ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ବିଶେଷ ସୂତ୍ରରୁ ଘଟଣା ସମ୍ପର୍କରେ ଖବର ପାଇ ତେଲକୋଇ ବନପାଳ ବିଭୁତି କୁମାର ସେଠୀ ଓ ବନ୍ୟପ୍ରାଣୀ ସୁରକ୍ଷା କର୍ମୀଙ୍କ ସହିତ ଘଟଣାସ୍ଥଳରେ ଚଢ଼ଉ କରିଥିଲେ । ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରିମାନେ ଚମ୍ପଟ ମାରିଥିଲେ । ପରେ ସେମାନଙ୍କୁ ଚିହ୍ନଟ କରି ବନ ବିଭାଗ ଗିରଫ କରିଛି । ଏହା ସହିତ ସେମାନଙ୍କ ପାଖରୁ ଶିକାର ମୃଗସାରର ଖଣ୍ଡ ବିଖଣ୍ଡିତ କିଛି ଅଂଶ ବନ ବିଭାଗ ଜବତ କରିଛି । ତେବେ ଏହି ଘଟଣାରେ ଆଉ କେତେ ଲୋକଙ୍କ ସମ୍ପୃକ୍ତି ଥିବା ବନ ବିଭାଗ ଜାଣିବାକୁ ପାଇଛି । ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଗଣ ମାଧ୍ୟମଙ୍କୁ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବେ ସ୍ଥାନୀୟ ଉଦୟଗିରି ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦୁ୍ୟତ୍ ଫାସରେ ପଡି ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ବନ ବିଭାଗ ଏହି ଘଟଣାରେ କାହାରିକୁ ଗିରଫ କରି ନପାରିବା ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ ଶିକାର ପାଇଁ ବ୍ୟବହୃତ ହୋଇଥିବା କିଛି ସଂରଞ୍ଜାମ ଜବତ କରି ନିଜର କର୍ତବ୍ୟ ସମ୍ପାଦନ କରିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.