ବୈପାରିଗୁଡ଼ା,(ବି.ବି.ନୁ୍ୟଜ୍): ବହୁବାର ଦାବି ପରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ପାଇଁ ଖୋଲାଗଲା ହଷ୍ଟେଲ୍ । ୬ ମାସ ଭିତରେ ଦିଆଗଲାନି ଟଙ୍କାଟିଏ ହେଲେ ଅନୁଦାନ । ହଷ୍ଟେଲ ଖୋଲି ଦେଇ ନିରବ ରହିଲେ ସରକାର । ଏଣେ ପିଲାଙ୍କ ମୁହଁରେ ଖାଦ୍ୟ ଦେବାକୁ ଯାଇ କରଜରେ ବୁଡିଗଲେ ପ୍ରଧାନଶିକ୍ଷକ । ବିଭିନ୍ନ ଆଡୁ ଉଧାର କରି ୭୦ ହଜାର ଟଙ୍କାର ରାସନ ସାମଗ୍ରୀ କିଣିଲେ । ଏ ବାବଦରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଇଲେ । ତଥାପି ପ୍ରତିକାର ବ୍ୟବସ୍ଥା କରାଗଲାନି । ଶେଷରେ ସବୁଆଡୁ ନିରାଶ ହୋଇ ପିଲାଙ୍କୁ ଭୋକରେ ରଖିବା ଅପେକ୍ଷା ଘରକୁ ପଠାଇ ଦେଲେ । ଗତ ୧୫ ଦିନ ହେଲା ୨୯ ଛାତ୍ରୀ ପାଠ ଛାଡିଛନ୍ତି । ହଷ୍ଟେଲରୁ ବାହାରିଯାଇ ନିଜ ନିଜ ଘରେ ରହିଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ।
ମିଳିଥିବା ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ଦୂରଦୂରାନ୍ତରୁ ଆସୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ବ୍ୟବସ୍ଥା କରିବାକୁ ସରକାରଙ୍କ ପାଖରେ ବହୁବାର ଦାବି କରାଯାଇଥିଲା । ଦାବି ଯଥାର୍ଥ ବୋଲି ବିଳମ୍ବରେ ଅନୁଭବ କରିଥିଲେ ସରକାର । ଖୋଲାଗଲା ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ । ବିଳମ୍ବରେ ଖୋଲାଯାଇଥିବାରୁ ୧୧୦ ଛାତ୍ରୀ ବଦଳରେ ରହିଲେ ମାତ୍ର ୨୯ ଜଣ । ପରିତାପର ବିଷୟ, ଗତ ମେ ମାସରୁ ସେମାନେ ହଷ୍ଟେଲରେ ରହିଥିଲେ ହେଁ ଖାଦ୍ୟ ବାବଦରେ ଟଙ୍କାଟିଏ ହେଲେ ପ୍ରଦାନ କରାଗଲା ନାହିଁ । ବାଧ୍ୟ ହୋଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜିତ କୁମାର ସାମଲ ବିଭିନ୍ନ ଦୋକାନରୁ ବାକିରେ ରାସନ ସାମଗ୍ରୀ କିଣିଲେ । ଦିନକୁ ଦିନ ବଢିବାରେ ଲାଗିଲା ବାକି । ୭୦ ହଜାର ଟଙ୍କାରେ ପହଞ୍ଚିଲା । ଶେଷରେ ଦୋକାନୀମାନେ ଆଉ ସାମଗ୍ରୀ ଦେବାକୁ ମନା କରି ଦେଲେ । ଉପାୟ ଶୂନ୍ୟ ହୋଇ ପ୍ରଧାନଶିକ୍ଷକ ଶ୍ରୀ ସାମଲ ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ଏବଂ ବିଡିଓ ରଜନୀକାନ୍ତ ଦାସଙ୍କୁ ପତ୍ର ଲେଖି ଜଣାଇଲେ । ତଥାପି କୌଣସି ପଦକ୍ଷେପ ନିଆଗଲାନାହିଁ । ତେଣୁ ବାଧ୍ୟ ହୋଇ ଛାତ୍ରୀନିବାସରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଘରକୁ ପଠାଇ ଦେଲେ ବୋଲି କ୍ଷୋଭର ସହ କହିଛନ୍ତି ଶ୍ରୀ ସାମଲ ।
ପ୍ରଧାନଶିକ୍ଷକଙ୍କ ଏଭଳି ପଦକ୍ଷେପ ପରେ ଆମେ ଭେଟିଥିଲୁ ଛାତ୍ରୀନିବାସ ଛାଡିଥିବା କେତେକ ଅନ୍ତେବାସୀଙ୍କୁ । ନବମ ଶ୍ରେଣୀର ଛାତ୍ରୀ ଗାରି ନାୟକ, ବାସନ୍ତୀ ଶିଶା, ଡମାଇ ଚଲାଣ, ବାସନ୍ତୀ ପୂଜାରୀ, ଜ୍ୟୋତି ଟାକ୍ରି, ସନାଲି ମହୁରିଆ, ଅମ୍ବିକା ବାରିକ, ପରି ପୂଜାରୀ, ସମାରୀ ଶିଶା, ଶିବାନୀ ନାୟକ, ମାଳତୀ ମାଝୀ, ଗୀତା ଖରା ଏବଂ ଦଶମ ଶ୍ରେଣୀ ଛାତ୍ରୀ ଭଗବତୀ କେନ୍ଦୁଙ୍କ ପ୍ରତିକ୍ରିୟା ଲୋଡିଥିଲୁ । ସେମାନେ ପ୍ରଧାନଶିକ୍ଷକଙ୍କ କଥାକୁ ସ୍ୱୀକାର କରିଥିଲେ । କହିଲେ, ପାଠପଢିବାକୁ ହଷ୍ଟେଲରେ ରହିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ହଷ୍ଟେଲ ଛାଡି ଚାଲିଯିବାକୁ କହିବାରୁ ଚାଲି ଆସିଲେ । ଦୀର୍ଘ ୧୫ ଦିନ ହେଲା ପାଠପଢା ବନ୍ଦ ରହିଛି । ପଢିବା ଲାଗି ମନରେ ମେଞ୍ଚାଏ ଆଶା ଥିଲେ ମଧ୍ୟ ଉପାୟ ନାହିଁ ବୋଲି ଦୁଃଖର ସହିତ କହିଛନ୍ତି । ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ ଶ୍ରୀ ସାମଲ କହିଛନ୍ତି, ଦୋକାନୀମାନେ ରାସନ ସାମଗ୍ରୀ ଆଉ ବାକିରେ ଦେଲେ ନାହିଁ । ପିଲାଙ୍କୁ ଭୋକିଲା ପେଟରେ ଦେଖିପାରିବେ ନାହିଁ । ତେଣୁ ବାଧ୍ୟ ହୋଇ ଘରକୁ ପଠାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରଶ୍ନ ଉଠୁଛି, ଛାତ୍ରୀନିବାସକୁ ୬ ମାସ ହେଲା ସରକାରୀ ଅନୁଦାନ ଆସିଲାନି କାହିଁକି? ଛାତ୍ରୀମାନଙ୍କ ଭବିଷ୍ୟତ ସହ ଶିକ୍ଷା ବିଭାଗ ଏଭଳି ଖେଳ ଖେଳିଲା କାହିଁକି? କେଉଁ ଉଦେ୍ଧଶ୍ୟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରୀନିବାସ ନିର୍ମାଣ କରାଗଲା? ଉଚ୍ଚ ପଦସ୍ଥ ଅଧିକାରୀମାନେ ସମସ୍ୟା ସୁଧାରିବା ଦିଗରେ ପଦକ୍ଷେପ ନେଲେନି କାହିଁକି? ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ଦରକାର । ହଷ୍ଟେଲ ଛାଡିଥିବା ଛାତ୍ରୀମାନଙ୍କୁ ଫେରାଇ ଆଣି ତୁରନ୍ତ ସେମାନଙ୍କ ପାଠପଢା ବ୍ୟବସ୍ଥା କରାଇବା ଦରକାର । କିନ୍ତୁ ତା’ ପୂର୍ବରୁ ହଷ୍ଟେଲ କେମିତି ନିୟମିତ ଚାଲିପାରିବ, ତାହାର ସ୍ଥାୟୀ ବ୍ୟବସ୍ଥା ହେବା ଅନିବାର୍ଯ୍ୟ ।


Comments are closed, but trackbacks and pingbacks are open.