
ବୈପାରିଗୁଡ଼ା,(ବି.ବି.ନୁ୍ୟଜ): ବୈପାରିଗୁଡ଼ା ପୁଲିସ୍ ପକ୍ଷରୁ ଚଢଉ କରାଯାଇ ୭୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚାଲାଣରେ ବ୍ୟବହୃତ ଏକ କାର୍ ସହ ୨ଟି ମୋବାଇଲ୍ ଫୋନ୍, ଆଧାରକାର୍ଡ, ୫୩୦ ଟଙ୍କା ଜବତ କରାଯାଇଛି । ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରଘୁନାଥ ମାଝୀ କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା ପୁଲିସ୍ । ଗଞ୍ଜେଇ ଧରିବା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବୈପାରିଗୁଡା-ଗୁପ୍ତେଶ୍ୱର ରାସ୍ତାରେ ଅପେକ୍ଷା କରିଥିଲା । କାର୍ଟି ଦ୍ରୁତଗତିରେ ଆସି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିବା ଦେଖି ପୁଲିସ୍ ପିଛା କରିଥିଲା । ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଗାଡିକୁ ପୁଲିସ୍ ଅଟକାଇବାରେ ସଫଳ ହୋଇଥିଲା । ଯାଞ୍ଚ କରିବା ପରେ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଗଞ୍ଜେଇ ବୋଝେଇ କାର୍ ସହ ୨ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ୍ ଥାନାକୁ ଆଣିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଓଜନ ପରେ ୭୬ କେଜି ୩୦୦ ଗ୍ରାମ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ବୈପାରିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ପୁଲିସ୍ କହିଛି ।
Comments are closed, but trackbacks and pingbacks are open.