୭୬ କୋଟିରେ ହେବ ନୂଆ ଡିଏଚ୍ଏଚ୍

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ଫୁଲବାଡରେ ଥିବା ଜିଲ୍ଲା ହସ୍ପିଟାଲର ହେବ ନୂଆ କଳେବର । ପରିସରରେ ତିଆରି ହେବ ନୂଆ ମେଡିକାଲ କୋଠା, କର୍ମଚାରୀ କ୍ୱାର୍ଟର ଏବଂ ରୋଗୀ ସମ୍ପର୍କୀୟଙ୍କ ଲାଗି ବିଶ୍ରାମଗୃହ । ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୭୬ କୋଟି ଟଙ୍କା । ପ୍ରଶାସନିକ ଅନୁମତି ଲାଗି ଫାଇଲ ପଠାଯାଇଛି । ଅନୁମତି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସେହିପରି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସ୍ୱର୍ଗରଥର ପୁନଃ ନିର୍ମାଣ କରାଯିବ । କାମ ୨ ସପ୍ତାହ ଭିତରେ ସରିବା ପରେ ଲୋକେ ଏହାକୁ ବ୍ୟବହାର କରିପାରିବେ । ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟ ।
ଗୁରୁବାର ରାତିରେ ଜିଲ୍ଲା ହସପିଟାଲ ସମ୍ମିଳନୀ କକ୍ଷରେ ବସିଥିଲା ବୈଠକ । ହସପିଟାଲର ଉନ୍ନୟନ ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲା ହସପିଟାଲ ଘୋଷଣା ହୋଇ ବି ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି ବୋଲି ମତପ୍ରକାଶ ପାଇଥିଲା । ଉପଖଣ୍ଡ ଚିକିତ୍ସାଳୟ କୋଠାରେ ଜିଲ୍ଲା ହସପିଟାଲ କାମ ଚାଲିଛି ବୋଲି ଅଭିଯୋଗ ଆସିଥିଲା । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ ମେଡିକାଲରେ ହେବାକୁ ଥିବା ବିଭିନ୍ନ ନିର୍ମାଣ ସମ୍ପର୍କରେ କହିଥିଲେ । ପରିସରରେ ଏକ ୪ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଯାହା ମୁଖ୍ୟ ଚିକିତ୍ସାଳୟ ଭାବେ କାମ କରିବ । ଏଥିଲାଗି ୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । କର୍ମଚାରୀମାନେ ରହିବାକୁ ଅସୁବିଧା ଭୋଗୁଥିବାରୁ ସେମାନଙ୍କ ଲାଗି କ୍ୱାର୍ଟର ତିଆରି କରାଯିବ । ୩ ମହଲା ହେବ ଏହି କୋଠା । ଯେଉଁଥିରେ ବିଭିନ୍ନ ସୁବିଧା ସୁଯୋଗ ସହ ମୋଟ ୯୬ଟି କ୍ୱାର୍ଟର ରହିବ । ନୂଆ ମେଡିକାଲ କୋଠା ତିଆରି ହେବା ପରେ ରୋଗୀ ସଂଖ୍ୟା ଆହୁରି ବଢିଯିବ । ହସପିଟାଲକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ଏକ ଆଧୁନିକ ଆଟେଣ୍ଡାଣ୍ଟ ବିଶ୍ରାମକକ୍ଷ କରାଯିବ । ଏଥିଲାଗି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରଶାସନିକ ଅନୁମତି ଲାଗି ଏ ସମ୍ପର୍କିତ ଫାଇଲ ପଠାଯାଇଛି । ଏହାସହ କାଓକ୍ୟାଚର୍, ରେଷ୍ଟସେଡ୍ ଏବଂ ଆହାରକେନ୍ଦ୍ର କାମ ଜାରି ରହିଛି । ଖୁବଶୀଘ୍ର କାମ ସରିଯିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
ପରେ ପରେ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ‘ମୋ ସରକାର’ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଏବଂ କର୍ମଚାରୀମାନେ ଭଲ ବ୍ୟବହାର ଦେଖାଇବା, ଠିକ୍ ସମୟରେ ଡାକ୍ତରଖାନାକୁ ଆସିବା, ପରିସର ସଫାସୁତର ରଖିବା, ସମସ୍ତ କର୍ମଚାରୀ ବାୟୋମେଟ୍ରିକ୍ ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ରୋଗୀଙ୍କୁ କୌଣସି ପରିସ୍ଥିତିରେ ବାହାରୁ ଔଷଧ କିଣିବାକୁ ବାଧ୍ୟ ନକରିବାକୁ ଡାକ୍ତରଙ୍କୁ ତାଗିଦ୍ କରିଥିଲେ । ସମସ୍ତ ଔଷଧ ନିରାମୟ କେନ୍ଦ୍ରରୁ ଦେବାକୁ କହିଥିଲେ । ଦରକାର ପଡୁଥିବା ଔଷଧ ଆଗୁଆ ତାଲିକା କରି ଦେଲେ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ବୈଠକରେ ଜିଲ୍ଲାପାଳ, ନିର୍ବାହୀ ଯନ୍ତ୍ରୀଙ୍କ ସହ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା, ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର ବି. ଜୟବାବୁ, ଏଡିଏମ୍ଓ ଡାକ୍ତର ଅରୁଣ ପାଢି, ଏସ୍ଡିପିଓ ଜି. ବରୁଣ, ପୌର ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ, ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି, ସଦର ଓଆଇସି ଶିବଶଙ୍କର ସାହୁ, ଡିପିଏମ୍ଓ ଶିବ ପ୍ରସାଦ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons