ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୀର୍ଘ ୧୦ ମାସର ବ୍ୟବଧାନ ପରେ ସ୍କୁଲର ତାଲା ଖୋଲିବ । ପିଲା ଓ ଅଭିଭାବକଙ୍କ ଭିତରେ ସ୍କୁଲ ଖୋଲିବାକୁ ନେଇ ଥିବା ଆଶଙ୍କା ଦୂର ହୋଇଛି । ସରକାର ଘୋଷଣା କରିଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଆସନ୍ତା ୮ ତାରିଖରୁ ଖୋଲିବ । ଶନିବାର ଓ ରବିବାର ମଧ୍ୟ ପାଠପଢ଼ା ହେବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛି । ମାଟ୍ରିକ୍ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ୧୫ ଯାଏ ଚାଲିବ । ଏହାପରେ ମେ ୧୫ରୁ ଜୁନ୍ ୧୧ ଯାଏ ଯୁକ୍ତଦୁଇ ପରୀକ୍ଷା ହେବ । ଦଶମ ଶ୍ରେଣୀ ପିଲାଙ୍କ ଏପ୍ରିଲ୍ ୨୭ରୁ ମେ ୨ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏପ୍ରିଲ୍ ୨୯ରୁ ମେ ୧୪ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଚାଲିବ । ପରୀକ୍ଷା ପୂର୍ବରୁ ପ୍ରଥମେ ଜାନୁଆରୀ ୮ରୁ ଏପ୍ରିଲ୍ ୨୬ ଯାଏ ଦଶମ ଓ ଜାନୁଆରୀ ୮ରୁ ଏପ୍ରିଲ୍ ୨୮ ଯାଏ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ । ଶନିବାର ଓ ରବିବାରକୁ ମିଶାଇ ଉଭୟ ଶ୍ରେଣୀ ପାଇଁ ୧୦୦ ଦିନର ପାଠପଢ଼ା ହେବ ।
ପାଠପଢ଼ା ସମ୍ପର୍କରେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁÂାନ ଖୋଲିବ । କଣ୍ଟେନ୍ମେଣ୍ଟ ଜୋନ୍ରେ ଥିବା ସ୍କୁଲ ବନ୍ଦ ରହିବ । କୌଣସି ହଷ୍ଟେଲ୍ ଖୋଲିବ ନାହିଁ । ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦେ୍ର୍ଧଶାବଳୀ ବାଧ୍ୟତାମୂଳକ ଭାବେ ପାଳନ ହେବ ।
ଗାଇଡ୍ଲାଇନ୍ ଅନୁସାରେ, କଣ୍ଟେନ୍ମେଣ୍ଟ ଜୋନ୍ରେ ଥିବା ସ୍କୁଲ ବନ୍ଦ ରହିବ । ସେହିପରି କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସ୍କୁଲରେ ଯୋଗଦେବେ ନାହିଁ । ଯଦି କୌଣସି ଅଞ୍ଚଳରେ ସ୍କୁଲ ଚାଲିଥିବ ଓ କରୋନା ପାଇଁ ସେହି ଅଞ୍ଚଳ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ହେବ ତେବେ ସଙ୍ଗେ ସଙ୍ଗେ ସ୍କୁଲକୁ ବନ୍ଦ କରାଯିବ । ସ୍କୁଲ ଆସିବା ପାଇଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଲିଖିତ ଅନୁମତି ଆଣିବେ । ସ୍କୁଲ ଆସିବା ପାଇଁ ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ଜିଲ୍ଲାପାଳ ସ୍କୁଲ ଖୋଲିବାର ସମୟ ଓ ପ୍ରକ୍ରିୟା ବିଷୟରେ ନିଷ୍ପତ୍ତି ନେବେ । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ଆସବାବପତ୍ର, ଲାବ୍ରୋଟୋରୀ, ଷ୍ଟୋରେଜ୍, ପାଣିଟାଙ୍କି, ରୋଷେଇ ଘର, ଶୌଚାଳୟ ଓ ଅନ୍ୟ ସବୁ ଅଞ୍ଚଳ ସାନିଟାଇଜ୍ କରାଯିବ । ଯଦି କୌଣସି ସ୍କୁଲରେ ପାନୀୟଜଳ ବ୍ୟବସ୍ଥା ଓ ଶୌଚାଳୟ ସୁବିଧା ନଥିବ ତେବେ ସେହି ସ୍କୁଲ ଖୋଲିବ ନାହିଁ ।
ପୂର୍ବ ସମୟ ଅନୁସାରେ ସ୍କୁଲ ଚାଲିବ । ଅନ୍ଲାଇନ୍ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଜାରି ରହିବ । ବିଭାଗ ପକ୍ଷରୁ କରାଯାଇଥିବା ସଂଶୋଧିତ ପାଠ୍ୟକ୍ରମ (ରିଭାଇଜ୍ଡ୍ ସିଲାବସ୍) ହିସାବରେ ପ୍ରଥମରୁ ପାଠପଢ଼ା ହେବ । ଯଦି କୌଣସି ସ୍କୁଲରେ ପିଲାମାନେ ଶ୍ରେଣୀଗୃହକୁ ଆସି ପଢ଼ିବା ପରିବର୍ତ୍ତେ ଅନ୍ଲାଇନ୍ କ୍ଲାସ୍ ପ୍ରତି ଆଗ୍ରହୀ ତେବେ ସେମାନେ ଅନ୍ଲାଇନ୍ କ୍ଲାସ୍ କରିପାରିବେ ।
ଛାତ୍ରଛାତ୍ରୀମାନେ ସ୍କୁଲ ବସ୍ରେ ନଆସିବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକମାନେ ନିଜସ୍ୱ ସୁବିଧାରେ ପିଲାଙ୍କୁ ନେବାଆଣିବା ପାଇଁ କୁହାଯାଇଛି । ପାଠପଢ଼ା ପାଇଁ ଗୋଟିଏ ଶ୍ରେଣୀଗୃହରେ ଅତିବେଶୀରେ ୨୦ ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ । ପରୀକ୍ଷା ଭଳି ଯେଉଁ ପିଲା ପ୍ରଥମ ଦିନରୁ ଯେଉଁଠି ବସିଥିବ ସେହିସ୍ଥାନରେ ବସିବେ । ଏଥିପାଇଁ ସ୍କୁଲ ପକ୍ଷରୁ ବେଞ୍ଚ ଓ ଡେସ୍କ୍ରେ ରୋଲ୍ନମ୍ବର ଲେଖାଯିବ । ଷ୍ଟାଫ୍ ରୁମ୍, ମେସ୍, ଲାଇବ୍ରେରୀ, କ୍ୟାଫେଟେରିଆ ଆଦି ସ୍ଥାନରେ ମଧ୍ୟ ସାମାଜିକ ଦୂରତା ରହିବ । ଯେଉଁଠି ସ୍ଥାନ ଅଧିକ ଥିବ ସେଠାରେ ସମସ୍ତେ ପଢ଼ିବେ । ସ୍କୁଲଠୁ ୧୦୦ ମିଟର ଦୂରତା ମଧ୍ୟରେ କେହି ଖାଦ୍ୟପଦାର୍ଥ ବିକ୍ରି କରିପାରିବେ ନାହିଁ । କ୍ଲାସ୍ ପାଇଁ ଅଲଗା ଅଲଗା ରିସେସ୍ ଓ ବ୍ରେକ୍ ସମୟ ଦିଆଯିବ ।
ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ହେଲ୍ପଲାଇନ୍ ନମ୍ବର ଓ ଆଞ୍ଚଳିକ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ନମ୍ବର ବୋର୍ଡରେ ଲେଖିବେ । କୋଭିଡ୍-୧୯ରୁ ରକ୍ଷା ପାଇଁ ବିଭିନ୍ନ ପୋଷ୍ଟର ମଧ୍ୟ ଲଗାଇବେ । ସ୍କୁଲରେ ଗୋଟିଏ ସଂଗରୋଧ ଗୃହ ରହିବ । ଯଦି କୌଣସି ଛାତ୍ରଛାତ୍ରୀ ବା ଶିକ୍ଷକ କୋଭିଡ୍ ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ଅନ୍ୟମାନଙ୍କଠାରୁ ପ୍ରଥମେ ସେହି ଗୃହରେ ଅଲଗା ରଖାଯିବ । ସ୍କୁଲ କର୍ତ୍ତୃପକ୍ଷ ଏହାପରେ ଅଭିଭାବକଙ୍କୁ ଖବର ଦେବେ । ଏହାସହ ପାଖରେ ଥିବା ଡାକ୍ତରଖାନା ବା ଜିଲ୍ଲା ହେଲ୍ପଲାଇନ୍କୁ ଫୋନ୍ କରିବେ । ଯଦି କୋଭିଡ୍ ଚିହ୍ନଟ ହୁଅନ୍ତି ତେବେ ସ୍କୁଲକୁ ସଂକ୍ରମଣ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକଙ୍କ ମଧ୍ୟରେ ଏକ ବୈଠକ ବସିବ । ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ । ବୈଠକକୁ ରେକର୍ଡ କରି ରଖାଯିବ । ସ୍କୁଲକୁ ଆସି ଏସ୍ଏମ୍ସିର ସଦସ୍ୟମାନେ ସୁରକ୍ଷା ବିଷୟରେ ତଦାରଖ କରିବେ । ସବୁ ସୂଚନା ଅଭିଭାବକମାନଙ୍କୁ ହ୍ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ପଠାଯିବ ।
Comments are closed, but trackbacks and pingbacks are open.