୮୫ ପେଟି ବିଦେଶୀ ମଦ ଜବତ

Get real time updates directly on you device, subscribe now.

ବଅଁରପାଳÿ: ପୁଲିସ ନାକନିଶ ତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ ଚାଲିଆସୁଥିଲେ ମଧ୍ୟ ଆଜି ଧରାପଡ଼ିଛି । ବଅଁରପାଳ ଥାନା ପୁଲିସ ଆଜି ସକାଳେ ନୂଆହତା ଛକରେ ଚଢ଼ଉ କରି ୮୫ ପେଟି ବିଦେଶୀ ମଦ ଜବତ କରିଛି । ଚୋରା ମଦ କାରବାର ଅଭିଯୋଗରେ ଗଶେଶ ସାହୁ (୨୮) ନାମକ ସ୍ଥାନୀୟ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ୨୩ ପ୍ରକାରର ମୋଟ ୭୪୦ ଲିଟର ବିଦେଶୀ ମଦ ଜବତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ବଅଁରପାଳ ଥାନା ଇଲାକା ନୂଆହତା ଛକ ନିକଟରେ ପୂର୍ବରୁ ଏକ ମଦ କାଉଣ୍ଟର୍ ଥିବା ବେଳେ ତା ଏବେ ବନ୍ଦ ହୋଇଯାଇଛି । ସେଇ କାଉଣ୍ଟର୍ ପାଖରେ ଗଣେଶର ଏକ ଛୋଟ ତେଜରାତି ଦୋକାନ ରହିଥିଲା । ତେବରାତି ଦୋକାନ ବାହାନାରେ ସେ କିନ୍ତୁ ମଦ ଚୋରା କାରବାର କରି ଆସୁଥିଲା । ତା’ ନାମରେ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାଯାଇଛି । ସ୍ୱୀକୃତିପ୍ରାପ୍ତ ମଦଦୋକାନ ବନ୍ଦ ହୋଇଯିବା ପରେ ତାର କାରବାର ବୃଦ୍ଧି ପାଇଥିଲା । ଲକ୍ଡାଉନ୍ ବେଳେ ମନଇଚ୍ଛା ଦର କଷି ନିଶାଡ଼ିଙ୍କୁ ମଦ ଯୋଗାଉଥିବା ଜଣାପଡ଼ିଛି । ଏତେ ପରିମାଣର ମଦ ସେ କେଉଁଠୁ ଆଣୁଥିଲା? କିଛି ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନୀ ନିଜର କୋଟା ବିକ୍ରି କରିବାରେ ବିଫଳ ହେବାରୁ ଗଣେଶ ଜରିଆରେ ମାଲ ଖଲାସ କରୁନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଉଠୁଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ କରାଯିବାର ଆବଶ୍ୟକତା ରହିଛି । ବିପୁଳ ପରିମାଣର ମଦ ଚୋରାରେ ଆଣି ଅନାୟାସରେ ବିକ୍ରି କରୁଥିଲେ ମଧ୍ୟ ନା ଅବକାରୀ ବିଭାଗ ନା ପୁଲିସ, କାହାର ଆଖି ପଡ଼ିଥିଲା । କୌଣସି ସୂତ୍ରରୁ ଖବର ପାଇ ବଅଁରପାଳ ଥାନା ଆଇଆଇସି ନରେଶ ସାହୁ, ଏସ୍ଆଇ ବିଚିତ୍ର ଲେଙ୍କା, ସତୀଶ ଲେଙ୍କା ପ୍ରମୁଖ ସଦଳବଳ ଚଢ଼ଉ କରିଥିଲେ । ଏକକାଳୀନ ଏତେ ପରିମାଣର ମଦ ଜବତ ହେବା ଘଟଣା କେବଳ ପୁଲିସ କର୍ମଚାରୀ ନୁହଁନ୍ତି, ସାଧାରଣରେ ବି ଆଲୋଚନାର ପ୍ରସଙ୍ଗ ପାଲଟିଛି । ଏ ସଂକ୍ରାନ୍ତରେ ପୁଲିସ ଏକ କେସ୍ ରୁଜ୍ଜୁ କରିଥିବା ବେଳେ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟ୍ଚାଲାଣ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons