ବେଙ୍ଗାଲୁରୁ:୮ ବର୍ଷ ତଳେ ସେ ଥିଲେ ଜଣେ ଶିକ୍ଷକ । ଆଜି ବିଲିୟନେୟାର ପାଲଟିଛନ୍ତି ଅନ୍ଲାଇନ୍ ଏଜୁକେସନ ଆପ୍ ବାୟଜୁର ପ୍ରତିଷ୍ଠାତା ତଥା ସିଇଓ ବାୟଜୁ ରବୀନ୍ଦ୍ରନ । ୩୭ ବର୍ଷୀୟ ରବୀନ୍ଦ୍ରନ ଏବେ ଦେଶର ବିଲିୟନେୟାର କ୍ଲବ୍ରେ ସାମିଲ ହୋଇଛନ୍ତି । ବ୍ଲୁମ୍ବର୍ଗ ରିପୋର୍ଟ ଅନୁସାରେ ରବୀନ୍ଦ୍ରନଙ୍କ କମ୍ପାନି ଥିଙ୍କ୍ ଏଣ୍ଡ୍ ଲର୍ଣ୍ଣ ଚଳିତ ମାସ ୧୫ କୋଟି ଡଲାର(୧,୦୩୫ କୋଟି ଟଙ୍କା)ର ଫଣ୍ଡିଂ ଏକତ୍ର କରିଛି । ଫଳରେ କମ୍ପାନିର ବଜାର ମୂଲ୍ୟ ୫.୭ ବିଲିୟନ ଡଲାର(୩୯,୩୩୦ କୋଟି ଟଙ୍କା)ରେ ପହଞ୍ଚିଛି । ରବୀନ୍ଦ୍ରନଙ୍କ ନିକଟରେ ୨୧ଧରୁ ଊଦ୍ଧ୍ୱର୍ ସେୟାର ଅଛି । ଶିକ୍ଷକ ରହି ଆସିଥିବା ରବୀନ୍ଦ୍ରନ ୨୦୧୧ରେ ଥିଙ୍କ୍ ଏଣ୍ଡ୍ ଲର୍ଣ୍ଣର ସ୍ଥାପନ କରିଥିଲେ । ୨୦୧୫ରେ ସେ ପ୍ରମୁଖ ଲର୍ଣ୍ଣିଂ ଆପ୍ ବାୟଜୁର ଶୁଭାରମ୍ଭ କରିଥିଲେ ।
ବାୟଜୁର ୩.୫ କୋଟି ଉପଭୋକ୍ତା ଅଛନ୍ତି । ଏଥିମଧ୍ୟରୁ ୨୪ ଲକ୍ଷ ପେଡ୍ ୟୁଜର, ଯେଉଁମାନେ ବର୍ଷକୁ ୧୦ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ ଦେଉଛନ୍ତି । ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ବାୟଜୁ ଲାଭକୁ ଆସିବା ପରେ ରବୀନ୍ଦ୍ରନ ପେନ୍ସନ ଫଣ୍ଡ୍ ଏବଂ ସୋଭରେନ୍ ୱେଲ୍ଥ ଫଣ୍ଡ ଭଳି ଦୀର୍ଘମିଆଦୀ ନିବେଶକଙ୍କୁ ଆକର୍ଷିତ କରିବା ଆରମ୍ଭ କରିଦେଲେ । ଇତିମଧ୍ୟରେ କତାର ଇନ୍ଭେଷ୍ଟମେଣ୍ଟ ଅଥରିଟି ତାଙ୍କ କମ୍ପାନିରେ ନିବେଶ କରିଛି ।
ରବୀନ୍ଦ୍ରନ ଥରେ କହିଥିଲେ ଯେ, ସେ ଦେଶର ଶିକ୍ଷାବ୍ୟବସ୍ଥା ପାଇଁ ଏଭଳି କାର୍ଯ୍ୟ କରିବାକୁ ଚାହାନ୍ତି ଯେପରି ମାଉସ୍ ହାଉସ୍(ଡିଜ୍ନି) ମନୋରଞ୍ଜନ ପାଇଁ କରିଛି । ସେ ନିଜର ନୂଆ ଲର୍ଣ୍ଣିଂ ଆପ୍ରେ ଡିଜ୍ନିର ସିମ୍ବା ଏବଂ ଆନ୍ନା ଚରିତ୍ରକୁ ମଧ୍ୟ ସାମିଲ କରିଛନ୍ତି । ସେ କୁହନ୍ତି ଯେ, ଏହି ଆପ୍ଲିକେସନ ଜରିଆରେ ପିଲାମାନେ ଶିକ୍ଷା ଗ୍ରହଣ କରିବା ପୂର୍ବରୁ ସିମ୍ବା ସେମାନଙ୍କୁ ଆକର୍ଷିତ କରିବ ।
ଇଣ୍ଟର୍ନେଟ୍ ପ୍ଲାନ ଦିନକୁ ଦିନ ଶସ୍ତା ହେଉଥିବାରୁ ଦେଶରେ ଅନ୍ଲାଇନ୍ ଲର୍ଣ୍ଣିଂ ବ୍ୟବସ୍ଥାର ପ୍ରସାର ଘଟୁଛି । ଅନ୍ଲାଇନ୍ ଲଣ୍ଣିଂ ଶିଳ୍ପରେ ବାୟଜୁ ଦ୍ରୁତ ଗତିରେ ବଢ଼ୁଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାର ରାଜସ୍ୱ ଦୁଇଗୁଣ ବଢ଼ି ୩,୦୦୦ କୋଟି ଟଙ୍କାରେ ପହଞ୍ଚିବା ନେଇ କମ୍ପାନି ଆଶା ରଖିଛି ।
ଦକ୍ଷିଣ ଭାରତରେ ଏକ ଗାଁରେ ଜନ୍ମ ନେଇଥିବା ରବୀନ୍ଦ୍ରନଙ୍କ ମାତାପିତା ସ୍କୁଲରେ ଶିକ୍ଷକ ଥିଲେ । ରବୀନ୍ଦ୍ରନଙ୍କ ମନ ସ୍କୁଲରେ ଲାଗୁ ନ ଥିଲା । ସେ ପ୍ରାୟ ସବୁବେଳେ ଫୁଟ୍ବଲ୍ ଖେଳିବାକୁ ଚାଲିଯାଆନ୍ତି । ପାଠପଢ଼ା ସରିବା ପରେ ସେ ଇଞ୍ଜିନିୟର ହେଲେ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତିରେ ସାହାଯ୍ୟ କଲେ । ତାଙ୍କ କ୍ଲାସରେ ପିଲାମାନେ ଏତେମାତ୍ରାରେ ବଢ଼ିଗଲେ ଯେ ଷ୍ଟାଡିୟମ୍ରେ ସେ ଏକସଙ୍ଗେ ହଜାର ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ । ଏଭଳି ଭାବେ ସେ ଏକ ସେଲିବ୍ରିଟି ଶିକ୍ଷକ ପାଲଟିଯାଇଥିଲେ ।
Comments are closed, but trackbacks and pingbacks are open.