୮ ରାଜ୍ୟର ୧୦ ଜିଲ୍ଲାକୁ କେନ୍ଦ୍ରର ଆଲର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ଦ୍ୱିତୀୟ କରୋନା ଲହର ପ୍ରଭାବ କମୁଛି । ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା ଭାଇରସର ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ତୃତୀୟ ଲହରର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏଣୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଡେଲ୍ଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟଗୁଡିକୁ ଆଲର୍ଟ କରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ୮ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ।
ଆନ୍ଧ୍ରପ୍ରଦେଶ, ଗୁଜରାଟ, ହରିଆଣା, ଜମ୍ମୁକାଶ୍ମୀର, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଟେଷ୍ଟି, ଟ୍ରାକିଂ ଏବଂ ଟିକାକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ନିଦେ୍ର୍ଧଶ ଦେଇଛି । ଏହି ୮ ରାଜ୍ୟର ୧୦ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ କେନ୍ଦ୍ର ସରକାର ନିଦେ୍ର୍ଧଶ ଦେଇଛନ୍ତି । ଯେଉଁଠାରେ ବି ଡେଲ୍ଟା ପ୍ଲସ ସଂକ୍ରମିତ ମିଳୁଛନ୍ତି ତତ୍କ୍ଷଣାତ୍ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରିବା ସହ ସଂକ୍ରମିତଙ୍କର କଣ୍ଟାକ୍ଟ ଟ୍ରେସିଂ କରିବାକୁ ମଧ୍ୟ କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ନିୟମ କଡାକଡି ଭାବେ ପାଳନ କରିବା ସହ ଲୋକଙ୍କ ଯାତାୟତ ଉପରେ ରୋକ ଲଗାଇବା ଦ୍ୱାରା ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟର ମୁକାବିଲା କରାଯାଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଅଧିକରୁ ଅଧିକ ସଂକ୍ରମିତଙ୍କର ନମୁନାକୁ ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇ ସେମାନେ ଡେଲ୍ଟା ପ୍ଲସ ଦ୍ୱାରା ସଂକ୍ରମିତ କି ନାହିଁ ଚିହ୍ନଟ କରିବାକୁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନସୁଦ୍ଧା ୫୨ ଜଣ ଡେଲ୍ଟା ପ୍ଲସ ସଂକ୍ରମିତ ଚିହ୍ନଟ ହେଲେଣି । ୪୫ ହଜାର କରୋନା ପଜିଟିଭ ରୋଗୀଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯିବା ପରେ ସେମାନଙ୍କ ମଧ୍ୟରୁ ୫୧ ଜଣ ଡେଲଟା ପ୍ଲସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୨୨ଟି ମାମଲା ସାମ୍ନାକୁ ଆସିଛି । ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୮, କେରଳରେ ୩, ପଞ୍ଜାବରେ ୨, ଗୁଜରାଟରେ ୨ ଏବଂ ଆନ୍ଧ୍ରପ୍ରଦେଶ, ଓଡିଶା, ରାଜସ୍ଥାନ, ଜମ୍ମୁ-କାଶ୍ମୀର, ହରିଆଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ଡେଲ୍ଟା ପ୍ଲସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୨ ଦିନ ପୂର୍ବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡେଲ୍ଟା ପ୍ଲସ ସଂକ୍ରମଣକୁ ନେଇ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କେରଳକୁ ଆଲର୍ଟ ଜାରି କରିଥିଲା । କିନ୍ତୁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଡେଲ୍ଟା ପ୍ଲସ ସଂକ୍ରମିତ ଚିହ୍ନଟ ହେବାରୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟଗୁଡିକୁ ଆଲର୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons