ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ପୁଲିସ୍ ମଙ୍ଗଳବାର ୮୫ ଗ୍ରାମ ବ୍ରାଉନସୁଗର ଜବତ କରିଛି । ଜବତ ବ୍ରାଉନସୁଗର ମୂଲ୍ୟ ସାଢେ଼ ୮ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଇଛି । ଘଟଣାରେ ପୁଲିସ ୨ ଜଣ ମହିଳାଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୮ ହଜାର ୭ଶହ ଟଙ୍କା ଜବତ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅରଡ଼ବଜାର ଅଞ୍ଚଳର ରୋଜିନା ବିବି(୩୦), ସାଲାହା ଓରଫ ସ୍ୱେଲେହା ବିବି(୫୯) ।
କିଛି ଦିନର ବ୍ୟବଧାନ ପରେ ଅରଡ଼ ବଜାରରେ ପୁନଶ୍ଚ ବ୍ରାଉନସୁଗର କାରବାର ହେଉଥିବା ଅଭିଯୋଗ ଆସିଥିଲା । ଏନେଇ ପୁଲିସ୍ ବ୍ରାଉନସୁଗର ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ମ ନଜର ରଖୁଥିଲା । ତେବେ ମସଜିଦ୍ଗଳି ଅଞ୍ଚଳର ଗିରଫ ଦୁଇ ଅଭିଯୁକ୍ତ ବ୍ରାଉନସୁଗର କାରବାର କରୁଥିବା ପୁଲିସ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପୁଲିସ୍ ଅଚାନକ ଭାବେ ଉଭୟଙ୍କ ଘରେ ଚଢ଼ଉ କରିଥିଲା । ଚଢ଼ଉବେଳେ ରୋଜିନା ନିକଟରୁ ୪୦ ଗ୍ରାମ୍ ସହ ନଗଦ ୯ ହଜାର ୩୦୦ ଟଙ୍କା, ସ୍ୱେଲେହା ନିକଟରୁ ୪୫ ଗ୍ରାମ ବ୍ରାଉନସୁଗର ସମେତ ୯ ହଜାର ୪୦୦ ଟଙ୍କା ଜବତ ହୋଇଥିଲା ।
ରୋଜିନା ସ୍ୱାମୀ ସେକ୍ ରୁଗା ମଧ୍ୟ ପୂର୍ବରୁ ବ୍ରାଉନସୁଗର କାରବାର କରୁଥିଲା । ପୁଲିସ୍ ହାତରେ ଧରା ପଡ଼ିବା ପରେ ସେ ପ୍ରାୟ ୩ ମାସ ହେଲା ଜେଲ୍ରେ ଅଛି । ରୁଗା ଜେଲ୍ରେ ରହିବା ପରେ ରୋଜିନା ଏହି କାରବାର ଚଳାଉଥିବା ସହଦେବଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ସୂଚନା ଦେଇଛନ୍ତି । ଏନେଇ ଥାନାରେ କେସ ନଂ ୩୧୩/୨୦ ଓ ୩୧୪/୨୦ ଅନୁଯାୟୀ ଦୁଇଟି ପୃଥକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।


Comments are closed, but trackbacks and pingbacks are open.