ନୂଆଦିଲ୍ଲୀ: ବର୍ଷୀୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଆଜି ୯୩ ବର୍ଷରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଡଭାନୀଙ୍କ ବାସଭବନରେ ପହଞ୍ଚô ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଡଭାନୀଙ୍କ ହାତ ଧରି କେକ୍ କାଟିଥିଲେ ଏବଂ ଦୁଇନେତା ପରସ୍ପରକୁ କେକ୍ ଖୁଆଇଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ । ୧୯୨୭ ମସିହା ଆଜିର ଦିନରେ ଅବିଭାଜିତ ଭାରତର କରାଚୀ (ବର୍ତ୍ତମାନ ପାକିସ୍ତାନ)ରେ ଏକ ହିନ୍ଦୁ ସିନ୍ଧି ପରିବାରରେ ଆଡଭାନୀଙ୍କ ଜନ୍ମ । ସେଠାରେ ସେ ପଢ଼ିଥିଲେ । ୧୯୪୧ରେ ଆର୍ଏସ୍ଏସ୍ ସହ ଜଡିତ ହୋଇଥିଲେ । ଦେଶ ବିଭାଜନ ପରେ ଭାରତ ଚାଲିଆସିଥିଲେ । ୧୯୫୧ରେ ଜନସଂଘ ସହ ଜଡିତ ହୋଇଥିଲେ । ସେ ୩ ଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଦେଶର ଉପପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୦୧୫ରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Comments are closed, but trackbacks and pingbacks are open.