୯ ପିସ୍ତଲ, ରିଭଲଭର୍ ଓ ଏୟାରଗନ୍ ସହ ୧୩ ଗୁଳି ଜବତ

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଖଲ୍ଲିକୋଟ ଥାନା ସୋମବାର ରାତିରେ ପୃଥକ୍ ସ୍ଥାନରୁ ବହୁମାତ୍ରାରେ ମାରଣାସ୍ତ୍ର ଜବତ କରିଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ୯ ଏମ୍ଏମ୍ ପିସ୍ତଲ ୫ଟି ଓ ତାହାର ଗୁଳି ୧୨ଟି, ସିଙ୍ଗଲ୍ ସଟ୍ ପିସ୍ତଲ ୨ଟି ଏବଂ ତାହାର ଗୋଟିଏ ଗୁଳି, ରିଭଲଭର୍ ଗୋଟିଏ, ଏୟାର୍ ଗନ୍ ଗୋଟିଏ । ଏଥିସହ ଦୁଇଟି ଖଣ୍ଡା, ୩ଟି ବାଇକ୍, ୩ଟି ମୋବାଇଲ୍, ମରିଚ ଗୁଣ୍ଡ, ଦୁଇଟି ଟର୍ଚ୍ଚ ଲାଇଟ୍ ଓ କିଛି ମାସ୍କ ମଧ୍ୟ ପୁଲିସ ଧରିଛି । ପୁଲିସ ଦୁଇଟି ପୃଥକ୍ ମାମଲାରେ ୫ ଜଣଙ୍କୁ ଗିରଫ କରି ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ଗିରଫଙ୍କ ମଧ୍ୟରେ ରହିଛନ୍ତି ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କୈରାଶୀ ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ସନ୍ତୋଷ ରାଉତ । ଏହାସହ ବଡ଼ ଘାଟିରେ ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତଙ୍କୁ ପୁଲିସ କାବୁ କରିଛି । ସନ୍ତୋଷଙ୍କ ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ତାହାର ଗୋଟିଏ ଗୁଳି ଜବତ ହୋଇଥିବା ବେଳେ ଅନ୍ୟ ସବୁ ମାରଣାସ୍ତ୍ର ଡକାୟତ ଗ୍ୟାଙ୍ଗ୍ ଠାରୁ ପୁଲିସ ଜବତ କରିଛି । ଘରେ ବେଆଇନ ଭାବେ ପିସ୍ତଲ ରଖିଥିବା ଅଭିଯୋଗରେ ସନ୍ତୋଷ ଗିରଫ ହୋଇଛନ୍ତି ।
ଖଲ୍ଲିକୋଟ ଥାନାରେ ମଙ୍ଗଳବାର ଅପରାହ୍ଣରେ ଅନୁÂିତ ସାମ୍ୱାଦିକ ସମ୍ମିଳନୀରେ ଏଏସ୍ପି ଠାକୁର ପ୍ରସାଦ ପାତ୍ରଙ୍କ ସୂଚନା ମୁତାବକ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲୋଚାପଡ଼ା ଗ୍ରାମର ଧୀରେନ୍ଦ୍ର ଦାସ ଓରଫ ଧର୍ମାର ସୂଚନାକୁ ଆଧାର କରି ସୋମବାର ରାତିରେ ସନ୍ତୋଷଙ୍କ ଘରେ ଚଢ଼ଉ କରିଥିଲା ପୁଲିସ । ସେଠାରୁ ପିସ୍ତଲ ଓ ଗୁଳି ଜବତ କରିବା ସାଙ୍ଗକୁ ସନ୍ତୋଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଜେରା ବେଳେ ଏହି ବେଆଇନ ପିସ୍ତଲ ଦ୍ୱାରା ରାଜନୈତିକ ଶତ୍ରୁତାରୁ ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ହେଉଥିବା ସ୍ୱୀକାର କରିଛନ୍ତି ସନ୍ତୋଷ । ସେ ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ଟାଣୁଆ ଯୁବ ନେତା ଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସହ ତାଙ୍କର ବିବାଦ ଲାଗି ରହିଥିଲା । ଖଲ୍ଲିକୋଟ ଥାନା କେଶ୍ ନମ୍ୱର ୪୩/୨୦୨ (ଦଫା ୨୫ ଆର୍ମସ୍ ଆକ୍ଟ)ରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।
ଅନ୍ୟ ଏକ ଘଟଣାରେ ପୁଲିସ ୪ ଡକାୟତଙ୍କୁ ଗିରଫ କରିଛି । ସୋମବାର ରାତିରେ ଖଲ୍ଲିକୋଟ ବଡ଼ ଘାଟି ନିକଟସ୍ଥ ଏକ ଜାଗାରେ ୪ରୁ ୫ ଜଣ ଡକାୟତି ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ପୁଲିସ । ଖଲ୍ଲିକୋଟ ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଅମ୍ୱିକା ବେଣିଆ, କନେଷ୍ଟବଳ ଆର୍.ପି. ଭ;ମିଶ୍ର, ଆର୍.କେ. ନାୟକ, ଟି.କେ. ପ୍ରଧାନ, ଏସ୍.କେ. ନାୟକ ଏବଂ ଅନ୍ୟ କର୍ମଚାରୀ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଗିରଫ ୪ ଜଣ ହେଲେ କୋଦଳା ଥାନା ବି.ନୂଆପଲ୍ଲୀ ଗ୍ରାମର ସନ୍ତୋଷ ଖଟେଇ (୨୯), କାଳିମେଘି ଗ୍ରାମର ମୁନାରାମ ଜେନା (୨୧), ଫାଶୀ ଗ୍ରାମର ରାଜଗୋପାଳ ମହାପାତ୍ର ଏବଂ ଖଲ୍ଲିକୋଟ ଥାନା କହ୍ନେଇପୁର ଗ୍ରାମର ଧୀରେନ୍ଦ୍ର ଦାସ (୨୪) । ସେମାନେ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀବାହୀ ବସ୍ କିମ୍ୱା ମାଲ ପରିବହନକାରୀ ଟ୍ରକ୍ରୁ ଡକାୟତି ଯୋଜନା କରୁଥିଲେ ବୋଲି ସାମ୍ୱାଦିକ ସମ୍ମିଳନୀରେ ଏଏସ୍ପି ପାତ୍ର ସୂଚନା ଦେଇଛନ୍ତି । ଖଲ୍ଲିକୋଟ ଥାନା କେଶ୍ ନମ୍ୱର ୪୮/୨୦୨୧ (ଦଫା ୩୯୯, ୪୦୨ ଆଇପିସି, ୨୫-ବି ଆର୍ମସ୍ ଆକ୍ଟରେ ଗିରଫ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।
ବେଗୁନିଆପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣାରେ ୭.୬୨ ଏମ୍ଏମ୍ କ୍ୟାଲିବର୍ ପିସ୍ତଲ୍ ୩ଟି, ମ୍ୟାଗାଜିନ୍ ୫ଟି, ଗୁଳି ୬୨ ରାଉଣ୍ଡ୍ ଜବତ ହୋଇଥିଲା । ଆହୁରି ମଧ୍ୟ ହତ୍ୟାକାଣ୍ଡ ବେଳେ ୧୬ ରାଉଣ୍ଡ୍ ଗୁଳି ଫୁଟିଥିଲା । ଏସବୁ ବନ୍ଧୁକ ଓ ଗୁଳି କେଉଁଠାରୁ ଆସିଥିଲା ତାହାର ଖୋଳତାଡ କରୁଥିଲା ପୁଲିସ । ସେଥିରୁ କିଛି ସୁରାକ ମିଳିଥିବା ଅନୁମାନ କରାଯାଉଛି । ତେବେ ଗିରଫ ଅଭିଯୁକ୍ତମାନଙ୍କର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷଙ୍କ ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏଏସ୍ପି । ସାମ୍ୱାଦିକ ସମ୍ମିଳନୀରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ- ଏହା ପୂର୍ବରୁ ଆସିକା ଥାନା ପୁଲିସ ଗତ ନଭେମ୍ବର ୨୯ ତାରିଖରେ ୧୦ ମାଉଜର୍, ୫୩ ଗୁଳି, ୧୨ ବୋମା ଆଦି ଜବତ କରିଥିଲା । ବହୁ ସଙ୍ଗିନ ମାମଲାରେ ସମ୍ପୃକ୍ତ ୮ ଦୁର୍ଦ୍ଧାନ୍ତ ଗିରଫ ହୋଇଥିଲେ । ସେତେବେଳେ ମୁଙ୍ଗେରରୁ ମାଉଜର୍ ଆସୁଥିବା ପୁଲିସ ଖୋଳତାଡରୁ ଜାଣିବାକୁ ପାଇଥିଲା । ଏହାର ଲିଙ୍କ୍୍ ନେଇ ତନାଘନା ଚଳାଇଥିଲା ପୁଲିସସ । ଅଥଚ ଏବେ ଦୁଇ ମାସ ମଧ୍ୟରେ ପୁଣି ବ୍ୟାପକ ମାତ୍ରାରେ ବନ୍ଧୁକ ଓ ଗୁଳି ଜବତ ଘଟଣାରୁ ଜିଲ୍ଲାରେ ଏହି କାରବାର ବେଶ୍ ବ୍ୟାପିଥିବା ସ୍ପଷ୍ଟ ଅନୁମାନ କରିହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons