୯ ରାଜ୍ୟରେ ଜଳପ୍ରଳୟ, ମୃତ୍ୟୁସଂଖ୍ୟା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି ରହିଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି ଜଳ ପ୍ରଳୟ । ଏସବୁ ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୨୧୨କୁ ବୃଦ୍ଧି ପାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସେନା, ନୌସେନା, ବାୟୁସେନା ଓ ଏନ୍ଡିଆରଏଫର ଶତାଧିକ ଟିମ୍ ନିୟୋଜିତ ଅଛନ୍ତି । ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ କର୍ଣ୍ଣାଟକର ବେଲଗାଭି ପରିଦର୍ଶନ କରିଥିଲା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ନିର୍ବାଚନମଣ୍ଡଳୀ କେରଳର ୱାୟନାଡ ଗସ୍ତ କରି ପ୍ରଭାବିତ ଲୋକମାନଙ୍କୁ ଭେଟିଛନ୍ତି ।
କେରଳରେ ବନ୍ୟାର ପ୍ରକୋପ ଜାରି ରହିଛି । ରାଜ୍ୟର ୧୪ଟି ଜିଲ୍ଲା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ତେବେ ମାଲାପୁରମ, ୱାୟନାଡ, ଇଡୁକି, କନ୍ନୁର, କସାରଗୋଡ ଓ କୋଝିକୋଡ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ବନ୍ୟାରେ ଏପର୍ଯ୍ୟନ୍ତ ୬୭ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ୩୨ ଜଣ ଆହତ ହୋଇଛନ୍ତି । ସେହିଭଳି ୫୭ ଜଣ ନିଖୋଜ ଅଛନ୍ତି । ୨ଲକ୍ଷରୁ ଅଧିକ ଲୋକଙ୍କୁ ବନ୍ୟାଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସେନା, ନୌସେନା, ବାୟୁସେନା, ଏନଡିଆରଏଫକୁ ସାମିଲ କରାଯାଇଛି । ବିଭିନ୍ନ ସ୍ଥାନରେ ୧୬୨୧ଟି ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ପ୍ରଭାବିତ ଲୋକଙ୍କୁ ଥଇଥାନ କରାଯାଇଛି । ଗତ ୩ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୮୦ଟି ଭୂସ୍ଖଳନ ଘଟିଛି । ଏଲେପ୍ପି-ଧାନବାଦ୍ ଏକ୍ସପ୍ରେସ ସମେତ କେତେକ ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଛି । ତେବେ ଗତ ଶୁକ୍ରବାରୁ ବନ୍ଦ ରହିଥିବା କୋଚି ବିମାନବନ୍ଦରରେ ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୧୫ରେ ଆବୁଧାବିରୁ ଏକ ଇଣ୍ଡିଗୋ ବିମାନ ଅବତରଣ କରିଛି । ରାହୁଲ ଆଜି ବନ୍ୟା ପ୍ରଭାବିତ ମାଲାପୁରମ ଗସ୍ତ କରିଛନ୍ତି । ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କୁ ଭେଟିଛନ୍ତି । ସେ କିଛିଦିନ ବନ୍ୟା ପ୍ରଭାବିତ ଅଞ୍ଚଳରେ ରହି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବେ ବୋଲି ଟୁଇଟ୍ କରି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ୫୨ କୋଟି ୨୭ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।
କର୍ଣ୍ଣାଟକର ବେଲଗାଭି, ବଗାଲକୋଟ, ବିଜାପୁର, ଉତ୍ତର କନ୍ନଡ, ଦକ୍ଷିଣ କନ୍ନଡ, କୋଡାଗୁ, ଉଡୁପି, ଚିକମାଗାଲୁର, ହାସନ ଓ ସିବମୋଗା ଆଦି ୧୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ପ୍ରାୟ ୨ଲକ୍ଷ ୩୫ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ରିଲିଫ କେନ୍ଦ୍ରରେ ରଖାଯାଇଛି । ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ମହୀଶୂରରେ ଏପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ଠାରୁ ୩୨ ଗୁଣ ଅଧିକ ବର୍ଷା ହୋଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ଆଜି ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ବେଲଗାଭି ଅଞ୍ଚଳ ବୁଲି ଦେଖିଛନ୍ତି । ରାଇଚୁର ଜିଲ୍ଲାରେ ବନ୍ୟାରେ ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କ ସମେତ ୬ ଜଣଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଉଦ୍ଧାର କରିଛି । ସକଳେଶପୁର ଓ ସୁବ୍ରମଣ୍ୟ ଷ୍ଟେସନ ମଝିରେ ରେଳ ଧାରଣାରେ ଭୂସ୍ଖଳନ ଯୋଗୁ ସେହି ରୁଟ୍ରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁ ପ୍ରାୟ ୬ ହଜାର କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ଘଟିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ୩ ହଜାର କୋଟି ଟଙ୍କାର ସହାୟତା ଲୋଡ଼ିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ଯୋଗୁ ୧୦ ଜିଲ୍ଲା ପ୍ରଭାବିତ ହୋଇଛି । କିନ୍ତୁ ପୁନେ, ରତ୍ନଗିରି ସାଙ୍ଗଲି ଓ କୋହ୍ଲାପୁର ଜିଲ୍ଳା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ସାଙ୍ଗଲି ଜିଲ୍ଲାରେ ଘଟିଥିବା ବୋଟବୁଡ଼ି ଜନିତ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ବନ୍ୟାଘେରରୁ ୪ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନୌସେନା, ବାୟୁସେନା ଓ ଏନ୍ଡିଆରଏଫର ୧୦୦ଟି ଟିମ୍ ନିୟୋଜିତ ଅଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲାରେ ନୌସେନା ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ଫଳମୂଳ ଓ ପାନୀୟ ଜଳ ଓ ଅନ୍ୟ ଅତ୍ୟାବଶକ ସାମଗ୍ରୀ ବଣ୍ଟନ କରିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଆଜି ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ସେ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଜାତୀୟ ରାଜପଥ ନମ୍ବର-୪ ବନ୍ଦ ରହିଥିବା ଯୋଗୁ ଗତ ସପ୍ତାହେ ହେଲା ହଜାର ହଜାର ଗାଡ଼ି ଅଟକି ରହିଛି । ଫଳରେ ସେଥିରେ ଥିବା ପନିପରିବା ଓ ଫଳମୂଳ ପଚି ନଷ୍ଟ ହୋଇଯାଇଛି ।
ଗୁଜରାଟରେ ବର୍ଷା ଓ ବନ୍ୟା ଯୋଗୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି । ସୌରାଷ୍ଟ୍ର, କଚ୍ଛ, ଜାମନଗର, ମୋର୍ବି ଓ ରାଜକୋଟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଜାମନଗର ଅଞ୍ଚଳରେ ବନ୍ୟାପାଣିରେ ରହିଥିବା କିଛି ଲୋକଙ୍କୁ ବାୟୁସେନା ପକ୍ଷରୁ ଏୟାରଲିଫ୍ଟ କରାଯାଇଛି । ମୋର୍ବି ଜିଲ୍ଲାର କଲ୍ୟାଣପୁର ଗ୍ରାମରେ ଥିବା ଏକ କସ୍ତୁରବା ବାଳିକା ବିଦ୍ୟାଳୟର ୪୭ଜଣ ସ୍କୁଲ ପିଲା ଓ ୬ ଜଣ ଶିକ୍ଷକଙ୍କୁ ପୁଲିସ ଉଦ୍ଧାର କରିଛି । ପୁଲିସ କନଷ୍ଟେବଳ ପୃଥିବୀରାଜସିଂ ଜାଡେଜା ନିଜ ଜୀବନକୁ ବାଜି ଲଗାଇ ଦୁଇଜଣ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ବନ୍ୟା ପାଣିରେ ଦେଢ଼ କି.ମି. ଦୂରରେ ଥିବା ସୁରକ୍ଷିତ ସ୍ଥାନକୁ ଆଣିବା ଚର୍ଚ୍ଚାର ବିଷୟ ହୋଇଛି । କନଷ୍ଟେବଳ ଜାଡେଜାଙ୍କ ଏଭଳି ସାହସିକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉଚ୍ଚ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଭୟାବହ ହୋଇଛି । ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଚାମୋଲି ଜିଲ୍ଲାରେ ସବୁଠାରୁ ଅଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି । ବଦ୍ରିନାଥ ରାଜନଥର ଲମ୍ବାଗଡ଼ ଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିଭଳି ପିଥୋରଗଡର ବାନିକ ନିକଟରେ ଥାଇ-ମୁନସିୟାରୀ ରୋଡ୍ରେ ଭୂସ୍ଖଳନ ଘଟି ଜାତୀୟ ରାଜପଥ ବନ୍ଦ ହୋଇଯାଇଛି ।
ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ନୀଳଗିରି ଜିଲ୍ଲା ବନ୍ୟାରେ ଉବୁଟୁବୁ ହୋଇଛି । ଭୂସ୍ଖଳନ ଓ ଅନ୍ୟାନ ବର୍ଷା ଜନିତ କାରଣରୁ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏନ୍ଡିଆରଏଫ, ଏସ୍ଡିଆରଏଫ ଓ ସେନା ପ୍ରାୟ ୨ ହଜାର ଲୋକଙ୍କୁ ବନ୍ୟାଞ୍ଚଳରୁ ଉଦ୍ଧାର କରିଛି । ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ୨୮ଟି ରିଲିଫ ଶିବିରରେ ରଖାଯାଇଛି । ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଲାଗି ବାୟୁସେନାକୁ ସଜାଗ ରଖାଯାଇଛି ।
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ ଶ୍ରୀକାକୁଲମ ଜିଲ୍ଲା ବନ୍ୟା ଯୋଗୁ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ପୋଲାଭରମ ନିକଟରେ ଗୋଦାବରୀ ନଦୀର ବନ୍ୟାଜଳରେ ଫଶି ରହିଥିବା ୧୨ ମହିଳାଙ୍କ ସମେତ ୩୧ ଜଣଙ୍କୁ ନୌସେନାର ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି ।
ସେହିଭଳି ନର୍ମଦା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବା ଫଳରେ ମଧ୍ୟପ୍ରଦେଶର ଧାର ଓ ବରୱାନି ଜିଲ୍ଲାରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ବିପଦ ସଙ୍କେତଠାରୁ ପ୍ରାୟ ୭ ମିଟର ଉଚ୍ଚରେ ନର୍ମଦା ନଦୀ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ବାର୍ଗି ଡ୍ୟାମର ୧୫ଟି ଗେଟ୍ ଖୋଲାଯାଇଛି । ସେହିଭଳି ଭୋପାଳ, ଇନ୍ଦୋର, ରତଲାମ, ଉଜ୍ଜୈନ, ରତଲାମ, ଧାର, ସାଗର, ବେତୁଲ, ମାଣ୍ଡଲା, ଖଣ୍ଡୱା, ଖରଗୋନ ଓ ରାଇସେନ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons