ବଙ୍ଗୋମୁଣ୍ଡା,(ବି.ବି.ନୁ୍ୟଜ): ୱେଲଡିଂ ମିସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ଛୁରୀ ଭୁସି ହତ୍ୟା ଅଭିଯୋଗ । ଆଜି ସକାଳେ ଫେବ୍ରିକେସନ ଦୋକାନ ମାଲିକ ପୂର୍ଣ୍ଣଚନ୍ଦ୍ର ମେହେର ୱେଲଡିଂ ମିସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁର ଲାଲମନ କୈବର୍ତ୍ତ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ହନୁମାନ ମନ୍ଦିର ରାସ୍ତାରେ ଏହି ଅଘଟଣ ଘଟିଛି । ହତ୍ୟାକାଣ୍ଡ ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କୁ ବଙ୍ଗୋମୁଣ୍ଡା ପୁଲିସ୍ କାବୁ କରିଛି । ମାମଲା ରୁଜୁ କରି ପଚରାଉଚରା ଚାଲିଛି । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସାଇକେଲ ବନ୍ଧକ ପକାଇବା ଏବଂ ଉଧାର ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ କହିଛି ।
ପୁଲିସ ସୂଚନା ଅନୁଯାୟୀ, ଭାଲୁମୁଣ୍ଡା ଗାଁ କଲୋନୀ ପଡ଼ାର ବୈକୁଣ୍ଠ ମେହେରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର(୩୦)ଙ୍କ ଏକ ଫେବ୍ରିକେସନ ଦୋକାନ ରହିଥିଲା । ଏହି ଦୋକାନରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁର ଲାଲମନ କୈବର୍ତ୍ତ ୱେଲଡିଂ ମିସ୍ତ୍ରୀ ଭାବେ କାମ କରୁଥିଲେ । ଜଣେ ଭଲ ୱେଲଡିଂ ମିସ୍ତ୍ରୀ ଭାବେ ଅଞ୍ଚଳରେ ଲାଲମନଙ୍କ ନାଁ ଥିଲା । ଲାଲମନ କାମ କରୁଥିବା ବେଳେ ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଏକ ସାଇକେଲ ଦେଇଥିଲେ । ସେହି ସାଇକେଲରେ ସେ ଯାତାୟାତ କରୁଥିଲେ । ତେବେ ଲାଲମନ ଉକ୍ତ ସାଇକେଲକୁ ବନ୍ଧକ ପକାଇ ଦେଇଥିଲେ । ଏ କଥା ଜାଣିବା ପରେ ପୂର୍ଣ୍ଣଚନ୍ଦ୍ର ଓ ଲାଲମନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିସହ କାମ କରୁଥିବାବେଳେ ପୂର୍ଣ୍ଣଙ୍କ ପାଖରୁ ଲାଲମନ ଅନେକ ଥର ଟଙ୍କା ନେଇ ଫେରାଇ ନ ଥିବା କୁହାଯାଉଛି । ବହୁଦିନ ପରେ ମଧ୍ୟ ସାଇକେଲ କିମ୍ବା ନେଇଥିବା ଟଙ୍କା ଫେରସ୍ତ ନ କରି ପୂର୍ଣ୍ଣଙ୍କ ଦୋକାନ ଛାଡ଼ି ଲାଲମନ ଅନ୍ୟ ଦୋକାନରେ କାମ କରୁଥିଲେ । ଏନେଇ ପୂର୍ଣ୍ଣ ରାଗରେ ଜଳୁଥିଲେ ।
ଆଜି ସକାଳେ ଲାଲମନ ଭାଲୁମୁଣ୍ଡାର ହନୁମାନ ମନ୍ଦିର ରାସ୍ତାରେ ଯାଉଥିବା ବେଳେ ପୂର୍ଣ୍ଣଙ୍କ ସହ ମୁହାଁମୁହିଁ ଭେଟ ପଡ଼ିଥିଲା । ସେହି ସାଇକେଲ ଓ ଉଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ପୂର୍ଣ୍ଣ ଉତ୍ତ୍ୟକ୍ତ ହୋଇ ଲାଲମନଙ୍କୁ ଏକ ଛୁରୀରେ ଭୁସି ଦେଇଥିଲା । ଘଟଣାସ୍ଥଳରେ ଲାଲମନଙ୍କ ମୃତୁ୍ୟ ହୋଇଥିଲା । ଏହି ଘଟଣା ପରେ ପୂର୍ଣ୍ଣ ଫେରାର୍ ହେବାକୁ ଯୋଜନା କରୁଥିବା ବେଳେ ଖଡ଼ିଆଳ ପାଖରୁ ପୁଲିସ ତାଙ୍କୁ କାବୁ କରିଛି । କଣ୍ଟାବାଞ୍ଜି ଏସ୍ଡିପିଓ ସରୋଜ କୁମାର ମହାପାତ୍ର, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାୟକ ଏବଂ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
ପ୍ରକାଶଥାଉ କି, ମୃତକଙ୍କ ପରିବାରରେ ପତ୍ନୀ ଗୀତା ଓ ଏକ ୧୨ ବର୍ଷର ପୁଅ ଅଛନ୍ତି । ସେମାନେ ରାୟପୁରରେ ରହୁଥିବା ଜଣାପଡ଼ିଛି । ଏହି ଘଟଣାରେ ବଙ୍ଗୋମୁଣ୍ଡା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତ ପୂର୍ଣ୍ଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଶବ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଯାଇଛି ବୋଲି ଥାନାଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.