ସାପାମ୍ବା ଗାଁରେ ୬ ଆକ୍ରାନ୍ତ ଘଟଣା:ଚାଲି ଚାଲି ଗାଁକୁ ଗଲେ ଡାକ୍ତରୀ ଦଳ

Get real time updates directly on you device, subscribe now.

ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ୍): ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ପଞ୍ଚାୟତ ସାପାମ୍ବା ଗାଁରେ ବିଭିନ୍ନ ରୋଗରେ ୬ ଜଣ ଆକ୍ରାନ୍ତ ଘଟଣାରେ ମଙ୍ଗଳବାର ଏକ ଡାକ୍ତରୀ ଦଳ ଏହି ଗାଁକୁ ଗସ୍ତ କରିଛନ୍ତି । ଏଠାରେ ମୋଟ ୫୬ ଜଣ ଲୋକଙ୍କ ରକ୍ତ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସାଧାରଣ ଥଣ୍ଡା ଜ୍ୱର ହୋଇଥିବା ବେଳେ ୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଡାକ୍ତରୀ ଦଳ କହିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକୀୟ ଔଷଧ ଦିଆଯବା ସହ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଯାଇଛି ।
ଏହି ଡାକ୍ତରୀ ଦଳ ଗାଁଠାରୁ ୫ କିମି ଦୂରରେ ଆମ୍ବୁଲାନ୍ସ ରଖି ଚାଲିଚାଲି ଗାଁକୁ ଯାଇଥିଲେ । ଏହି ଭ୍ରାମ୍ୟମାଣ ଡାକ୍ତରୀ ଦଳରେ ୫ ଜଣ ଡାକ୍ତର ରହିଥିଲେ । ଡାକ୍ତର ଶିବ ପ୍ରସାଦ ମିଶ୍ର, ସୁଧାଂଶୁ ଶେଖର ଜେନା, ହୀରା ମାଣ୍ଡିଙ୍ଗା, ପୁଷ୍ପାଞ୍ଜଳି ସାହୁ, ଜୟନ୍ତୀ ଶବର, କମଳ କୁମାରୀ ଶେଖର ଦେଓ ଏହି ଦଳରେ ଥିଲେ ।
ଅନ୍ୟ ପକ୍ଷରେ ଏହି ଗାଁରେ ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ଦୀର୍ଘ ଦିନରୁ ଏହା ଅଚଳ ହୋଇ ପଡିଛି । ଲୋକେ ଗାଁ ପାଖ ନାଳ ପାଣି ପିଉଛନ୍ତି । ଏଥିଯୋଗୁ ମ୍ୟାଲେରିଆ ବ୍ୟାପୁଥିବା ଡାକ୍ତରୀଦଳ କହିଛି ।
ସୂଚନା ଅନୁସାରେ, ସାପାମ୍ବାରେ ୬ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସୋମବାର ୨ ଜଣ ଲକ୍ଷ୍ମୀପୁର ଆସି ଚିକିତ୍ସିତ ହୋଇଥିଲେ । ଗାଁକୁ ଭଲ ରାସ୍ତା ନଥିବା ଓ ଯିବା ଆସିବା କରିବାକୁ ଉତ୍ତମ ସାଧନ ନଥିବାରୁ ଅନ୍ୟ ୪ ଜଣ ଗାଁରେ ପଡି ରହିଥିଲେ । ଗାଁକୁ ଆମ୍ବୁଲାନ୍ସ ଅବା ଅନ୍ୟ କୌଣସି ଗାଡି ଯିବା ସୁବିଧା ନଥିବାରୁ ଉକ୍ତ ୪ ଜଣ ଭାଗ୍ୟକୁ ଆଦରି ଗାଁରେ ରହିଥିଲେ । ଖବର ପାଇ ସେହିଦିନ କୁଟିଙ୍ଗା ସରପଞ୍ଚ ନିରୁପମା ୱାଡେକା ଲକ୍ଷ୍ମୀପୁର ଡାକ୍ତରଖାନା ଇନଚାର୍ଜ ଡାକ୍ତର ନବ କିଶୋର କୁଣ୍ଡୁଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଆମ୍ବୁଲାନ୍ସ ନେଇ ଗାଁକୁ ବାହାରି ଥିଲେ । ଗାଁକୁ କେବଳ ପାହାଡିଆ ଚଲା ବାଟ ଥିବାରୁ ଏହି ଦଳ ଆମ୍ବୁଲାନ୍ସକୁ ୫ କିମି ଦୂରରେ ରଖି ଚାଲିଚାଲି ଯାଉଥିଲେ । ତେବେ ବର୍ଷା ହେବାରୁ ଏହି ଦଳ ଫେରି ଆସିଥିଲେ ।
ଗାଁକୁ ରାସ୍ତା ନଥିବାରୁ ନଳକୂପ ଅଚଳ ନେଇ ଅଭିଯୋଗ କରିବାକୁ ଗ୍ରାମବାସୀ ଲକ୍ଷ୍ମୀପୁର ଆସିପାରୁ ନଥିଲେ । ଫଳରେ ବାଧ୍ୟ ହୋଇ ଗାଁ ପାଖ ନାଳ ଓ ଝରଣା ପାଣି ପିଉଥିଲେ । କିଛି ଦିନ ତଳେ ଦୁଇ ଜଣ ଲୋକ ଲକ୍ଷ୍ମୀପୁର ସାପ୍ତାହିକ ହାଟକୁ ଆସିଥିବା ବେଳେ ନଳକୂପ ଅଚଳ ନେଇ ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ । କର୍ମଚାରୀ ପଠାଇ ନଳକୂପ ମରାମତି କରାଯିବ ବୋଲି ସହକାରୀ ଯନ୍ତ୍ରୀ କହିଥିଲେ । ତେବେ ପରେ ସେ ଚୁପ୍ ବସି ପଡିଥିଲେ । ରାସ୍ତା ନଥିବାରୁ ଗ୍ରାମବାସୀ କୌଣସି କାମରେ ବାହାରକୁ ଆସିବାକୁ ମଙ୍ଗୁ ନଥିବା ଲୋକେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons