ବରଗଡ଼,(ବି.ବି.ନୁ୍ୟଜ୍): ବିଜେପୁର ନିର୍ବାଚନ ପ୍ରଚାର ସରିବାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ ଅଞ୍ଚଳର ମୌଳିକ ପ୍ରଶ୍ନର ଉତ୍ତର ଦେଇ ନାହାନ୍ତି । ଦେଇଥିବା ପ୍ରତିଶ୍ରୁତିରୁ ଗୋଟିଏ ବି ପାଳନ କରି ନଥିବା ମୁଖ୍ୟମନ୍ତ୍ରୀଙ୍କ ଯଦି ନୈତିକ ଦାୟିତ୍ୱ ଅଛି, ତେବେ ୨୦ ବର୍ଷର ଛାଡ଼ି କେବଳ ୨ ବର୍ଷରେ ବିଜେପୁର ପାଇଁ ନେଇଥିବା ପଦକ୍ଷେପର ଉତ୍ତର ଦିଅନ୍ତୁ । ନହେଲେ ସ୍ୱାଭିମାନୀ ବିଜେପୁରବାସୀ ପ୍ରତାରଣାର ଉତ୍ତର ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । ବିଜେପୁର ଉପନର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଆଜି ପ୍ରଚାରକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଏନଏସି ଅଧୀନ ବିଭିନ୍ନ ୱାଡର଼୍ମାନଙ୍କୁ ରୋଡ଼ ସୋ’ରେ ଯାଇ ବିଜେପୁର ବସଷ୍ଟାଣ୍ଡ ଛକରେ ଦଳ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ସଭାକୁ ସମ୍ବୋଧିତ କରିଥିଲେ । ସଭାରେ ବିଜୁ ଯୁବବାହିନୀ ତରଣୀସେନ ମହଲାଙ୍କୁ ହତ୍ୟା କରିଥିବା ନେଇ ଗୁରୁତର ଅଭିଯୋଗ କରିଥିଲେ । ଭିଏଲଡ଼ବ୍ଲୁ ସ୍ମୀତାରାଣୀଙ୍କ ହତ୍ୟା ଘଟଣାର ୪୮ ଘଣ୍ଟା ପରେ ବି ମୋ ସରକାର ଚୁପ ରହିବା କେତେଦୂର ଗ୍ରହଣୀୟ ବୋଲି ପ୍ରଶ୍ନ କରି ଶ୍ରୀ ପ୍ରଧାନ ପ୍ରତାରିତ ବିଜେପୁରବାସୀ ନିଶ୍ଚିତ ଭାବେ ଏହାର ଜବାବ ଦେବେ ବୋଲି ପ୍ରକାଶ କରିଥିଲେ ।
ବିଜେପୁର ଉପନିର୍ବାଚନର ଶେଷ ପର୍ଯ୍ୟାୟରେ ରାଜନୈତିକ ବାତାବରଣ ସର୍ଗରମ୍ ଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏନ୍ଏସିରେ ରୋଡ୍ସୋ କରି ଉଷ୍ମତା ବଢେ଼ଇଛନ୍ତି । ସ୍ଥାନୀୟ ଉପରପଡ଼ାରୁ ଏକ ଭବ୍ୟ ଶୋଭାଯାତ୍ରାରେ ରୋଡ୍ ସୋ’ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଧ୍ୟପଡ଼ା, ଗାନ୍ଧିଛକ୍, ହଟୁଆପଡ଼ା, ମନ୍ଦିରପଡ଼ା, ଡେଲିମାର୍କେଟ୍, କଂସାରୀପଡ଼ା, ବସଷ୍ଟେଣ୍ଡ୍ ଦେଇ ସହରରେ ପ୍ରଚାର କରିଥିଲେ । ବସଷ୍ଟାଣ୍ଡ୍ ଛକରେ ଜିଲ୍ଲା ସଭାପତି ଡ. ଅରୁପାନନ୍ଦ ସାହୁଙ୍କ ସଂଯୋଜନାରେ ପଥପ୍ରାନ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉପସ୍ଥିତ ସମାବେଶରେ ହିଞ୍ଜିଳିକାଟୁ ନ ଛାଡି ବିଜେପୁରକୁ କାହିଁକି ଛାଡ଼ିଲ ବୋଲି ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏଠୁ ଲୋକଙ୍କ ବିଶ୍ୱାସ ଜିଣି ବିଜୟୀ ହେଲ, ଅଥଚ ଲୋକଙ୍କ ଭରସା ଭାଙ୍ଗିଦେଇ ବିଜେପୁରବାସୀଙ୍କୁ ପ୍ରତାରଣା କଲ । ୨୦୧୮ ଉପନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଇଥିବା ବିକାଶର ପ୍ରତିଶ୍ରୁତି କୁଆଡେ଼ ଗଲା । ଡାକ୍ତର ଅଭାବ, ରୋଜଗାର ଓ ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ଅପରପକ୍ଷେ ୨ ଦିନ ପୂର୍ବରୁ ଏହି ବିଜେପୁରରେ ନୂଅାଁପାଲିର ଜଣେ ସ୍ୱଚ୍ଛଭାରତ ବିଆର୍ସିଙ୍କ ହତ୍ୟା ଘଟଣାରେ ଉକ୍ତ ମୃତ କର୍ମଚାରୀର ଘରକୁ ଯାଇ ମୁଖ୍ୟମନ୍ତ୍ରୀ ସମବେଦନା ଜ୍ଞାପନ କଲେ କି ବୋଲି ପ୍ରଶ୍ନ କରିଥିଲେ । ମୋ ସରକାର ଯୋଜନା ଉପରେ ପ୍ରଶ୍ନ ଉଠାଇ ୫ଟି ଯୋଜନାରେ ଯିଏ ସ୍ୱଚ୍ଛ କାମ କରୁଛି ତାକୁ ହତ୍ୟା କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଶେଷରେ ସ୍ୱାଭିମାନର ମାଟି ବିଜେପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ଓ ସ୍ୱାଭିମାନ ରକ୍ଷା କରିବାକୁ ପ୍ରାର୍ଥୀ ସନତ ଗଡତିଆଙ୍କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ପ୍ରାର୍ଥୀ ସନତ ଗଡତିଆ ମଧ୍ୟ ଏହି ସମାବେଶରେ ବିଜେପୁରର ସ୍ୱାଭିମାନକୁ ବଞ୍ଚାଇ ରଖି ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ସେହିପରି ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ନବୀନ ସରକାରକୁ କଡା ସମାଲୋଚନା କରିଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ରାଜ୍ୟ ବିଜେପି ଉପସଭାପତି ଅଶ୍ୱିନୀ ଷଢ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥିଙ୍କ ସମେତ ଜିଲ୍ଲାର ବହୁ ପଦାଧିକାରୀ ସହଯୋଗ କରିଥିବା ବେଳେ କର୍ମୀଙ୍କ ଉତ୍ସାହ ବିଜେପୁର ଉପନିର୍ବାଚନକୁ ତତାଇବାରେ ସକ୍ଷମ ହୋଇଛି ।
Comments are closed, but trackbacks and pingbacks are open.