ଚିତ୍ରଡା,(ବି.ବି.ନୁ୍ୟଜ୍): ଚାରିହଜାର ଟଙ୍କା ଲାଞ୍ଚ ନେବା ବେଳେଧରାପଡିଲେ ଚିତ୍ରଡ଼ା ଉପଡାକଘରର ସହକାରୀ ପୋଷ୍ଟମାଷ୍ଟର ସ୍ନେହାଶିଷ ପରିଡ଼ା । ସନ୍ଧ୍ୟା ୬ଟାରେ ଜନଗହଳିପୂର୍ଣ୍ଣ ଶୀର୍ଷାପାଳ ଛକରେ ଘଟିଥିଲା ଏହି ଘଟଣା । ସେ ଟଙ୍କା ନେବା ବେଳେ ସିବିଆଇର ୬ ଜଣିଆ ଟିମ୍ର ସଦସ୍ୟ ତାଙ୍କୁ ଗିରଫ କରିଥିଲେ ।
ଭୁବନେଶ୍ୱରରୁ ଆସିଥିବା ସିବିଆଇର ଆଣ୍ଟି କରପସନ ବ୍ରାଞ୍ଚର ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମେତ ୬ ଜଣିଆ ଟିମ୍ ଏହି ଗିରଫରେ ସାମିଲ ଥିଲେ ।ଧରାପଡ଼ିବା ମାତ୍ରେ ପୋଷ୍ଟମାଷ୍ଟର ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କୁ ପାଣି ସିଞ୍ଚନ ପାଇଁ ଚିତ୍ରଡା ଫାଣ୍ଡିକୁ ନେଇଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ପୋଷ୍ଟମାଷ୍ଟର ସ୍ନେହାଶିଷ ପରିଡ଼ାଙ୍କ ଚେତା ଫେରି ନ ଥିଲା । ତାଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡିଛି ।
ଘଟଣା ଅନୁଯାୟୀ, ଚିତ୍ରଡ଼ା ପୋଷ୍ଟ ଅଫିସର ଜଣେ ଗ୍ରାମୀଣ ଡାକସେବକ (ପିଅନ) ବ୍ରଜ କିଶୋର ମହାନ୍ତଙ୍କଠାରୁ ଶ୍ରୀ ପରିଡ଼ା ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତାଙ୍କ ସ୍ତ୍ରୀ ପୋଷ୍ଟ ଅଫିସରେ ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି । ତେଣୁ ଆର୍ଡି ଏବଂ ଏଫ୍ଡି ଫିକ୍ସ ଡିପୋଜିଟ୍ ପାଇଁ ସବୁ ସମୟରେ ଲାଞ୍ଚ ମାଗନ୍ତି । ନ ହେଲେ ବିଭିନ୍ନ ବାହାନା କରି ନେଟ୍ ଫେଲ୍ ଦର୍ଶାଇ ହଇରାଣ ହରକତ କରୁଥିଲେ ଏଜେଣ୍ଟମାନଙ୍କୁ । ଏ ସମ୍ପର୍କରେ ବ୍ରଜକିଶୋର ଭୁବନେଶ୍ୱର ସିବିଆଇକୁ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ସିବିଆଇ ଟିମ୍ ପୂର୍ବପ୍ରସ୍ତୁତି ଅନୁଯାୟୀ ପୋଷ୍ଟମାଷ୍ଟର ଟଙ୍କା ନେବାବେଳେଧରିଥିଲେ ।
ତାଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର ପରେ ଜେଲ୍ ପଠାଯିବ ବୋଲି ଟିମ୍ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.