ବାଲିଗୁଡା,(ବି.ବି.ନୁ୍ୟଜ୍): ଶିଶୁ ଶ୍ରମିକଙ୍କ ସମେତ ୧୯ ଜଣ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସ୍ଷ୍ଟାଣ୍ଡ୍ରେ ଗତ ରାତିରେ ବାହାରକୁ କାମ କରି ଯିବାକୁ ବସ୍କୁ ଅପେକ୍ଷା କରିଥିଲେ । ବିଶେଷ ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିଥିଲା । ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଜଣଙ୍କ ସୋନପୁର ଜିଲ୍ଲା ତରଭା ଗ୍ରାମର ଆଶୁତୋଷ ଗିଜେ ବୋଲି ବାଲିଗୁଡ଼ା ଆଇଆଇସି ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି ।
ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ପୁଲିସ ଖବର ପାଇ ବସ୍ଷ୍ଟାଣ୍ଡ୍ରେ ପହଁଚିଥିଲା । କାମ ଦେବାକୁ କହି ତରଭା ଗ୍ରାମର ଆଶୁତୋଷ ୧୯ ଜଣଙ୍କୁ ବାହାରକୁ ନେବା ପାଇଁ ବସ୍କୁ ଅପେକ୍ଷା କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଅଭିଯୁକ୍ତଙ୍କ ସମେତ ୧୯ ଜଣଙ୍କୁ ଥାନାକୁ ନିଆଯାଇଥିଲା । ସେଠାରେ ପୁଲିସ ପଚରାଉଚରା କରିବା ପରେ ଉଦ୍ଧାରଙ୍କ ମଧ୍ୟରେ ୪ ଜଣ ନାବାଳକ ଓ ୫ ଜଣ ନାବାଳିକା ରହିଥିବା ଜଣାପଡ଼ିଥିଲା । ଆଶୁତୋଷ ସେମାନଙ୍କୁ ଫୁଲବାଣୀରେ ଚାଲିଥିବା ଏକ ରାସ୍ତା କାମ ପାଇଁ ନେଉଥିଲେ । କିଏ ନାବାଳକ କିଏ ନାବାଳିକା ସେ କଥା ସେ ଜାଣିନଥିବା ପୁଲିସ ଆଗରେ କହିଛନ୍ତି । ଅଭିଯୁକ୍ତ ଆଶୁତୋଷ ପାଖରେ ଲେବର ଲାଇସେନ୍ସ ନଥିବା ଜଣାପଡ଼ିଛି । ୧୮ରୁ ଊଦ୍ଧ୍ୱର୍ ଥିବା ଶ୍ରମିକଙ୍କ ଠିକଣା ରଖି ପୁଲିସ ଛାଡ଼ି ଦେଇଛି । ନାବାଳକ ଓ ନାବାଳିକାଙ୍କୁ ସିଡବ୍ଲୁ୍ୟସିକୁ ହସ୍ତାନ୍ତର କରାଯିବ । କେସ୍ ନମ୍ବର ୧୪୩/୨୦୧୯ରେ ମାମଲା ରୁଜୁ କରାଯାଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.