ପୁଣି ଜଣେ ଦେବବ୍ରତ ନଦୀକୁ ଡେଇଁଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପତ୍ନୀଙ୍କ ସହ ମନୋମାଳିନ୍ୟ ଯୋଗୁଁ ଦେବବ୍ରତ ମହାପାତ୍ର ନାମକ ଜଣେ ବ୍ୟକ୍ତି କାଠଯୋଡ଼ି ନଦୀକୁ ଡେ଼ଇଁ ଆତ୍ମହତ୍ୟା କରିଥିଲେ । ଉକ୍ତ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ମଙ୍ଗଳବାର ସନ୍ଧ୍ୟାରେ ତ୍ରିଶୁଳିଆ ନିକଟ ସୁବାସ ସେତୁ ଉପରୁ କାଠଯୋଡ଼ି ନଦୀଗର୍ଭକୁ ଡେଇଁଛନ୍ତି ଆଉ ଜଣେ ଯୁବକ । ତାଙ୍କ ନାମ ଦେବବ୍ରତ ମାଝି(୩୫) । ବାପାଙ୍କ ନାମ ବୁଦ୍ଧିରାମ ମାଝି । ଘର ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ । ଖବରପାଇ ବାରଙ୍ଗ ଥାନା ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ପହଞ୍ଚି ନଦୀଗର୍ଭରେ ଖୋଜାଖୋଜି ଚଳାଇଛନ୍ତି । ହେଲେ ଦେବବ୍ରତଙ୍କୁ ପାଇ ନାହାନ୍ତି । ସେତୁ ଉପରୁ ପୁଲିସ ଦେବବ୍ରତଙ୍କ ବାଇକ୍, ହେଲମେଟ୍ ଓ ମୋବାଇଲ ଜବତ କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦେବବ୍ରତ ସନ୍ଧ୍ୟା ସାଢେ଼ ୫ଟାରେ ଏକ ବାଇକ୍(ଓଡି୦୨କୁ୍ୟ-୪୫୮୨)ରେ ଆସି ସୁବାସ ସେତୁ ଉପରେ ଛିଡ଼ା ହୋଇଥିଲେ । ମୁଣ୍ଡରୁ ହେଲମେଟ୍ ଓ ପକେଟରୁ ମୋବାଇଲ କାଢ଼ି ଥୋଇଥିଲେ । ଏହାପରେ ହଠାତ୍ ସେ ନଦୀଗର୍ଭକୁ ଲମ୍ଫ ମାରିଥିଲେ । ଲୋକଙ୍କ ଠାରୁ ଖବରପାଇ ବାରଙ୍ଗ ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ପୁଲିସ ପ୍ରଥମେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ବାରଙ୍ଗ ଅଗ୍ନିଶମ ବାହିନୀ, କଟକ ସିଡିଏ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ନଦୀ ଗର୍ଭରେ ଖୋଜାଖୋଜି ଚଳାଇଛନ୍ତି । ତେବେ ରାତି ହୋଇ ଯାଇଥିବାରୁ ଅନ୍ଧାରରେ ଦେବବ୍ରତଙ୍କର କୌଣସି ସନ୍ଧାନ ମିଳିନାହିଁ । ପୁଲିସ ତାଙ୍କ ମୋବାଇଲରୁ ନମ୍ବର ବାହାର କରି ଘର ଲୋକଙ୍କୁ ଖବର ଦେଇଥିଲା । ବାପା ବୁଦ୍ଧିରାମ ଓ ସଂପର୍କୀୟମାନେ ସେଠାରେ ପହଞ୍ଚିଛନ୍ତି । ଦେବବ୍ରତ ମାନସିକ ରୋଗୀ ବୋଲି ବୁଦ୍ଧିରାମ କହିଛନ୍ତି । ତେବେ କେଉଁ କାରଣ ପାଇଁ ଦେବବ୍ରତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜଣା ପଡ଼ିନାହିଁ ।
ସୂଚନା ଥାଉକି, ଗତ ୯ ତାରିଖରେ ଶିକ୍ଷୟିତ୍ରୀ ସ୍ତ୍ରୀ’ ଓ ଛୋଟ ପୁଅ ସହ ବାଇକ୍ରେ ଆସୁଥିବା ବେଳେ ଦେବବ୍ରତ ମହାପାତ୍ର ନାମକ ଜଣେ ଯୁବକ କାଠଯୋଡ଼ି ପୋଲ ଉପରେ ବାଇକ୍ ରଖି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ଖବରପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଦୁଇ ଦିନ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା । ଦୀର୍ଘ ୮ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ପୁଣି ଜଣେ ଦେବବ୍ରତ କାଠଯୋଡ଼ିକୁ ଡେ଼ଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons