ପାଣିକୋଇଲି,(ବି.ବି.ନୁ୍ୟଜ୍): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାରେ ବୁଧବାର ଆନେ୍ଦାଳନକୁ ଓହ୍ଲାଇଛି କଂଗ୍ରେସ । ପୂର୍ବ ପ୍ରସ୍ତୁତି ମୁତାବକ, କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଶହଶହ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିଲେ । ଏଥିରେ ଜଟଣୀ ବିଧାୟକ ସୁର ରାଉତରାୟ, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ ।

ସ୍ମିତାରାଣୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସଠିକ୍ଭାବେ ତଦନ୍ତ କରିନାହାନ୍ତି । ଏକ ଷଡ଼ଯନ୍ତ୍ର ରଚାଯାଇ ସ୍ମିତାରାଣୀଙ୍କ ହତ୍ୟାକାରୀଙ୍କୁ ଖସାଇ ଦିଆଯାଇଛି । ତୁରନ୍ତ ସିବିଆଇକୁ ଏହି ତଦନ୍ତଭାର ହସ୍ତାନ୍ତର କରାଯାଉ ବୋଲି ଜଟଣୀ ବିଧାୟକ ଶ୍ରୀ ରାଉତରାୟ ଦାବି କରିଥିଲେ । ସେହିପରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରର ଗେଷ୍ଟ ହାଉସ୍ ପ୍ରସଙ୍ଗ ଉଠାଇଥିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଉକ୍ତ ଗେଷ୍ଟ ହାଉସ୍ ନିର୍ମାଣ କରାଯାଇଥିବା ଜମି ଅନାବାଦୀ କିସମ ହୋଇଥିବା ବେଳେ କିପରି ଓ କାହିଁକି ଏହା ଉପରେ ଗେଷ୍ଟ ହାଉସ୍ ନିର୍ମାଣ ନିମନ୍ତେ ଅନୁମତି ପ୍ରଦାନ କରାଗଲା । ଉକ୍ତ ଗୃହରେ ଅଧିକାଂଶ ସମୟରେ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ପୁଲିସ ପାଖରେ କିପରି ଖବର ନଥିଲା ବୋଲି ବାରବାଟୀ ବିଧାୟକ ପ୍ରଶ୍ନ କରିଥିଲେ । ଯାଜପୁର ପୁଲିସ ପ୍ରକୃତ ଅପରାଧୀକୁ ଧରିବା ନିମନ୍ତେ ଅକ୍ଷମତା ପ୍ରକାଶ କରୁଛି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଥିଲେ । ଆଜି କଂଗ୍ରେସ କେବଳ ପ୍ରତିବାଦ କରିଛି । ସ୍ମିତାରାଣୀଙ୍କୁ ନ୍ୟାୟ ନମିଳିଲେ ସାରା ରାଜ୍ୟରେ ଗଣ ଆନେ୍ଦାଳନ ଚାଲିବ ବୋଲି କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା କହିଥିଲେ ।
ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ୭ଦିନ ବିତିଲାଣି । ପୁଲିସ କେବଳ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରି ନିଜ ଉପରୁ ଦୋଷ ଛଡ଼ାଇ ଦେଇଛି । ଶାସକ ଦଳର ପ୍ରରୋଚନାରେ ପୁଲିସ ତଦନ୍ତର ମୋଡ଼ ବଦଳାଇଛି । ସ୍ମିତାରାଣୀଙ୍କ ମୃତୁ୍ୟର ପ୍ରକୃତ କାରଣ ଖୋଜିବା ପରିବର୍ତ୍ତେ ତାଙ୍କ ଉପରେ ହୀନ ଆରୋପ ଲଗାଇ ଘଟଣାକୁ ଅଧିକ ଜଟିଳ କରିଛି । ସ୍ମିତାରାଣୀ କେବେବି ଆତ୍ମହତ୍ୟା କରିନଥିବେ ବୋଲି ତାଙ୍କ ପରିବାର ସମେତ ତାଙ୍କ ସ୍ୱାମୀ ମଧ୍ୟ ଅଭିଯୋଗ କରୁଛନ୍ତି । ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ ତଦନ୍ତକୁ ଶିଥିଳ କରିବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ଧାରଣାରେ ସାମିଲ ହୋଇଥିବା ବହୁ କଂଗ୍ରେସ ନେତା ଓ ନେତ୍ରୀ ଅଭିଯୋଗ କରିଥିଲେ ।
ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୀତାଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ କରାଯାଇଥିବା ଏହି ଧାରଣାରେ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ରାଜ୍ୟ ସଂପାଦକ ପଦ୍ମାକର ଗୁରୁ, ବରିÂ କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, ଦିଗାମ୍ବର କର, ବଳଭଦ୍ର ଦାସ, ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ପ୍ରତିମା କର, ସାଧାରଣ ସଂପାଦିକା କନକଲତା ମଲ୍ଲିକ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦିକା କନକଲତା ରାଉତ, ସ୍ମୃତିରେଖା ପହୀ, ରଞ୍ଜିତା ରାଉତ, ବିଦ୍ୟାଧର ମହାନ୍ତି ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଜିଲ୍ଲା କଂଗ୍ରେସ ସଭାନେତ୍ରୀ ରୀତାରାଣୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ କୁମାର ଦାସଙ୍କୁ ସିବିଆଇ ତଦନ୍ତ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।


Comments are closed, but trackbacks and pingbacks are open.