ବଲାଙ୍ଗୀର,(ବି.ବି.ନୁ୍ୟଜ୍): ସୋସିଆଲ ମିଡିଆରେ ଏକ ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ ହୋଇଛି । ସେଥିରେ ଜଣେ ଯୁବକ ସାଦା ପୋଷାକରେ ଥିବାବେଳେ ତାଙ୍କ ସାଙ୍ଗରେ ଜଣେ କଲେଜ ଛାତ୍ରୀ ରହିଛନ୍ତି । ଯଦିଓ ସେମାନେ କୌଣସି ଆପତ୍ତିଜନକ ଅବସ୍ଥାରେ ନାହାନ୍ତି । ତଥାପି ଜଙ୍ଗଲ ଭିତରେ ଉଭୟେ ଏକାସଙ୍ଗରେ ଥିବାବେଳେ କେତେକ ଯୁବକ ସେମାନଙ୍କୁ ଦେଖିବାକୁ ପାଇ ଘେରି ଯାଇଥିଲେ । ଏଭଳି ଅବସ୍ଥା ଦେଖିବା ପରେ ଭୟରେ ଛାତ୍ରୀଜଣକ ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇପଡ଼ିଛନ୍ତି । ଦୀର୍ଘସମୟ ଧରି ଛାତ୍ରୀ ଜଣକର ଚେତା ନଫେରିବାରୁ ପ୍ରେମୀ ଯୁଗଳଙ୍କୁ ଅଟକ ରଖିଥିବା ଯୁବକମାନେ କୌଣସି ଅଘଟଣ ଆଶଙ୍କାରେ ଭୟଭୀତ ହୋଇ ପଡ଼ିଛନ୍ତି । ଯୁବତୀ ଜଣକ ସାମାନ୍ୟ ସ୍ୱାଭାବିକ ସ୍ଥିତିକୁ ଆସିବା ପରେ ଯୁବକ ଏବଂ ଛାତ୍ରୀଙ୍କୁ ସେମାନେ ଛାଡ଼ି ଦେଇଥିବା ଜାଣିବାକୁ ମିଳିଛି ।
ଭାଇରାଲ ଭିଡିଓରେ ହେଉଥିବା କଥାବାର୍ତ୍ତା ଅନୁଯାୟୀ, ଘଟଣାସ୍ଥଳଟି ମୁରିବାହାଲ ଅଞ୍ଚଳର ଘୁସରାମୁଣ୍ଡା ଜଙ୍ଗଲ । ପ୍ରେମୀଯୁଗଳ ନିଛାଟିଆ ସ୍ଥାନରେ ଥିବା ଦେଖି ନିକଟସ୍ଥ ଅଞ୍ଚଳର କିଛି ଯୁବକ ସେଠାରେ ପହଞ୍ଚି ଉଭୟଙ୍କୁ ହଇରାଣ କରିଥିଲେ । ଯୁବକଙ୍କୁ ସେମାନଙ୍କ ଘରର ଠିକଣା ଏବଂ ଫୋନ ନମ୍ବର ମାଗିବା ସହିତ ସେମାନେ ଜଙ୍ଗଲ ଭିତରେ କଣ କରୁଛନ୍ତି ବୋଲି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଛନ୍ତି । ଏଭଳି ଅଭାବନୀୟ ସ୍ଥିତି ଦେଖିବା ପରେ ଛାତ୍ରୀଜଣକ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ଦୀର୍ଘ ସମୟ ଧରି ସାଙ୍ଗରେ ଥିବା ଯୁବକ ଜଣକ ସଂଜ୍ଞାହୀନ ଛାତ୍ରୀଙ୍କୁ ଧରି ରଖିବା ପରେ ଶେଷରେ ଏକ ଗଛତଳେ ବସାଇଥିଲେ । ଛାତ୍ରୀ ଜଣକର ସଂଜ୍ଞାହୀନ ଅବସ୍ଥା ଦେଖିବା ପରେ ସେମାନଙ୍କୁ ଘେରାଉ କରି ରଖିଥିବା ଯୁବକଙ୍କ କଥାବାର୍ତ୍ତାରେ ଭୟ ଓ ଆଶଙ୍କା ପ୍ରକାଶ ପାଇଥିଲା । କାଳେ କୌଣସି ଅଘଟଣ ଉପୁଜିବା ଆଶଙ୍କାରେ ଯୁବକମାନେ ସେମାନଙ୍କୁ ଘଟଣାସ୍ଥଳରୁ ଚାଲିଯିବାକୁ କହିଛନ୍ତି । ଏହାରି ଭିତରେ ଛାତ୍ର ଜଣକ ସାମାନ୍ୟ ସ୍ୱାଭାବିକ ସ୍ଥିତିକୁ ଫେରିବା ପରେ ସେମାନେ ଚାଲିଯାଇଥିଲେ । ତେବେ ସେହି ସମୟରେ ଉଠାଯାଇଥିବା ଭିଡ଼ିଓ ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । ତେବେ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଜାଣିବାକୁ ମିଳିଛି ।
ପ୍ରକାଶ ଯେ, ଗତକିଛି ବର୍ଷ ହେଲା ଜିଲ୍ଲାରେ ପ୍ରେମୀଯୁଗଳଙ୍କ ଏଭଳି ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । କିନ୍ତୁ ପୁଲିସ ଏଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।


Comments are closed, but trackbacks and pingbacks are open.